ସ୍ମାର୍ଟ ସିଟିରେ ସ୍ମାର୍ଟ ଠକ, ପୋଲିସର ବଢୁଛି ଚିନ୍ତା

ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ ।

ସ୍ମାର୍ଟ ସିଟିରେ ସ୍ମାର୍ଟ ଠକ, ପୋଲିସର ବଢୁଛି ଚିନ୍ତା

 ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି ଠକ । ଭୁବନେଶ୍ୱର କମିଶନରେଟ୍ ପୋଲିସ ଅଞ୍ଚଳରେ ୪୨୦ ମାମଲାର ବାର୍ଷିକ ରେକର୍ଡରେ ରହିଛି ଏଭଳି ତାଜୁବ୍ କଲାଭଳି ତଥ୍ୟ । ଗତ ପ୍ରାୟ ବର୍ଷକ ଭିତରେ ପାଖାପାଖି ୮ଶହଟି ମାମଲା ସାମ୍ନାକୁ ଆସିଥିବାବେଳେ ୬୮ % ମାମଲାରେ ସ୍ମାର୍ଟସିଟିରେ ପୋଲିସର ବିଫଳତା ଚିନ୍ତା ବଢ଼ାଇଦେଇଛି ।

ସ୍ମାର୍ଟସିଟିରେ ସ୍ମାର୍ଟଠକଙ୍କ ମାୟାଜାଲ । ଚିତା କାଟୁଛନ୍ତି ମୋଟା ଅଙ୍କର । ଚୂନ ଲଗାଉଛନ୍ତି ଭଦ୍ର ବେଶରେ । ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଠକ । ଭୁବନେଶ୍ୱର କମିଶନରେଟ୍ ପୋଲିସରେ ବାର୍ଷିକ ଠକେଇ ମାମଲାର ରେକର୍ଡରେ ଚଳିତ ବର୍ଷର ୧୧ ମାସର ରିପୋର୍ଟ ଅନୁଯାୟୀ, ସ୍ମାର୍ଟସିଟିରେ ୭୯୧ ଜଣଙ୍କୁ ଠକେଇ କରି ଅପରାଧୀ ମାଲାମାଲ୍ ହୋଇଛନ୍ତି । ତାମଧ୍ୟରୁ ବଡ଼ଗଡ଼ ଥାନାରେ ସର୍ବାଧିକ ୯୧ଟି ମାମଲା ଥିବାବେଳେ, ଖଣ୍ଡଗିରିରେ ୭୯ଟି, ଚନ୍ଦ୍ରଶେଖରପୁରରେ ୬୧ଟି, କ୍ୟାପିଟାଲ୍ ଥାନାରେ ୫୫ଟି ଓ ଲକ୍ଷ୍ମୀସାଗରରେ ୫୪ଟି ମାମଲା ରୁଜୁ ହୋଇଛି । ତେବେ ମହିଳା ଥାନାରେ ସର୍ବନିମ୍ନ ୫ ଓ ବାଲିପାଟଣାରେ ୮ଟି କେସ୍ ରହିଛି । କିନ୍ତୁ ଚିନ୍ତାଜନକ ବିଷୟ ହେଉଛି, ଏହି ୧୧ ମାସରେ ୭୯୧ଟି ଠକେଇ ମାମଲାରୁ ମାତ୍ର ୨୫୪ଟି ମାମଲାରେ ପୋଲିସ ତଦନ୍ତ କରିପାରିଛି । ଅର୍ଥାତ ୬୮ % ମାମଲା ଏବେ ବି ତଦନ୍ତ ଅପେକ୍ଷାରେ ରହିଛି । ତେବେ ଏବେ ପ୍ରଶ୍ନ ଉଠୁଛି,  କାହିଁକି ନିର୍ଦ୍ଧାରିତ ସମୟ ଭିତରେ ସରିପାରୁନି ତଦନ୍ତ ?

ସବୁଠାରୁ ରୋଚକ କଥା ହେଉଛି, ଠକେଇ ମାମଲା ଗୁଡ଼ିକରେ ମହିଳାଙ୍କ ସଂପୃକ୍ତି ମଧ୍ୟ ରହୁଛି । ୭୯୧ଟି ମାମଲାରେ ପୁରୁଷ ଅଭିଯୁକ୍ତଙ୍କ ସଂଖ୍ୟା ୧୭୭ ଥିବାବେଳେ ମହିଳା ଙ୍କ ସଂଖ୍ୟା ୪ ରହିଛି । ବିଶେଷ କରି ଚାକିରି ସହ ଜମି, ଫ୍ଲାଟ୍, ଯାନବାହନ ଆଦି ବିକ୍ରି କ୍ଷେତ୍ରରେ କୋଟି କୋଟିର ଚଞ୍ଚକତା ହୋଇଥିବାର ଜଣାପଡିଛି ।

ରାଜଧାନୀର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଏଭଳି ମାଳ ମାଳ ଠକେଇକୁ ନେଇ ଆଇନଜୀବୀମାନେ ପୋଲିସର ଦୁର୍ବଳ ତଦନ୍ତ ଆଡ଼କୁ ଇଙ୍ଗିତ କରିଛନ୍ତି ।

ସେହିପରି ଗତ କିଛି ମାସ ତଳେ ଅବଶ୍ୟ ଠକ ଓ ଠକେଇକୁ ଚେକ୍ ଦେବା ପାଇଁ କମିଶନରେଟ୍ ପୋଲିସ ଆଣ୍ଟି ଫ୍ରଡ୍ ସେଲ୍ ଆରମ୍ଭ କରିଥିଲା । ଏହି ସେଲ୍ ଡିସେମ୍ବର ୨୧ ସୁଦ୍ଧା ୧୮୭ଟି ମାମଲାର ସମୀକ୍ଷା ସହ ୭୩ଟିର ତଦନ୍ତ ଶେଷ କରିବାରେ ସାହାଯ୍ୟ କରିଥିଲା । ତେବେ 420 ସହ ଉପରମୁହାଁ ହେଉଥିବା ଚୋରି, ସିନ୍ଧିଚୋରି ଆଦିକୁ ରୋକିବା ପାଇଁ ଆାଗକୁ କଡ଼ା ରଣନୀତି ରହିବ ବୋଲି ପୂର୍ବରୁ ଡିସିପି ଉମାଶଙ୍କର ଦାଶ କହିଥିଲେ ।

ରିପୋର୍ଟ -  ଆଲୋକ ମହାନ୍ତି