Advertisment

Cyclone Dana:ବହିଲା ଅଣଚାଷ ପବନ; ୧୬ ଜିଲ୍ଲାକୁ ଘାରିଲା ଫ୍ଲାସଫ୍ଲଡ୍ ଆଶଙ୍କା

ପାଣିପାଗ ବିଭାଗର କହିବା କଥା, ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ।

ଅଦ୍ୟତନ ହୋଇଛି
Flood Risks

Flood Risks

Advertisment

ବାତ୍ୟା ଜନିତ ଏବଂ ତା’ପରବର୍ତ୍ତୀ ବର୍ଷାରେ ୧୬ ଜିଲ୍ଲାକୁ ଏବେ ଦେଖାଦେଇଛି ଫ୍ଲାସ୍ ଫ୍ଲଡ ଆଶଙ୍କା। ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଆଇଏମଡି ପକ୍ଷରୁ ଏନେଇ ଦିଆଯାଇଛି ସୂଚନା। 

Advertisment

ପାଣିପାଗ ବିଭାଗର କହିବା କଥା, ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। ତେଣୁ କୁହାଯାଉଛି, ଉତ୍ତର ଓ ଉପକୂଳ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ପ୍ରମୁଖ ନଦୀ, ଯେମିତିକି ବୁଢାବଳଙ୍ଗ, ସାଳନ୍ଦୀ, ଜଳକା, ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ଆଦି ଫୁଲିବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଲେ ଶିମିଳିପାଳରୁ ପାଣି ଆସି ବୁଢାବଳଙ୍ଗ ନଦୀରେ ପଶିବ।

ଅନ୍ୟପକ୍ଷରେ ବାତ୍ୟା ପ୍ରକୋପରେ ଜୁଆର ଉଠିବା ଯୋଗୁଁ, ନଦୀ ବାଟେ ପ୍ରାୟ ୧ କିଲୋମିଟରରୁ ୩ କିଲୋମିଟର ଯାଏଁ ଲୁଣାପାଣି ପଶିଆସିବ। ଆଉ ଏଥିଯୋଗୁଁ ବଙ୍ଗୋପସାଗରରେ ମିଶୁଥିବା ଅଧିକାଂଶ ନଦୀର ପାଣି ଶୀଘ୍ର ସମୁଦ୍ରକୁ ଯାଇପାରିବ ନାହିଁ। ଫଳରେ ବନ୍ୟା ପାଣି ଗାଁ ଗଣ୍ଡାରେ ପଶିବା ଆଶଙ୍କା ଉପୁଜିଛି। 

Advertisment

ଏପଟେ ବହିଲା ଅଣଚାଷ ପବନ, ଟଳିପଡ଼ିଲା ଗଛଲତା। ଭାଙ୍ଗିଲା ଚାଳ ଛପର ଘର। ମଧ୍ୟରାତ୍ରରୁ ତାଣ୍ଡବ ରଚିଥିବା ବାତ୍ୟା ଦାନା ବହୁ ଅଞ୍ଚଳରେ ନିଜର ତାଉ ଦେଖାଇଛି। ଏବେ ଶେଷ ପର୍ଯ୍ୟାୟରେ ରହିଛି ଭୀଷଣ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ରାତି ପ୍ରାୟ ୧୨ଟା ୫ ମିନିଟରୁ ସ୍ଥଳଭାଗ ଛୁଇଁବା ପରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍। 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଦାନା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିଲା। ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। 

Advertisment

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ା ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ସହ ଘରର ଆଜବେଷ୍ଟସ ଉଡ଼ିଯାଇଛି। ଆଉ କେଉଁଠି ରାସ୍ତା ଉପରେ ଟଳିପଡ଼ିଛି ଗଛଲତା। 

ଏପରିକି ଝଡ଼ ବର୍ଷାବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବନ୍ୟଜନ୍ତୁ। ରାତି ତମାମ କ୍ୟାମେରାରେ କଏଦ୍ ହୋଇଥିଲା ବାତ୍ୟା ପ୍ରଭାବର ଚିତ୍ର। ଏବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି। 

Flood Cyclone Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ