ଗୁଇନ୍ଦା ବିଭାଗ ଫେଲ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘରେ ପଶି ଅଣ୍ଡା ମାଡ଼ କଲା ଛାତ୍ର କଂଗ୍ରେସ

କିଛି ସମୟ ପାଇଁ ଫରେଷ୍ଟ ପାର୍କ ଅଞ୍ଚଳ ପାଲଟି ଯାଇଥିଲା ରଣକ୍ଷେତ୍ର।

Congress

ପୋଲିସକୁ ଚକମା, ଫେଲ୍ ମାରିଲା ଇଣ୍ଟେଲିଜେନ୍ସ। ଖୋଦ୍ ଗୃହମନ୍ତ୍ରୀଙ୍କ ଘରେ ପଶି ଅଣ୍ଡା ମାଡ଼ କଲା ଛାତ୍ର କଂଗ୍ରେସ। ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଆଜି ରାଜଧାନୀରେ ବଡ଼ ଧରଣର ପ୍ରତିବାଦ। ଆନ୍ଦୋଳନ କରିଛି ଛାତ୍ର କଂଗ୍ରେସ। ସମୟ ପାଖାପାଖି ଦିନ ଦୁଇଟା। ଆନ୍ଦୋଳନ ପାଇଁ ପୂର୍ବରୁ ଯୋଜନା କରିଥିବା ଛାତ୍ର କଂଗ୍ରେସର ଶତାଧିକ କର୍ମୀ ହଠାତ କଂଗ୍ରେସ ଭବନରୁ ବାହାରି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଆଡକୁ ମୁହାଁଇଥିଲେ।

ଏପଟେ ଏ ଅଚାନକ ରାଲି ସମ୍ପର୍କରେ ଟେର୍ ପାଇନଥିଲା କମିଶନରେଟ୍ ପୋଲିସ୍। ଛାତ୍ରକଂଗ୍ରେସ ଛାମୁଆ କର୍ମୀମାନେ ସିଧା ଗୃହମନ୍ତ୍ରୀଙ୍କ ଘରେ ଆଗରେ ଅଣ୍ଡା ମାଡ଼ କରିଥିଲେ। ଆନ୍ଦୋଳନ ସମ୍ପର୍କରେ ପୋଲିସ ପାଖରେ ଆଗୁଆ ସୂଚନା ନଥିବାରୁ ଅନାୟାସରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ଭିତରକୁ ପଶିବାକୁ ସଫଳ ହୋଇଥିଲେ ଆନ୍ଦୋଳନକାରୀ ଛାତ୍ର। ତେବେ ଫୋର୍ସଙ୍କ ଉପସ୍ଥିତି ବିନା ଘଟଣାସ୍ଥଳରେ ପହଞ୍ଚିଥିଲେ ଭୁବନେଶ୍ୱର ଡିସିପି। ଆନ୍ଦୋଳନକାରୀଙ୍କୁ ବାଧା ଦେବାକୁ ଡିସିପି ନିଜେ ନାକେଦମ ହୋଇଥିବା ଦେଖିବାକୁ ମିଳିଥିଲା। ଏହାର କିଛି ସମୟ ପରେ ଫୋର୍ସ ପହଞ୍ଚିବାରୁ ବିକ୍ଷୋଭକାରୀଙ୍କୁ ଘଉଡ଼ାଇଥିଲା।

ଏହା ପୂର୍ବରୁ ଆଜି ଦିନ ପ୍ରାୟ ୧୨ଟା ବେଳେ ନବୀନ ନିବାସ ଘେରାଉ କରିବାକୁ ଯାଇଥିଲା ଛାତ୍ର କଂଗ୍ରେସ। ଏଥିରେ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଶିବାନନ୍ଦ ରାୟ ପ୍ରମୁଖ ବି ସାମିଲ ହୋଇଥିଲେ। ଫରେଷ୍ଟ ପାର୍କ ଅଞ୍ଚଳରୁ ହଜାର ହଜାର ଛାତ୍ର ନେତାଙ୍କୁ ନେଇ ରାଲି ବାହାରିଥିଲା ନବୀନ ନିବାସ ଅଭିମୁଖେ। ହେଲେ ପୋଲିସ୍ ବାଟ ଓଗାଳିବାରୁ ଆରମ୍ଭ ହୋଇଯାଇଥିଲା ପୋଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ। ପୋଲିସ୍ ସହ ପ୍ରାୟ ୩୦ ମିନିଟ ଧରି ଚାଲିଥିଲା ଧସ୍ତାଧସ୍ତି। 

କିଛି ସମୟ ପାଇଁ ଫରେଷ୍ଟ ପାର୍କ ଅଞ୍ଚଳ ପାଲଟି ଯାଇଥିଲା ରଣକ୍ଷେତ୍ର। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା ପୋଲିସ୍। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାଶଙ୍କୁ ବହିଷ୍କାର ସହ ତଦନ୍ତ ପରିସରଭୁକ୍ତ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛି କଂଗ୍ରେସ। ସେପଟେ କଂଗ୍ରେସର ଏ ଆନ୍ଦୋଳନ ନେଇ ବିଜେପି ପ୍ରତିକ୍ରିୟା ରଖିଥିବା ବେଳେ ସରକାରୀ ଦଳ ନେତା ନେତାଙ୍କ ପ୍ରତିକ୍ରିୟା ମିଳିପାରିନି।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବରୁ ମନ୍ତ୍ରୀ ସମୀର ଦାଶଙ୍କ ଘର ଉପରେ ଅଣ୍ଡା ମାଡ଼ କରିଥିଲା ଛାତ୍ର କଂଗ୍ରେସ। ଆଜି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପସିବା ଓ ନବୀନ ନିବାସ ଘେରାଉ ଉଦ୍ୟମ ଏ ପ୍ରସଙ୍ଗକୁ ପୁଣି ତାଜା କରିଛି।

(ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ ଜଗଦୀଶ ଦାସଙ୍କ ରିପୋର୍ଟ)