Advertisment

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଛେଳି ଗୁହାଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

କେଉଁଠୁ ଛେଳି ଗୁହାଳରେ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ଆଉ କେଉଁଠି ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢ଼ା। ସ୍ଥିତି ଏପରି ଯେ, ପିଲାଙ୍କୁ ସ୍କୁଲ ପଠାଇବାକୁ ଡରୁଛନ୍ତି ଅଭିଭାବକ।

Education Faces Crisis

Education Faces Crisis

Advertisment

ବାଟବଣା ବ୍ୟବସ୍ଥାକୁ ବିଦ୍ୟାଳୟର ବିକଳ ସ୍ଥିତି। କେଉଁଠୁ ଛେଳି ଗୁହାଳରେ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ଆଉ କେଉଁଠି ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢ଼ା। ସ୍ଥିତି ଏପରି ଯେ, ପିଲାଙ୍କୁ ସ୍କୁଲ ପଠାଇବାକୁ ଡରୁଛନ୍ତି ଅଭିଭାବକ। ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ଏଭଳି ସ୍କୁଲ ନେଇ ପୁଳା ପୁଳା ଅଭିଯୋଗ ସାମ୍ନାକୁ ଆସୁଥିବା ବେଳେ, ପଢନ୍ତୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଏହି ରିପୋର୍ଟ ।

Advertisment

ନୂଆଣିଆ ଆଜବେଷ୍ଟସ ଘର, ପଛ ପଟେ ଛେଳି ଗୁହାଳ। ଆଉ ସେଇ ଛେଳି ଗୁହାଳରେ ଚାଲିଛି ଠାକରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ। ମାଟିକାନ୍ଥରେ ଲେଖାଯାଇଛି ଅ ଆ...ଏ ବି ସି ଡି। କେଉଁଠି ବାର ମାସର ନାଁ, ଆଉ କେଉଁଠି ଜିଲ୍ଲା, ଦେଶ ଓ ରାଜ୍ୟର ନାଁ। ଛେଳି-ଛାତ୍ରଛାତ୍ରୀ ଏକାକାର ସ୍ଥିତି। କେତେବେଳେ ବହିବସ୍ତାନୀ ଉପରଦେଇ ଦୌଡ଼ି ପଳାଉଛନ୍ତି, ଆଉ କେତେବେଳେ ବହିଖାତା ଖାଇ ଦେଉଛନ୍ତି। ଶିକ୍ଷକଙ୍କ ଟେବୁଲରେ ବି ବନ୍ଧା ହୋଇଛନ୍ତି ଛେଳି । ଭାବି ପାରୁଥିବେ ଏଠି କେମିତି ଚାଲିଥିବ ପାଠପଢ଼ା। 

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଠାକରସାହିରେ ଗତ ୧୪ ବର୍ଷ ହେଲାଣି ଏମିତି ଭାବେ ଜଣଙ୍କ ଛେଳି ଗୁହାଳରେ ଚାଲିଛି ସରକାରୀ ସ୍କୁଲ। ଏବେ ପ୍ରଥମରୁ ପଞ୍ଚମ ଯାଏଁ ପଢ଼ୁଛନ୍ତି ୩୦ ପିଲା । ଅଭିଯୋଗ ହୋଇଛି, ଠିକାଦାରର ମନମୁଖୀ କାର୍ଯ୍ୟ ଓ ବିଭାଗୀୟ ଅବହେଳା ଯୋଗୁଁ ୧୪ ବର୍ଷ ହେଲା ଦରଗଢ଼ା ହୋଇ ପଡ଼ିରହିଛି ସିମେଣ୍ଟ ଇଟାର ସ୍କୁଲଘର। ଆଉ ପିଲାଙ୍କ ଭବିଷ୍ୟତ କଥା ଭାବି, ଜଣେ ସ୍ଥାନୀୟ ଲୋକ ନିଜ ଛେଳି ଗୁହାଳ ପିଣ୍ଡାକୁ ପାଠପଢ଼ା ପାଇଁ ଛାଡ଼ିଛନ୍ତି। କପ୍ତିପଦା ବିଇଓଙ୍କୁ ଏକଥା ପଚାରିବାରୁ ସେ ଏକଥା ଜାଣିଥିବା କହିଛନ୍ତି ଏବଂ ଖୁବଶୀଘ୍ର ସ୍କୁଲ ଘର କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ସେମିତି ବିଳାସପୁର ୟୁପି ସ୍କୁଲର ବିକଳ ଚିତ୍ର। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ବିଳାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଉପରୁ ଉଡ଼ିଯାଇଛି ଆଜବେଷ୍ଟସ୍। ବର୍ଷା ହେଲେ ଜାଗା ଜାଗାରେ ପାଣି ଗଳୁଛି । କାନ୍ଥ ସାରା ଫାଟ ଆଉ ଫାଟ । ସ୍କୁଲର ଅବସ୍ଥା ଖାଲି ଦୟନୀୟ ନୁହେଁ, ବିପଦସଂକୁଳ ବି।  ରୋଷେଇ ଘର, କବାଟ ଝରକା ସବୁକିଛି ସଂଗୀନ ସ୍ଥିତିରେ। ୧୯୫୪ ମସିହାରେ ସ୍ଥାପିତ ସ୍କୁଲ କୋଠା କେତେବେଳେ ଭୁଶୁଡ଼ି ପଡ଼ିବ, ତାର ଠିକ୍ ଠିକଣା ନାହିଁ । ପ୍ରଥମରୁ ଅଷ୍ଟମ ଯାଏଁ ଏଠି ୧୨୬ ଛାତ୍ରଛାତ୍ରୀ ପଢ଼ୁଛନ୍ତି । 

ତେବେ ଏହି ଅସୁରକ୍ଷିତ ସ୍ଥିତିରେ ଥିବା ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ଡରୁଛନ୍ତି ଅଭିଭାବକ। ନୂଆ ସ୍କୁଲ କୋଠା ପାଇଁ ଗାଁ ଲୋକ ଓ ସ୍କୁଲ କମିଟିର ବାରମ୍ବାର ଦାବି ସତ୍ତ୍ବେ, କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ବୌଦ୍ଧ ଡିଇଓ କହିଛନ୍ତି, ଶିକ୍ଷା ବିଭାଗ ପକ୍ଷରୁ ଏହାର ସମାଧାନ ପାଇଁ ଉଦ୍ୟମ ଚାଲିଛି।

Advertisment

Schools
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ