ବାଲିଯାତ୍ରା ଯାହା ଡଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ଜଣା ଓଡ଼ିଆର ପ୍ରମୁଖ ପର୍ବ। ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଦିଗ୍ଦର୍ଶନ। ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା। ଆଧୁନିକ ଓଡ଼ିଶା ହେଉଛି ଏସବୁର ପରିବର୍ତ୍ତିତ ରୂପ। ଏହି ଯାତ୍ରା କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ 'ଆକାମାବୈ' ଗୀତ ବୋଲି ଡଙ୍ଗା ଭସାଇ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି। ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା।
Also Read
ଉତ୍କଳିୟ ନୌବାଣିଜ୍ୟ ଓ ବାଲିଯାତ୍ରା:
ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା। ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଦିଏ। 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ର।
କ'ଣ କୁହେ ଇତିହାସ:
ଓଡ଼ିଆ ସାଧବ ପୁଅ ବା ବଣିକ ଗୋଷ୍ଠିର ପ୍ରତିନିଧି ଗଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ବାଲି ଅର୍ଥାତ୍ ଅଧୁନା ଇଣ୍ତୋନେସିଆର ବାଲିଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣ୍ଣିଓ ଦ୍ୱୀପକୁ ଯାଉଥିଲେ। ସେମାନଙ୍କ ଦ୍ୱାରା ବ୍ୟବସାୟରୁ ମିଳୁଥିବା ଧନସମ୍ପଦ ଉତ୍କଳର ଅର୍ଥନୀତିକୁ ସମୃଦ୍ଧ କରୁଥିଲା। ସେତେବେଳେ ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ଓଡିଶାର ବାଣିଜ୍ୟିକ ସମ୍ପର୍କ ଥିଲା, କିନ୍ତୁ ବାଲିଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା।
ବାଲିଯାତ୍ରା ଓ ବେପାର ବଣିଜ:
ବର୍ତ୍ତମାନ କଟକ ସହରରେ ଭାଇଚାରା ସହ ବାଲିଯାତ୍ରା ପାଳନ ହେଉଛି। ଅନେକ ବ୍ୟବସାୟି ଏହି ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରି ନିଜର ଜିନିଷ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି।
ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ୍ ବସାଯାଇ ହସ୍ତଶିଳ୍ପ, କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ। ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ କେବଳ ଏଥିପାଇଁ ହିଁ ଏହି ଉତ୍ସବ ଆୟୋଜିତ ହେଇଛି। ବାଲିଯାତ୍ରା ମଞ୍ଚରେ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଏ।