Train Tragedy: ୪ ଦିନ ପରେ ବି ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ, ଗୋଟିଏ ଶବକୁ ଏକାଧିକ ଦାବିଦାର

ଶେଷ ବିକଳ୍ପ ଭାବେ ଆରମ୍ଭ ହେଲା ଡିଏନ୍ଏ ମ୍ୟାଚିଂ । ଏମ୍ବେଲମିଂ ପ୍ରଣାଳୀରେ ଶବକୁ ଅଧିକ ଦିନ ସଂରକ୍ଷିତ ରଖିବାକୁ ଗୁରୁତ୍ୱ ।

Train Accident

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୪ ଦିନ ବିତିଲାଣି । ହେଲେ ମୃତଦେହ ଚିହ୍ନଟ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଅନେକ ମୃତ ଶରୀରକୁ ନା ଡାକ୍ତର ଚିହ୍ନି ପାରୁଛନ୍ତି ନା ସଂପର୍କୀୟ । କେଉଁ ମୃତଦେହ କାହାର ? କିଭଳି ମୃତ ଶରୀରକୁ ପାଇପାରିବେ ପରିବାର ଲୋକେ ? ଏଣୁ ମୃତଦେହ ଚିହ୍ନଟ ଲାଗି ଶେଷ ବିକଳ୍ପ ଭାବେ ଡିଏନ୍ଏ ଟେଷ୍ଟକୁ ଆପଣାଇଛି ପ୍ରଶାସନ ।

ଏବେ ବିଭିନ୍ନ ହସ୍ପିଟାଲରେ ପଡ଼ିରହିଛି ଅନେକ ମୃତଦେହ। ଏମିତିକି କିଛି କ୍ଷେତ୍ରରେ ଗୋଟିଏ ଗୋଟିଏ ମୃତଦେହ ଲାଗି ଏକାଧିକ ଦାବିବାର ବାହାରୁଛନ୍ତି । ସେଥିଲାଗି ଆରମ୍ଭ ହୋଇଛି ସଂପର୍କୀୟଙ୍କ ଡିଏନ୍ଏ ନମୁନା ସଂଗ୍ରହ । ସୋମବାର ୧୦ଟି ନମୁନା ସଂଗ୍ରହ ହୋଇଥିବା ବେଳେ ଆଜି ମଧ୍ୟ ଜାରି ରହିଛି ନମୁନା ସଂଗ୍ରହ।

ଏବେ ପ୍ରଶ୍ନ, କାହିଁକି ଆବଶ୍ୟକ ପଡ଼ିଲା ଡିଏନ୍ଏ ଟେଷ୍ଟ ? ଶରୀରର କେଉଁ ନମୁନା ନେଇ କରାଯିବ ଡିଏନ୍ଏ ପରୀକ୍ଷା ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଯେଉଁଠି ମୃତ ଶରୀର ଚିହ୍ନଟରେ ସମସ୍ୟା ହୋଇଥାଏ, ସେ କ୍ଷେତ୍ରରେ ଆବଶ୍ୟକ ପଡ଼େ ଡିଏନ୍ଏ ଟେଷ୍ଟ । ଶରୀରର ନଖଠୁ ବାଳ ପର୍ଯ୍ୟନ୍ତ ଯେକୌଣସି ଅଂଶରୁ ଟିସୁ ନମୁନା ନେଇ ଡିଏନ୍ଏ ଟେଷ୍ଟ ହୋଇପାରିବ । ଡିଏନ୍ଏ ଟେଷ୍ଟ ହିଁ ଏକମାତ୍ର ବ୍ୟବସ୍ଥା ଯାହା ଜରିଆରେ ବ୍ୟକ୍ତିଙ୍କୁ ୧୦୦ ପ୍ରତିଶତ ପ୍ରମାଣିତ କରାଯାଇପାରିବ ।

ତେଣୁ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଚିହ୍ନଟ ହୋଇପାରୁ ନ ଥିବା ମୃତ ବ୍ୟକ୍ତିଙ୍କ ବ୍ୟକ୍ତିଙ୍କ ଡିଏନ୍ଏ ସହ ପରିବାର ସଦସ୍ୟଙ୍କ ଡିଏନ୍ଏ ମ୍ୟାଚ୍ ହେବାର ଆବଶ୍ୟକତା ରହିଛି ।

ଅପରପକ୍ଷରେ ମୃତ ଶରୀରକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ଭୁବନେଶ୍ୱର AIIMS ଆପଣାଇଛି ଏମ୍ବେଲବିଂ ଓ ଫେସ୍ ରେକଗ୍ନିସନ୍ ଭଳି ବୈଜ୍ଞାନିକ ପଦ୍ଧତି । ଏମ୍ବେଲବିଂ ପଦ୍ଧତିରେ ମୃତ ଶରୀରରୁ ଜଳୀୟ ଅଂଶକୁ ବାହାର କରାଯାଇ ଏହାକୁ ଅଧିକ ଦିନ ସଂରକ୍ଷଣ ରଖିବାକୁ ବ୍ୟବସ୍ଥା କରାଯାଇଛି । ଖାଲି ସେତିକି ନୁହେଁ, ଏମ୍ବେଲବିଂ ପରେ ଡେଡ୍ ବଡ଼ିକୁ ଅଧିକ ଦିନ ସଂରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର କଣ୍ଟେନରରେ ରଖାଯାଇଛି।