କୁହାଯାଏ “ମା’ ନାହିଁ ଯାହାର ସାହା ନାହିଁ ତାହାର।” ମା’ ଏମିତି ଏକ ଶକ୍ତି ଯାହାର ଉପସ୍ଥିତିରେ ସବୁ ଝଡ ଝଞ୍ଜା ନିମିଷମେ ଉଭେଇଯାଏ। ଯେତେ ବିପଦ ଆସିଲେ ବି ନିଜ ସନ୍ତାନମାନଙ୍କୁ ପଣତକାନି ତଳେ ଢାଲ କରି ରଖିବାର ଅଦମ୍ୟ ଶକ୍ତି କେବଳ ମା’ ପାଖରେ ହିଁ ଥାଏ। ସେଥିପାଇଁ ତ କୁହାଯାଏ, ସବୁ ବିପଦରେ ଈଶ୍ୱର ଆସି ପହଞ୍ଚିପାରିବେ ନାହିଁ, ସେଥିପାଇଁ ପାଖରେ ମା’ ଦେଇଛନ୍ତି।
ଏନେଇ ହିନ୍ଦୁ ଧର୍ମରେ ମା’ର ଅଧିକ ଗୁରୁତ୍ୱ ରହିଛି। ମା’କୁ ସ୍ୱର୍ଗ ଠାରୁ ମଧ୍ୟ ବିଶାଳ କୁହାଯାଇଛି। ସେଥିପାଇଁ ମା’ର ଗୁରୁତ୍ୱକୁ ବୁଝିବା ପାଇଁ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ‘ମାତୃ ଦିବସ’ ପାଳନ କରାଯାଏ। ଆଜି ହେଉଛି ସେହି ଦିନ।
ମା’ର ମହତ୍ତ୍ୱ ଯୁଗେ ଯୁଗେ ରହିଛି। ରାମାୟଣ କାଳରେ, ଏପରି କିଛି ମା’ଙ୍କର ବର୍ଣ୍ଣନା ଅଛି ଯାହାଙ୍କର ମାତୃତ୍ୱର ଉଦାହରଣ ଆଜି ମଧ୍ୟ ଦିଆଯାଏ। ତେବେ ଆସନ୍ତୁ ଏହି ‘ମାତୃ ଦିବସ’ ଅବସରରେ ରାମାୟଣ ସମୟର ଏପରି କିଛି ମା’ଙ୍କ ବିଷୟରେ ଜାଣିନେବା, ଯେଉଁମାନଙ୍କ ଠାରୁ ଆଜିର ପ୍ରତ୍ୟେକ ମା’ କିଛି ନା କିଛି ଶିଖିବା ଜରୁରୀ।
Also Read
ମାତା କୈକେଇ:
‘ରାମାୟଣ’ରେ ମାତା କୈକେଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ପ୍ରଭୁ ଶ୍ରୀରାମଙ୍କୁ ୧୪ ବର୍ଷ ପାଇଁ ବନକୁ ପଠାଇଥିଲେ। କାରଣ ସେ ଜାଣିଥିଲେ ଯେ ଏହି ୧୪ ବର୍ଷ ଯିଏ ଅଯୋଧ୍ୟା ସିଂହାସନରେ ବସିବ ତା’ର ମୃତ୍ୟୁ ହେବ। ସେ କିନ୍ତୁ ରାମଙ୍କ ଅମଙ୍ଗଳ ଚାହୁଁ ନଥିଲେ। ନିଜ ପୁଅକୁ ବିପଦକୁ ଠେଲି ଭରତଙ୍କ ପାଇଁ ସିଂହାସନ ମାଗିନେଲେ। ରାମଙ୍କୁ ବନକୁ ପଠାଇ ଥିବାରୁ ସେ ସିନା ସମସ୍ତଙ୍କ ଆଖିରେ କଳଙ୍କିନୀ ହୋଇଗଲେ, କିନ୍ତୁ ତାଙ୍କୁ ରକ୍ଷା କରିଦେଲେ।
ମାତା ମନ୍ଦୋଦରୀ:
ମାତା ମନ୍ଦୋଦରୀ ମୟଦାନବଙ୍କ ଝିଅ ଥିଲେ। ସେ ଲଙ୍କାପତି ରାବଣଙ୍କୁ ବିବାହ କରିଥିଲେ। ସେ ଜୀବନରେ ସର୍ବଦା ସତ୍ୟ ଏବଂ ନୀତିର ପଥ ଗ୍ରହଣ କରିଥିଲେ। ମନ୍ଦୋଦରୀ ସର୍ବଦା ମାତା ସୀତାଙ୍କ ପ୍ରତି ସହାନୁଭୂତି ଦେଖାଉଥିଲେ। ସେଥିପାଇଁ ମାତା ସୀତା ମନ୍ଦୋଦରୀଙ୍କୁ ମାଆ ଭଳି ମାନୁଥିଲେ ଆଉ ସମ୍ମାନ ଦେଉଥିଲେ।
ମାତା ସୁମିତ୍ରା:
ମାତା ସୁମିତ୍ରା ରାଜା ଦଶରଥଙ୍କ ତିନି ପାଟରାଣୀଙ୍କ ମଧ୍ୟରେ ସର୍ବ କନିଷ୍ଠ ଥିଲେ। ଭଗବାନ ଶ୍ରୀରାମଙ୍କ ବନବାସକୁ ନେଇ ସେ ଏତେ ଦୁଃଖି ହୋଇଗଲେ ତାଙ୍କ ଆଖିର ଲୁହ ଶୁଖିବା ବନ୍ଦ ହେଲାନି। ବନରେ କାଳେ ରାମଙ୍କ କିଛି କ୍ଷତି ହୋଇଯିବ ତାଙ୍କୁ ସବୁବେଳେ ଜଗି ରହିବା ପାଇଁ ନିଜ ପୁଅ ଲକ୍ଷ୍ମଣଙ୍କୁ ତାଙ୍କ ସହ ବନକୁ ପଠେଇଦେଲେ।
ମାତା ସୀତା:
ମାତା ସୀତାଙ୍କ ବାପାଙ୍କ ନାମ ରାଜା ଜନକ ଏବଂ ମାଆଙ୍କ ନାମ ରାଣୀ ସୁନୟନା। ସେ ମଧ୍ୟ ଦୁଇ ପୁଅ ଲବ ଏବଂ କୁଶଙ୍କୁ ଜନ୍ମ ଦେଇଥିଲେ। ସେ ନିଜ ପିଲାମାନଙ୍କୁ ବହୁତ ସ୍ନେହରେ ବଢାଇଥିଲେ। ଜଣେ ମା’ ହିସାବରେ ସେ ନିଜ ପିଲାମାନଙ୍କୁ ଉଚିତ ଧର୍ମ ଶିକ୍ଷା ଦେଇଥିଲେ। ପିତା ଯାହା ହେଲେ ବି ତାଙ୍କୁ କେବେ ଅସମ୍ମାନ ନ କରିବାକୁ ସେ ତାଙ୍କୁ ଶିକ୍ଷା ଦେଇଥିଲେ।
ମାତା କୌଶଲ୍ୟା:
ମାତା କୌଶଲ୍ୟା ରାଜା ଦଶରଥଙ୍କ ପତ୍ନୀ ଏବଂ ଦେବୀ ଅଦିତିଙ୍କ ଅବତାର ଥିଲେ। ସେ ପ୍ରଭୁ ରାମଙ୍କୁ ଜନ୍ମ ଦେଇ ମାତୃତ୍ୱର ଏକ ଉଦାହରଣ ସୃଷ୍ଟି କରିଥିଲେ। ସେ ନିଜ ପୁଅ ରାମଙ୍କୁ ଯେତିକି ଭଲ ପାଉଥିଲେ ଅନ୍ୟ ରାଣୀମାନଙ୍କ ପୁଅମାନଙ୍କୁ ମଧ୍ୟ ସମାନ ଭାବେ ଭଲ ପାଉଥିଲେ।