କାହିଁକି ଫେଲ୍ ମାରିଥିଲା ‘ଚନ୍ଦ୍ରୟାନ-୨’ର ସଫ୍ଟଲ୍ୟାଣ୍ଡିଂ ? କେଉଁଠି ରହିଲା ଭୁଲ୍ ?

୨୦୧୯ ମସିହା ଜୁଲାଇ ୨୨, ଉତ୍‌କ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୨। ଜହ୍ନ ଅଭିମୁଖେ ଯାଇଥିଲା ଲ୍ୟାଣ୍ଡର ବିକ୍ରମ, ରୋଭର୍ ପ୍ରଜ୍ଞାନ ଏବଂ ଅର୍ବିଟର ମଡ୍ୟୁଲ୍। ତେବେ ସେପ୍ଟେମ୍ବର ୭ରେ ସଫଳ ହୋଇପାରିନଥିଲା ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା।

Chandrayaan-2

କାହିଁକି ଫେଲ୍ ମାରିଥିଲା ଇସ୍ରୋର ଚନ୍ଦ୍ରୟାନ-୨ର ସଫ୍ଟଲ୍ୟାଣ୍ଡିଂ ? କେଉଁଠି ଥିଲା ତ୍ରୁଟି। ୪ ବର୍ଷ ପୂର୍ବେ ଫେଲ୍ ମାରିଥିଲା ଚନ୍ଦ୍ରୟାନ-୨ ସଫ୍ଟଲ୍ୟାଣ୍ଡିଂ। ଭାରତର ଦ୍ୱିତୀୟ ମୁନ୍ ମିଶନରେ କେଉଁଠି ରହିଲା ଭୁଲ୍ ? ତୃତୀୟ ଚନ୍ଦ୍ର ଅଭିଯାନରେ ଇସ୍ରୋ ସୁଧାରିଛି କେଉଁସବୁ ତ୍ରୁଟି ?

୨୦୧୯ ମସିହା ଜୁଲାଇ ୨୨, ଉତ୍‌କ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୨। ଜହ୍ନ ଅଭିମୁଖେ ଯାଇଥିଲା ଲ୍ୟାଣ୍ଡର ବିକ୍ରମ, ରୋଭର୍ ପ୍ରଜ୍ଞାନ ଏବଂ ଅର୍ବିଟର ମଡ୍ୟୁଲ୍। ତେବେ ସେପ୍ଟେମ୍ବର ୭ରେ ସଫଳ ହୋଇପାରିନଥିଲା ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା। ଏହାର ଅର୍ବିଟର ନିଜ କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର୍‌ ସହ ଶେଷ ମୁହୂର୍ତ୍ତରେ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଚନ୍ଦ୍ରପୃଷ୍ଠରେ କ୍ରାଶ୍‌ଲ୍ୟାଣ୍ଡିଂ କରି ନଷ୍ଟ ହୋଇଯାଇଥିଲା ବିକ୍ରମ ଓ ପ୍ରଜ୍ଞାନ।

ସୂଚନା ମିଳିଛି ଯେ, ଫାଇନ୍ ବ୍ରେକିଂ ଫେଜରେ ଲ୍ୟାଣ୍ଡର୍‌ ବିକ୍ରମର ବ୍ରେକିଂ ସିଷ୍ଟମରେ ସମସ୍ୟା ଯୋଗୁ ଏଭଳି ଅଘଟଣ ଘଟିଲା। ଚନ୍ଦ୍ରପୃଷ୍ଠରୁ ୨ କିଲୋମିଟର ଉଚ୍ଚତାରେ ଥିବାବେଳେ, ନିର୍ଦ୍ଧାରିତ ଗତିପଥରୁ ବିଚ୍ୟୁତ ହୋଇଥିଲା ଲ୍ୟାଣ୍ଡର୍। ସେତେବେଳେ ନିର୍ଦ୍ଧାରିତ ଲ୍ୟାଣ୍ଡିଂ ସାଇଟ୍‌ ଠାରୁ ଲ୍ୟାଣ୍ଡର୍‌ର ଦୂରତା ଆହୁରି ୧ କିଲୋମିଟର ଥିଲା। ଚନ୍ଦ୍ରପୃଷ୍ଠରୁ ୪ଶହ ମିଟର ଉଚ୍ଚତାରେ ଥିବାବେଳେ, ଲ୍ୟାଣ୍ଡରର ବେଗ ପ୍ରାୟ ଶୂନ ହୋଇଯିବା କଥା ଏବଂ ତାହା ସିଧା ତଳକୁ ଓହ୍ଲାଇବା କଥା । ହେଲେ ଆବଶ୍ୟକତା ଠାରୁ ଏହା ଯଥେଷ୍ଟ ଅଧିକ ବେଗରେ ଗତି କରୁଥିବାରୁ ଏହା କ୍ରାଶ୍ ଲ୍ୟାଣ୍ଡିଂ କରିଥିଲା ।

ଅଧିକ ପଢ଼ନ୍ତୁ: କିଭଳି ହେବ ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ ? ଜାଣନ୍ତୁ, ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରକ୍ରିୟା...

ଚନ୍ଦ୍ରୟାନ-୨ର ପ୍ରାଥମିକ ତ୍ରୁଟି ଭାବେ ଜଣାପଡ଼ିଛି ଯେ, ସଫ୍ଟଲ୍ୟାଣ୍ଡିଂ ବେଳେ ଲ୍ୟାଣ୍ଡର୍‌ର ବେଗ କମାଇବା ପାଇଁ ସକ୍ରିୟ ହୋଇଥିବା ୫ଟି ଇଞ୍ଜିନରୁ ଆଶାଠୁ ଅଧିକ ଥ୍ରଷ୍ଟ୍ ମିଳିଥିଲା। ଫଳରେ ଏରର୍ ବା ବୈଷୟିତ ତ୍ରୁଟି ଏକାଠି ହେବା ଆରମ୍ଭ ହୋଇଯାଇଥିଲା। ଲ୍ୟାଣ୍ଡର୍‌ର ଯେତେ ପରିମାଣର ଏରର୍ ସୁଧାରିବା ପାଇଁ ବ୍ୟବସ୍ଥା ରଖାଯାଇଥିଲା, ତାଠୁ ଅଧିକ ଏରର୍ ଦେଖାଦେବାରୁ କ୍ୟାମେରା କଷ୍ଟିଂ ଫେଜରେ ଲ୍ୟାଣ୍ଡର୍‌ ନିଜର ଭାରସାମ୍ୟ ହରାଇଥିଲା।

ଆବଶ୍ୟକତା ଅନୁରୂପ ଦ୍ରୁତ ଗତିରେ ଲ୍ୟାଣ୍ଡର୍‌ ନିଜର ଦିଗ ବଦଳାଇପାରିନଥିଲା । କେବଳ ଏତିକି ନୁହେଁ, ସେତେବେଳେ ଚନ୍ଦ୍ରୟାନର ଲ୍ୟାଣ୍ଡିଂ ସାଇଟର ଆକାର ମାତ୍ର ୫ ଶହ ମିଟର ଲମ୍ବ ଓ ୫ ଶହ ମିଟର ଓସାର ଥିଲା। ହେଲେ ଏଥର ଯେପରି ସେହିଭଳି ତ୍ରୁଟି ବା ସମସ୍ୟା ନଉପୁଜେ, ସେଥିପାଇଁ ଚନ୍ଦ୍ରୟାନ-୩କୁ ସମ୍ପୂର୍ଣ୍ଣ ଅଟୋମେଟିକ ଭାବେ କାର୍ଯ୍ୟ କରିବା ପାଇଁ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି। 

ଏହା ଯେକୌଣସି ତ୍ରୁଟିର ତତ୍କାଳ ସମାଧାନ ନିଜେ ହିଁ କରିପାରିବ। ଲ୍ୟାଣ୍ଡିଂ ସାଇଟ୍‌ରେ ସମସ୍ୟା ଥିଲେ, ନିଜେ ଉପଯୁକ୍ତ ଲ୍ୟାଣ୍ଡିଂ ସାଇଟ୍ ବା ଅବତରଣ ସ୍ଥଳ ଖୋଜିପାରିବ। ଏହାର ଗୋଡ଼ ଗୁଡ଼ିକୁ ଅଧିକ ମଜବୁତ କରାଯାଇଛି। ଏଥିସହ ଲ୍ୟାଣ୍ଡିଂ ସାଇଟ୍‌ର ଆକାରକୁ ବଢ଼ାଯାଇ ଏହାର ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରଖାଯାଇଛି ।