ଆସନ୍ତାକାଲିଠୁ ପୁଣି ଚାଷୀଙ୍କୁ ବର୍ଷା ଭୟ । ଶନିବାର ଏବଂ ରବିବାର ଦୁଇ ଦିନ ଧରି ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୋସିଆଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ଏବଂ ୨୯ ତାରିଖରେ ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି ।
ଅନ୍ୟପଟେ ପ୍ରଥମେ ଲଘୁଚାପ ବର୍ଷା ଆଉ ଏବେ ହାତୀ ଉପଦ୍ରବ । ଏହାରି ଭିତରେ ଚାଷୀର ଯେମିତି ମେରୁଦଣ୍ଡ ଭାଙ୍ଗି ଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତର ଏକାଧିକ ଗ୍ରାମରେ ଅମଳ ଧାନ ନଷ୍ଟ । ଶହ ଶହ ଚାଷୀଙ୍କ ଖଳାରୁ ଅମଳ ହୋଇଥିବା କଳେଇ ଖାଇ ଦେଉଛନ୍ତି ହାତୀ ।
Also Read
ବନ ବିଭାଗ ହାତୀପଲ ଘଉଡାଇବା ଦିଗରେ ପଦକ୍ଷେପ ନେଉ ନଥିବାରୁ ସେମାନଙ୍କ ଜୀବିକା ସହିତ ଜୀବନ ମଧ୍ୟ ବିପଦରେ ଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସାନଖେମୁଣ୍ଡି ଚାଷୀ ବେଶ ପ୍ରଭାବିତ । ଧାନ ଫସଲ ସମେତ ମୁଗ, ବିରି ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।
ଏବେ ବି ବିଲରେ ଚାଲିଛି ବର୍ଷା ପାଣି । କୋଇଡାରେ ବି ଅବସ୍ଥା ସାଂଘାତିକ୍ । ଲଘୁଚାପ ବର୍ଷା ପରେ କୋଇଡା ଅଞ୍ଚଳକୁ ଫେରିଲା ଘନ କୁହୁଡି ସାଙ୍ଗକୁ ଶୀତ । ଲଗାତାର ଗୋଟିଏ ସପ୍ତାହ ବର୍ଷାର ପ୍ରଭାବ କୋଇଡା ଅଞ୍ଚଳରେ ଦେଖା ଦେଇଥିବା ବେଳେ ଆଜି ସକାଳୁ ଖଣି ଅଞ୍ଚଳ କୋଇଡାକୁ ସମ୍ପୂର୍ଣ୍ଣ ଘନ କୁହୁଡି ଢାଙ୍କି ରଖିଛି । ସ୍ଥିତି ଏପରି ଯେ ରାସ୍ତାର ୩୦ ମିଟର ଆଗକୁ ଦୃଶ୍ୟମାନ ହେବା ଅସମ୍ଭବ ହୋଇପଡିଛି ।
ଅଧିକ ପଢ଼ନ୍ତୁ: ଆଜିଠୁ ବଦଳିବ ପାଗ, କମିବ ବର୍ଷା ବଢ଼ିବ କୁହୁଡି; ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...
ପ୍ରବଳ କୁହୁଡି ଯୋଗୁଁ ରାସ୍ତାରେ ଯିବା ଆସିବା କରୁଥିବା ମୋଟର ଯାନ ଗୁଡ଼ିକ ପାର୍କ ଲାଇଟ୍ ଏବଂ ଲାଇଟ୍ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି । ଫଳରେ ପଥଚାରୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେପଟେ ବଲାଙ୍ଗିର ସଦରମହକୁମା ସଦେଇପାଲି ଗାଁର ଥିବା ଧାନମଣ୍ଡିର ଅବସ୍ଥା କହିଲେ ନସରେ । ନା ଅଫିସ ଅଛି ନା ଗୋଦାମ ଅଛି । ଖୋଲା ଆକାଶ ତଳେ ଚାଲିଛି ଧାନ କିଣାବିକା କାରବାର । ଚାଷୀର ବସ୍ତା ବସ୍ତା ଧାନ ମଧ୍ୟ ଖୋଲା ଆକାଶ ତଳେ ପଡ଼ିଛି ।
ସହର ପାଖରେ ଥିବାରୁ ନେତା, ମନ୍ତ୍ରୀ ଓ ଅଫିସର ଏହି ମଣ୍ଡିକୁ ଘନ ଘନ ଗସ୍ତ କରୁଛନ୍ତି । କିନ୍ତୁ ଠିକଠାକ ଉଠିପାରୁନି ଚାଷୀର ଧାନ । ଏବେ ଅଦିନିଆ ବର୍ଷା ଯୋଗୁଁ, ବାହାରେ ପଡିରହିଥିବା ବସ୍ତା ବସ୍ତା ଧାନ ଭିଜିବାରେ ଲାଗିଛି । ପଲିଥିନ ଢାଙ୍କି ଚାଷୀ ଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରି ବିଫଳ ହେଉଛି ।
ଚାଷୀଙ୍କ କହିବା କଥା ହେଉଛି, ଧାନ ବର୍ଷାରେ ଭିଜିଥିବାରୁ ଆମେ FAQ ମାନର ଧାନ ଦେଇପାରିବୁ ନାହିଁ । ଫଳରେ କଟନି ଛଟନି ହେବ ଏବଂ ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଇବେ ନାହିଁ । ଏ ଦିଗରେ ସରକାର ଦୃଷ୍ଟି ଦେବା ସହ ଧାନଖଳାରେ ପଡ଼ିଥିବା ଧାନକୁ ମିଲର୍ସମାନେ ତୁରନ୍ତ ଉଠାଇବାକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ । ନହେଲେ ଚାଷୀମାନେ କ୍ଷତିରେ ପଡ଼ିବେ ।
ସାରା ଜିଲ୍ଳାରେ ୧୭୬ ଟି ଧାନ ମଣ୍ଡିରେ ଧାନ କିଣାବିକା ପ୍ରକ୍ରିୟା ଜାରି ରହିଛି । ସେଥିରୁ ଅଧିକାଂଶ ମଣ୍ଡିରେ ଗୋଦାମ ନାହିଁ । ଭିତ୍ତିଭୂମିର ଅଭାବ ଯୋଗୁଁ, ଖୋଲା ଆକାଶ ତଳେ ଗଦା ହୋଇଛି ଧାନ । ଅଦିନିଆ ବର୍ଷା ଯୋଗୁଁ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ ଶୀଘ୍ର ଚାଷୀଙ୍କ ଧାନକୁ ମିଲର୍ସ ମାନେ ଉଠାଇବା ପାଇଁ ଦାବୀ କରିଛନ୍ତି ଚାଷୀ । ଅନ୍ୟପଟେ ପଲିଥିନ ଢାଙ୍କି ଚାଷୀର ଧାନକୁ ସୁରକ୍ଷିତ ରଖିବା ପାଇଁ ମଣ୍ଡି ମାନଙ୍କୁ ନିର୍ଦ୍ଦେଶ ଦେଇଛି ଜିଲ୍ଳା ପ୍ରଶାସନ । ସମସ୍ତ ତହସିଲଦାର ମାନଙ୍କୁ ଚାଷୀଙ୍କ କ୍ଷୟକ୍ଷତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଳାପାଳ ।