ସଂକ୍ରମିତ ରାଜ୍ୟରେ ଖୋଲିଲାଣି ସ୍କୁଲ, ହେଲେ ଓଡିଶାରେ ଖୋଲିବ କେବେ ?

ଅନ୍ୟ ରାଜ୍ୟ ମାନଙ୍କରେ ସ୍କୁଲ ଖୋଲିଲାଣି, ହେଲେ ଓଡ଼ିଶାରେ କେବେ ସ୍କୁଲ ଖୋଲିବ ? କୋଭିଡ୍ ସଂକ୍ରମଣ କମୁଥିବାରୁ ରାଜ୍ୟରେ ଶୀଘ୍ର ସ୍କୁଲ ଖୋଲିବାକୁ ଦାବି ଉଠିଲାଣି । ଯଦିଓ କିଛି ସ୍ଥାନରେ ନବମ ଓ ଦଶମ ପିଲାଙ୍କ ଡାଉଟ୍ କ୍ଲିୟର କ୍ଲାସ୍ ଚାଲିଛି, ହେଲେ ପ୍ରଥମରୁ ଦଶମ ଯାଏଁ କ୍ଲାସରୁମ୍ ପଢ଼ା ଆରମ୍ଭ ହୋଇନି । ଯଦିଓ ଶିକ୍ଷାବିତ୍ ସ୍କୁଲ ଖୋଲିବା ସପକ୍ଷରେ ଅଛନ୍ତି, ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ଭାବିଚିନ୍ତି ନିଷ୍ପତ୍ତି ନିଆଯିବା ଉଚିତ୍ ।

School Reopening

ମହାରାଷ୍ଟ୍ରରେ ଜାନୁଆରୀ ୨୪ରୁ ସ୍କୁଲ ଖୋଲିଲାଣି । ତାମିଲନାଡୁ ଓ ମଧ୍ୟପ୍ରଦେଶରେ ଗତକାଲି ଖୋଲିଛି। ପଶ୍ଚିମବଙ୍ଗରେ ଆସନ୍ତାକାଲିଠୁ ସ୍କୁଲ ଖୋଲିବା ନେଇ ଘୋଷଣା ହୋଇଛି । ଏଭଳି ସ୍ଥିତିରେ ଓଡ଼ିଶାରେ କେବେ ସ୍କୁଲ୍ ଖୋଲିବ ଓ ପାଠପଢା ଆରମ୍ଭ ହେବ, ଏନେଇ ପ୍ରଶ୍ନ ଉଠିବାରେ ଲାଗିଛି । କରୋନାର ଥାର୍ଡ ୱେଭ୍ କୋପ କମିବା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦେଖି ଏବେ ଏଭଳି ପ୍ରଶ୍ନ ଉଠୁଛି ।

ଅଧିକାଂଶ କରୋନା ସଂକ୍ରମିତ ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ସେଠାକାର ସରକାରମାନେ ନିଷ୍ପତ୍ତି ନେବା ପରେ ଆମ ରାଜ୍ୟରେ ବି ଶୀଘ୍ର ସ୍କୁଲ ଖୋଲିବାକୁ ଦାବି ଉଠିଲାଣି । ଯଦିଓ ବିଧିବଦ୍ଧ ଭାବେ ସ୍କୁଲ ଖୋଲିବାକୁ ସରକାରୀ ଭାବେ ନିଷ୍ପତ୍ତି ହୋଇନି, ତେବେ ବହୁ ସ୍ଥାନରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଡାଉଟ୍ କ୍ଲିୟର କ୍ଲାସ୍ ଚାଲିଛି ।

ଗଂଜାମ ଜିଲ୍ଲା ପୋଲସରା ବ୍ଲକ ବାଲିଛାଇ ସ୍କୁଲରେ ପିଲମାନେ ନିୟମିତ ଏଠି ୧୦ଟାରୁ ୪ ଯାଏଁ କ୍ଲାସରୁମ୍‌ରେ ବସି ପାଠ ପଢୁଛନ୍ତି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ପିଲାଙ୍କ ପାଖେ ମୋବାଇଲ୍ ଫୋନ୍‌ର ଅଭାବ ଓ ନେଟଓ୍ୱର୍କ ସମସ୍ୟା ଯୋଗୁଁ ଅନଲାଇନ୍ କ୍ଲାସର ସୁଫଳ ମିଳୁନାହିଁ । ତେଣୁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଡାଉଟ କ୍ଲିୟର କ୍ଲାସ୍ ଚାଲିଛି ।

 

ତେବେ ଜୟପୁର ପାରାବେଡ଼ା ପ୍ରାଥମିକ ସ୍କୁଲରେ ଟିକେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ସେଠାରେ ଦ୍ୱିତୀୟ ଶ୍ରେଣୀ ପିଲା ବି ସ୍କୁଲ ଆସି ପଢୁଛନ୍ତି । କିଛି ପିଲା କ୍ଲାସରୁମରେ ବସିଥିବାବେଳେ ଆଉ କିଛି ବାରଣ୍ଡାରେ ବସିଛନ୍ତି । ତେବେ ସ୍କୁଲ ଖୋଲିବାକୁ ଆଦେଶ ନଥାଇ କେମିତି କ୍ସାସରୁମ୍ ପଢ଼ା ଚାଲିଛି ବୋଲି ପଚାରିବାରୁ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, କୋଭିଡ୍ ନିୟମରେ ପିଲାଙ୍କୁ ଭାଗ ଭାଗ କରି ବସାଉଛୁ, ଏଥିପାଇଁ ଅଭିଭାବକଙ୍କ ଅନୁମତି ମଧ୍ୟ ନେଇଛୁ ।

ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ଉଚିତ୍ ହେବ ନା ନାହିଁ ? ଯଦିଓ ସରକାରଙ୍କ ପକ୍ଷରୁ ଏ ନେଇ କିଛି ଠୋସ୍ ନିଷ୍ପତ୍ତି ଆସିନାହିଁ, ତେବେ ଶିକ୍ଷାବିତ୍ କିନ୍ତୁ କହୁଛନ୍ତି ଯେ, କୋଭିଡ୍ ନିୟମ ପାଳନ କରି ପିଲାଙ୍କୁ ପଢ଼ାଇବାରେ ଅସୁବିଧା ନାହିଁ । ଦୀର୍ଘ ଦିନ ହେଲାଣି ପିଲା ଘରେ ରହି ବିରକ୍ତି ମନୋଭାବ ପ୍ରକାଶ କରୁଥିବାବେଳେ ସେମାନଙ୍କ ବୌଦ୍ଧିକ ବିକାଶରେ ମଧ୍ୟ ବାଧା ଉପୁଜିଛି । ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ,କରୋନା କୋପ ସମ୍ପୂର୍ଣ୍ଣ କମିନାହିଁ । ଡେଲ୍ଟା ଓ ଓମିକ୍ରନ୍ ଭଳି ଭୂତାଣୁ ଏବେ ମଧ୍ୟ ସକ୍ରିୟ ରହିଛନ୍ତି । ଯେହେତୁ ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଓ ସେମାନଙ୍କୁ ଟିକାକରଣ କରାଯାଇ ନାହିଁ, ତେଣୁ ଏତେଶୀଘ୍ର ସେମାନଙ୍କୁ କ୍ଲାସରୁମ୍‌ରେ ଏକାଠି ବସାଇବା ନିଷ୍ପତ୍ତି ଭାବିଚିନ୍ତି ନେବା ଉଚିତ୍ ।

ଏଣେ ଏସବୁ ଭିତରେ କୋଭିଡ୍ ଗାଇଡ୍ଲାଇନରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଏକ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ତେବେ ସ୍ଥିତି ଦେଖି ଆସନ୍ତା ୨ମାସ ଭିତରେ ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟର- ପୋଲସରାରୁ ଅକ୍ଷୟ ମହାରଣା, ଜୟପୁରରୁ ଟି.ଗୌରୀଶଙ୍କର ଓ କଟକରୁ ଗୌତମ ପଣ୍ଡା