Advertisment

Khudurukuni Osha: କିପରି ପାଳନ ହୁଏ ‘ଖୁଦୁରୁକୁଣୀ ଓଷା’; ଏମିତି ନାମକରଣର ରହସ୍ୟ କ’ଣ

ପ୍ରତିବର୍ଷ ଭାଦ୍ରବ ମାସର ରବିବାରରେ ‘ଖୁଦୁରୁକୁଣୀ ଓଷା’ ପାଳନ କରାଯାଏ। ଏହି ଓଷା ମାଧ୍ୟମରେ ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ଏହା କିପରି ପାଳନ କରାଯାଏ।

ଅଦ୍ୟତନ ହୋଇଛି
Khudurukuni Osha 2023: How to Celebrate Khudurukuni Osha

Khudurukuni Osha 2023: How to Celebrate 'Khudurukuni Osha'

Advertisment

ଓଡ଼ିଶାର ପାରମ୍ପରିକ ଓଷା ମଧ୍ୟରେ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରୁଥିବା ଖୁଦୁରୁକୁଣୀ ହେଉଛି ଗୋଟିଏ। ଏହାକୁ ଭାଲୁକୁଣୀ ଓଷା ଓ ଢିଙ୍କି ଓଷା ମଧ୍ୟ କୁହାଯାଏ। ଏହି ଓଷା ମାଧ୍ୟରେ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଅତୀତରେ ଓଡ଼ିଶାରେ ସାଧବ ପୁଅମାନେ ଦେଶବିଦେଶକୁ ବଣିଜ କରିବାକୁ ଯାଉଥିଲେ। ଖୁଦୁରୁକୁଣୀ ଓଷା ମାଧ୍ୟମରେ ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ ଦେଖିବାକୁ ମିଳେ।

Advertisment

ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ମା ମଙ୍ଗଳାଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ। ପ୍ରତିବର୍ଷ ଝିଅମାନେ ଦୂରରେ ଥିବା ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି।

ଅଧିକ ପଢ଼ନ୍ତୁ: ସାଧବ ପୁଅଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଖୁଦୁରୁକୁଣୀ ଓଷା

Advertisment

କିମ୍ବଦନ୍ତୀ ଅନୁସାରେ ପୁରାତନ ଯୁଗରେ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟାର ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ। ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟି ଆସୁଥିଲେ। ଏହି ଦିନ ତାଙ୍କର ଗୋଟିଏ ମାତ୍ର ଅଲିଅଳ ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ। ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଛି।

କିପରି ହୁଏ ପାଳନ:

ଓଡିଆ କ୍ୟାଲେଣ୍ଡର ଅନୁସାରେ ଏହା ପ୍ରତିବର୍ଷ ଭାଦ୍ରବ ମାସର ରବିବାରରେ ପଡ଼ିଥାଏ। ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି।

Advertisment

ଖୁଦଭଜା ଠାକୁରାଣୀଙ୍କର ସବୁଠୁ ପ୍ରିୟ ବୋଲି ମନେକରାଯାଇଥାଏ। ଠାକୁରାଣୀ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ହୋଇଥିବାରୁ ତାଙ୍କୁ ଶ୍ରଦ୍ଧାରେ ଖୁଦୁରୁକୁଣୀ ବୋଲି କୁହାଯାଏ। ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି।

ଅଧିକ ପଢ଼ନ୍ତୁ: ଖୁଦୁରୁକୁଣୀ ଓଷାର ବହି ନଥିଲେ ଦେଖନ୍ତୁ ଏଠି ପୂରା ଗୀତ

ସେଠାରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି। ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଯାଏ। ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି।

ଗାଁଗୁଡିକରେ ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ। ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ। ଏନେଇ ଏହାକୁ ଢିଙ୍କି ଓଷା ବୋଲି କୁହାଯାଏ। ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ। ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ। ଦିନ ସାରା ଏହି ସାଜସଜ୍ଜାରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ। ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି:

“ଆମ ଭାଲକୁଣି ଖାଏ ଲିଆ,

ତୁମ ଭାଲକୁଣି ମୁହଁରେ ନିଆଁ।”

ଏହି ଓଷା ପାଳନ ବେଳେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି। ପିଢ଼ି ପରେ ପିଢ଼ି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକମୁଖରେ ଆଜି ଯାଏଁ ଚଳିଆସୁଛି। ଏବେ ଏହା ଛପା ହୋଇ ବହି ଆକାରରେ ମିଳୁଛି।

 ଗୀତରେ ପ୍ରଥମ ପାଳିରେ ଦୁର୍ଗାଙ୍କର ମହିଷାସୁର ବଧ ବାବଦରେ ବଖଣାଯାଏ। ୨ୟ ପାଳିଟି ହେଉଛି "ତଅପୋଇ", ଏଥିରେ ଏହି ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ବଖଣାଯାଏ।

ପ୍ରଥମଟିରେ ଦୁର୍ଗାଙ୍କର ଅସୁର ଶକ୍ତିର ବିନାଶ ଓ ଦ୍ୱିତୀୟଟିରେ ତଅପୋଇର ଦୁଃଖ, କଷଣକୁ ସହିବା ଓ ତାହାପରର ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ ହୋଇଥାଏ। ପୂଜା ଓ ବନ୍ଦାପନା ଶେଷରେ ଖୁଦୁରୁକୁଣୀଙ୍କ ମୂର୍ତ୍ତୀକୁ ଜଳ-ବିସର୍ଜନ କରାଯାଇଥାଏ।

ଅଧିକ ପଢ଼ନ୍ତୁ: ଭାଇ ଭଉଣୀର ମଧୁର ପ୍ରେମକୁ ମନେପକେଇ ଦିଏ ଖୁଦୁରୁକୁଣୀ ଓଷା

Odia Festivals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ