Advertisment

ବାଜି ରାଉତ : ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ

ଇଂରେଜମାନଙ୍କ ଆଦେଶକୁ ନ ମାନି ଛାତିରେ ଗୁଳି ଖାଇ ଶହୀଦ ହୋଇଗଲେ ବାଜି ରାଉତ। ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭାବେ ନିଜ ନାଁକୁ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲେଖିଗଲେ। ତେବେ ଆସନ୍ତୁ ଏହି କୁନି ଶହୀଦଙ୍କ ବୀର କାହାଣୀ ଉପରେ ନଜର ପକେଇ ନେବା।

ଅଦ୍ୟତନ ହୋଇଛି
Baji Raut the youngest freedom fighter of India

Baji Raut the youngest freedom fighter of India

Advertisment

ଭାରତକୁ ସ୍ୱାଧୀନତା ଦେବା ନେଇ ବ୍ରିଟିଶ ବିରୁଦ୍ଧରେ ଲଢେଇ କରି ଲକ୍ଷ ଲକ୍ଷ ଲୋକ ନିଜ ଜୀବନକୁ ଆହୁତି ଦେଇଛନ୍ତି। ଏହି ବୀରଙ୍କ ମଧ୍ୟରୁ କେତେକଙ୍କୁ ଆମେ ପାଠ୍ୟପୁସ୍ତକରେ ପଢିଛେ। ସ୍ୱାଧୀନତା ସଂଗ୍ରାମରେ ଏମିତି ଜଣେ ବୀର ସୈନିକ ବାଜି ରାଉତ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ସାହସୀ ପୁଅ ଯିଏ ମାତ୍ର ୧୨ ବର୍ଷ ବୟସରେ ବ୍ରିଟିଶମାନଙ୍କଠାରୁ ପ୍ରତିଶୋଧ ନେଇଥିଲେ। ଯାହାଙ୍କ ଉଚ୍ଚ ଆତ୍ମବିଶ୍ୱାସ ​​ବ୍ରିଟିଶର ଗୁଳିରେ ମଧ୍ୟ ଦବିଯାଇ ନଥିଲା। ତାଙ୍କ ନାଁ ଭାରତୀୟ ଇତିହାସର ସବୁଠାରୁ କନିଷ୍ଠ ଶହୀଦ ଭାବରେ ସୁବର୍ଣ୍ଣ ଅକ୍ଷରରେ ଲେଖାହୋଇଯାଇଛି। ସେ ହେଲେ ବାଜି ରାଉତ।

Advertisment

୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ବାଜି ରାଉତ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ପିଲା ବେଳୁ ବାପାଙ୍କୁ ହରାଇ ମା'ଙ୍କ ଦ୍ୱାରା ପାଳିତ ହେଇଥିଲେ । ପରିବାରରେ ଚାଷବାଷ ପାଇଁ ଜମି ନ ଥିଲା । ମା’ ଅନ୍ୟଘରେ କାମକରି ତାଙ୍କୁ ପାଳୁଥିଲେ। ସେ ଯେତେବେଳେ ଜାଣିବାଶୁଣିବା ହେଲେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବା ସେ ଅନୁଭବ କଲେ।

ଯେତେବେଳେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ। ଏଥିରେ ଏକ ଦଳ ଥିଲା ଯାହାକୁ ବାନର ସେନା କୁହାଯାଉଥିଲା। ଏଥିରେ ଛୋଟ ପିଲାମାନେ ଯୋଗ ଦେଉଥିଲେ। ସେତେବେଳେ ବାଜି ରାଉତ ସେହି କୋମଳ ବୟସରେ ଏଥିରେ ଯୋଗ ଦେଇଥିଲେ। ସେ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରିକରିବାକୁ ମନା କରି ଛାତିରେ ଗୁଳି ଖାଇ ଦେଶ ପ୍ରେମର ଉଦାହରଣ ଦେଇଗଲେ। ତେବେ ଆସନ୍ତୁ ଏହି କୁନି ଶହୀଦଙ୍କ ବିଷୟରେ ଜାଣିନେବା।

Advertisment

ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।

ଏହି ଦୁଇଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡଜାତ ରାଜ୍ୟର ରାଜା ତଥା ପାରିଷଦବର୍ଗଙ୍କ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ଯୋରଜବରଦସ୍ତ ଟିକସ ଆଦାୟ, ମନମୁଖି ଶାସନ, ମିଥ୍ୟା ମୋକଦ୍ଦମା ଆଦିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ବେଳେ ବେଳେ ଏହି ଶୋଷଣ କଷଣର ଫଳସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୂପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରିନେଉଥିଲେ।

Advertisment

୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଥିଲେ । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ ।

ଯେତେବେଳେ ପୋଲିସ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ ଆଉ ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ । ପୋଲିସର ଧମକ ସତ୍ତ୍ୱେ କିଛି ଲାଭ ନ ହେବାରୁ, ସେମାନେ ବାଜିଙ୍କୁ ସେଇଠି ଗୁଳି କରି ହତ୍ୟା କଲେ ।

ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ । ସେମାନେ ଡଙ୍ଗାକୁ ବାନ୍ଧି ରଖିଲେ । ପୋଲିସ ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବାବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ । ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ। ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ଶହୀଦ ହୋଇଗଲେ ।

ଜନ୍ମ ଓ ଜନ୍ମସ୍ଥାନ : ୫ ଅକ୍ଟୋବର ୧୯୨୬

ନୀଳକଣ୍ଠପୁର, ଢେଙ୍କାନାଳ ଜିଲ୍ଲା

ମୃତ୍ୟୁ : ୧୧ ଅକ୍ଟୋବର ୧୯୩୮ (ବୟସ ୧୨)

ନୀଳକଣ୍ଠପୁର, ଢେଙ୍କାନାଳ ଜିଲ୍ଲା

ଜାତୀୟତା : ଭାରତୀୟ

ଡାକ ନାଆଁ : ବାଜିଆ

ପ୍ରସିଦ୍ଧି : କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ

ବାପା : ହରି ରାଉତ

Baji Rout
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ