ରାଜ୍ୟସଭାରେ ୫୦ % ସଂରକ୍ଷଣ କଥା ଉଠାଇ ଅଡ଼ୁଆରେ ଶଙ୍ଖ ଦଳ

କଂଗ୍ରେସ କହିଛି ବିଜେଡିର ଯଦି ଆନ୍ତରିକତା ଅଛି, ସଂସଦର ସାଂପ୍ରତିକ ସ୍ଥିତିର ଫାଇଦା ନେଉ।  ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ ପାଇଁ ପ୍ରତିଶ୍ରୁତି  ନମିଳିଲେ ବିଜେପି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁ।

ବିଜେଡିର ମହିଳା ସଂରକ୍ଷଣ ବିଲ ଦାବି କେବଳ କୁମ୍ଭୀର କାନ୍ଦଣା କି ?

ବିଜେଡିର ମହିଳା ସଂରକ୍ଷଣ ବିଲ ଦାବୀ କେବଳ କୁମ୍ଭୀର କାନ୍ଦଣା କି ? କେବଳ ୨୪ ନିର୍ବାଚନ ବୈତରଣୀ ପାର ହେବାକୁ ମହିଳା କାର୍ଡ ଖେଳୁଛନ୍ତି କି ନବୀନ ?  ବିଲ ଆଣିବାକୁ ରାଜ୍ୟସଭାରେ ପୁଣି ଥରେ ବିଜେଡିର ଜୋରଦାର ଦାବିକୁ ନେଇ ଘେରିଲେ ବିରୋଧୀ। କଂଗ୍ରେସର ଯୁକ୍ତି ଯଦି ଆନ୍ତରିକତା ଅଛି, ତାହେଲେ ବିଲ ପାଇଁ କେନ୍ଦ୍ର ସରକାର ସହଯୋଗ ନକଲେ ରାଜ୍ୟସଭାରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁ ବିଜେଡି। ଏପଟେ ସଂରକ୍ଷଣକୁ ନେଇ ବିଜେଡି କୋର୍ଟକୁ ବଲ ଫିଙ୍ଗିଛି ବିଜେପି।  ବିଜେଡି କହିଛି ବିଲ ପାସ ନହେଲେ ବି ଆମେ ଦଳୀୟ ଭିତ୍ତିରେ ସଂରକ୍ଷଣ ଦେବୁ।

ରାଜ୍ୟରେ ମହିଳା ଭୋଟ ହାତେଇବାକୁ ଜାତୀୟ ରାଜନୀତିରେ ବିଜେଡି ଖେଳିଲା ମହିଳା କାର୍ଡ। ସ୍ପେସାଲ ମୋଶନ ଆଣି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ପାଇଁ ଦାବି ଉଠାଇଲା ବିଜେଡି। ସୁପ୍ରିମୋଙ୍କ ନିର୍ଦ୍ଦେଶରେ ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷଣ ଦାବିକୁ ଶାଣିତ କଲେ ସାଂସଦ ସସ୍ମିତ ପାତ୍ର। ହେଲେ ପୁଣି ଥରେ ମହିଳା କାର୍ଡ ଖେଳିବାକୁ ବିଜେଡିର ଏ ଉଦ୍ୟମକୁ ନେଇ ଘେରିଛନ୍ତି ବିରୋଧୀ  ବିଜେପି ଓ କଂଗ୍ରେସ।

କଂଗ୍ରେସ କହିଛି ବିଜେଡିର ଯଦି ଆନ୍ତରିକତା ଅଛି, ସଂସଦର ସାଂପ୍ରତିକ ସ୍ଥିତିର ଫାଇଦା ନେଉ।  ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ ପାଇଁ ପ୍ରତିଶ୍ରୁତି 

ନମିଳିଲେ ବିଜେପି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁ। ସେପଟେ ଏହି ପ୍ରସଙ୍ଗରେ ବିଜେଡି କୋର୍ଟକୁ ବଲ୍ ଫିଙ୍ଗି ବିଜେପି କହିଛି, ରାଜ୍ୟ ସରକାର ପ୍ରଥମେ କ୍ୟାବିନେଟରେ ପାସ କରନ୍ତୁ। ଏହା ସହ ଦଳୀୟ ଭିତ୍ତିରେ ସଂରକ୍ଷଣ କଥା କହି ବି, କାହିଁକି ଗତ ବିଧାନସଭାରେ ବିଜେଡି 33 ପ୍ରତିଶତ ସଂରକ୍ଷଣ ଦେଲାନି ତାର ଉତ୍ତର ରଖିବାକୁ କହିଛି।

ଜବାବରେ ବିଜେଡି କହିଛି ଗତ ଲୋକସଭା ସହ ଚଳିତ ପଞ୍ଚାୟତ ନିର୍ବାଚନରେ ଦଳୀୟ ଭିତ୍ତିରେ ସଂରକ୍ଷଣ ଦେଇ ରେକର୍ଡ କରିଛନ୍ତି ନବୀନ। ଏହା ସହ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନାସ୍ଥା ପ୍ରସ୍ତାବ ନେଇ ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି କହିଛି ଶାସକ ଦଳ। ଚର୍ଚ୍ଚା ହେଉଛି ସରକାର ବିରୋଧୀ ହାୱା ସହ ବଢୁଥିବା ଗୋଷ୍ଠୀ କନ୍ଦଳକୁ କାଉଣ୍ଟର କରିବାକୁ ବିଜେଡି ପାଖରେ ମହିଳା କାର୍ଡ ହିଁ ଶେଷ ଅସ୍ତ୍ର !

ସେଥିପାଇଁ ଏହି ପ୍ରସଙ୍ଗକୁ ୨୦୧୯ ଭଳି ପୁଣିଥରେ ୨୪ରେ ଜୋରସୋରରେ ଉଠାଇବାକୁ ଦଳ ସ୍ଥିର କରିଛି। ଏନେଇ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀରେ ମଧ୍ୟ ଆଲୋଚନା ହୋଇଥିଲା। ୨୦୧୯ରେ ବିଜେଡି କେବଳ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିବା ବେଳେ  ବିଧାନସଭା କ୍ଷେତ୍ରରେ କିନ୍ତୁ ଏହାକୁ ଲାଗୁ କରିନଥିଲା । ଆଉ ଯଦି ୨୪ରେ ଦଳୀୟ ଭିତ୍ତିରେ ୩୩ ପ୍ରତିଶତ ସଂରକ୍ଷଣ ଦିଏ ତାହେଲେ ବିଧାନସଭାରେ ୧୪୭ ସିଟରୁ ୪୯ ଜଣ ମହିଳାଙ୍କ ପାଇଁ ଦଳକୁ ଟିକେଟ୍ ଦେବାକୁ ହେବ। ତେଣୁ ରାଜନୈତିକ ସମୀକ୍ଷକଙ୍କ ମତରେ ଏହାଦ୍ବାରା ବିଜେଡିରେ ଆହୁରି ବଢିବ ନେତୃତ୍ବ 
ବିରୋଧୀ ଅସନ୍ତୋଷ। ଏବେଠୁ ଆଶାୟୀ ପ୍ରାର୍ଥୀମାନେ ବି ଏ ନିଷ୍ପତ୍ତିକୁ ନେଇ ଚିନ୍ତାରେ ପଡିଲେଣି।

ଗୋଟେ ପଟେ ରାଜ୍ୟ ରାଜନୀତିରେ ମହିଳା ବିରୋଧୀ ଅପରାଧକୁ ବିରୋଧୀ ସରକାରଙ୍କ ବିରୋଧରେ ମୁଖ୍ୟ ମୁଦ୍ଦା କରିଥିବେ ବେଳେ ବିଜେଡି ଏହାକୁ କାଉଣ୍ଟର କରିବାକୁ ସଂରକ୍ଷଣ ସ୍ବରକୁ ଶାଣିତ କରିଛି। ଏଭଳି ସ୍ଥିତିରେ ବିଜେଡି ପାଇଁ ମହିଳା କାର୍ଡ କେତେ କାମ ଦେବ। ୨୪ ନିର୍ବାଚନ ପୂର୍ବରୁ ଏହି ବିଲର ଭାଗ୍ୟ କଣ ହେଉଛି ତା ଉପରେ ନଜର।