ଡାକ ସେବା ଏକମାତ୍ର ସେବା ଥିଲା ଯାହା ସଂପର୍କ ଯୋଡ଼ିବାର ଏକ ପ୍ରମୁଖ ମାଧ୍ୟମ ଥିଲା। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ଭାବରେ ବିବେଚନା କରାଯାଉଥିଲା। ଚିଠି ମାଧ୍ୟମରେ ସମ୍ପର୍କୀୟମାନେ ପରସ୍ପରର ସୁଖ ଏବଂ ଦୁଖରେ ଭାଗ ହେଉଥିଲେ। ଦୂର ଦୂରାନ୍ତରେ ଥାଇ ମଧ୍ୟ ସମସ୍ତଙ୍କ ମଧ୍ୟରେ ଏକ ଆପଣାପଣ ଥିଲା। ଆଜିର ଦୁନିଆରେ ପ୍ରତି ମୁହୂର୍ତ୍ତରେ ଖବର ପହଞ୍ଚିଯାଉଥିଲେ ବି ଚିଠି ସମୟର ସ୍ନେହ, ପ୍ରେମ ଦେଖିବାକୁ ମିଳୁନି। ଏଭଳି ପରିସ୍ଥିତିରେ ଜାତୀୟ ଡାକ ଦିବସ ଆମକୁ ସେହି ପୁରୁଣା ଦିନଗୁଡ଼ିକୁ ମନେ ପକାଇଦିଏ।
ଭାରତୀୟ ଡାକ ସେବାର ଇତିହାସ:
ଭାରତରେ ଏହି ସୁବିଧାକୁ ଭାରତୀୟ ଡାକ ସେବା କୁହାଯାଏ, ଏହି ସେବା ଚିଠି, କାର୍ଡ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମାଧ୍ୟମରେ ପଠାଯାଏ। ଏହି କାର୍ଯ୍ୟାଳୟକୁ ସାଧାରଣତଃ ଡାକଘର କୁହାଯାଏ। ଚିଠି ଏବଂ ଡକ୍ୟୁମେଣ୍ଟ ବଣ୍ଟନ ବ୍ୟତୀତ ଏଠାରେ ବ୍ୟାଙ୍କର କିଛି କାମ ପାଇଁ ମଧ୍ୟ ସ୍ୱୀକୃତି ଦିଆଯାଇଛି, ଯେପରିକି ଡାକଘରେ ଟଙ୍କା ଜମା ହେବା, ଅନେକ ପ୍ରକାରର ଯୋଜନା କାର୍ଯ୍ୟାକାରୀ ମଧ୍ୟ ଏଠାରେ ହୋଇଥାଏ।
Also Read
ଅଧିକ ପଢ଼ନ୍ତୁ: ଆଉ ଶୁଣିବାକୁ ମିଳୁନି ଡାକବାଲାର ସାଇକେଲ୍ ଘଣ୍ଟି
ଏହି ଭାରତୀୟ ଡାକ ସେବା ୧୭୬୬ ମସିହାରେ ଲର୍ଡ କ୍ଲାଇଭଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଭାରତର ପ୍ରଥମ ଡାକଘର ୧୭୭୪ ମସିହାରେ ୱାରେନ୍ ହେଷ୍ଟିଙ୍ଗସ୍ ଦ୍ୱାରା କୋଲକାତାରେ ଆରମ୍ଭ ହୋଇଥିଲା। ୧୮୫୨ରେ ଟିକେଟ୍ ପ୍ରଚଳନ କରାଯାଇଥିଲା। ୧୮୫୨ରୁ ଦେଖିଲେ ଏହିପରି ଭାରତରେ ଡାକ ସେବା ୨୦୦ ବର୍ଷରୁ ଅଧିକ ହୋଇସାରିଛି। ଭାରତୀୟ ଡାକ ସେବାକୁ ବଡ ଡାକ ସେବା ଭିତରୁ ଗୋଟିଏ ଧରାଯାଏ।
ଜାତୀୟ ଡାକ ଦିବସ କେବେ ପାଳନ କରାଯାଏ?
ପ୍ରତିବର୍ଷ ୧୦ ଅକ୍ଟୋବରରେ ଭାରତୀୟ ଡାକ ସେବା ଦିବସ ପାଳନ କରାଯାଏ ଏବଂ ଏହାର ଗୋଟିଏ ଦିନ ପୂର୍ବରୁ ୯ ଅକ୍ଟୋବରରେ ଆନ୍ତର୍ଜାତୀୟ ଡାକ ସେବା ଦିବସ ପାଳନ କରାଯାଏ।
ପିନ୍ କୋଡ୍ ବ୍ୟବସ୍ଥା :
କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀରାମ ଭିକାଜୀ ଭେଲାନକର ୧୫ ଅଗଷ୍ଟ ୧୯୭୨ ରେ ୬ ଅଙ୍କ ବିଶିଷ୍ଟ ପିନ୍ ସିଷ୍ଟମ ପ୍ରବର୍ତ୍ତନ କରିଥିଲେ। ପିନ୍ କୋଡ୍ର ପ୍ରଥମ ଅଙ୍କ କ୍ଷେତ୍ରକୁ ଚିହ୍ନିତ କରେ। ଦ୍ୱିତୀୟ ଅଙ୍କ ଉପ-କ୍ଷେତ୍ରକୁ ସୂଚିତ କରେ। ତୃତୀୟ ଅଙ୍କ ଜିଲ୍ଲାକୁ ଚିହ୍ନିତ କରେ। ଶେଷ ତିନୋଟି ସଂଖ୍ୟା ଡାକଘରକୁ ସୂଚିତ କରେ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ଠିକଣା ଜଣାପଡେ।
ଆଜିର ଆଧୁନିକ ଯୁଗରେ ଡାକବାଲାଙ୍କ ଗୁରୁତ୍ୱଙ୍କୁ ଆଉ ବା କିଏ ବୁଝୁଛି। ଆଜିକାଲି ଦେଶ କିମ୍ବା ବିଦେଶରେ କାହା ସହ ଯୋଗାଯୋଗ କରିବାକୁ ମାତ୍ର କେଇ ମୁହୂର୍ତ୍ତ ଲାଗିଥାଏ। ସେତେବେଳର ଯୋଗାଯୋଗ ମାଧ୍ୟମ ଏକ ଦୀର୍ଘ ଦିନର ପ୍ରକ୍ରିୟା ଥିଲା ସତ କିନ୍ତୁ ଏଥିରେ ଥିଲା ଏକ ନିଆରା ଖୁସି। ଆଜିର ମୋବାଇଲ୍ ଦୁନିଆରେ ସେ ଖୁସି ଆଉ ମିଳୁନି।