ଆଉ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟରେ ପୃଥକ ଭାବେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବନି। ସାରା ଦେଶରେ ଏଣିକି ଗୋଟିଏ ସମୟରେ ନିର୍ବାଚନ ହେବ। ଏକ ରାଷ୍ଟ୍ର ଏକ ନିର୍ବାଚନ’ର ଅର୍ଥ ହେଉଛି ସମସ୍ତ ଭାରତୀୟ ଭୋଟର୍ ଗୋଟିଏ ବର୍ଷରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରତିନିଧି ବାଛିବା ପାଇଁ ମତଦାନ କରିବେ। ସମାନ ସମୟରେ ନହେଲେ ବି ଗୋଟିଏ ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ସବୁ ରାଜ୍ୟରେ ଏକ ସଙ୍ଗରେ ନିର୍ବାଚନ ହେବ। ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିବା ପରେ ଏଥିପାଇଁ ପଥ ପରିଷ୍କାର ହୋଇଛି। ଆଗାମୀ ୫ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ସମୟରେ ଏହାକୁ ଲାଗୁ କରାଯିବ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପଦ୍ଧତି ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ।
ସାରା ଦେଶରେ ଏକସମୟରେ ନିର୍ବାଚନ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ୨୦୨୩ ସେପ୍ଟେମ୍ବର ୨ରେ ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଗତ ମାର୍ଚ୍ଚ ମାସରେ କମିଟି ୧୮ ହଜାର ୬୨୬ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଥିଲେ, ଯାହାକୁ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି। ୨୦୨୩ ସେପ୍ଟେମ୍ବର ୨ରେ କମିଟି ଗଠନ ହେବା ପରଠାରୁ ୧୯୧ ଦିନର ଗବେଷଣା କାର୍ଯ୍ୟ ଏବଂ ବିଭିନ୍ନ ପକ୍ଷଙ୍କ ସହ ବିଚାରବିମର୍ଶ କରିବାପରେ କମିଟି ରିପୋର୍ଟ ଦାଖଲ କରିଥିଲା। ୨୦୧୯ ମସିହାରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବା ପ୍ରସ୍ତାବକୁ ଭାରତୀୟ ଆଇନ ଆୟୋଗ ଗୁରୁତ୍ୱ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ କ୍ଷମତାକୁ ଆସିଲେ ଏକ ଦେଶ ଗୋଟିଏ ନିର୍ବାଚନ ଲାଗୁ କରାଯିବ।
କ’ଣ ହେବ ଲାଭ...
ଏକ ଦେଶ ଏକ ନିର୍ବାଚନ ଭାରତ ପାଇଁ ବିଶେଷ ଭାବେ ଫଳପ୍ରଦ ହେବ। ଏକ ସମୟରେ ନିର୍ବାଚନ ହେଲେ ରାଜ୍ୟର କିମ୍ବା ମୁଖ୍ୟମନ୍ତ୍ରୀଙ୍କ କୌଣସି କ୍ଷମତା ହ୍ରାସ ହେବ ନାହିଁ। ବରଂ ଏପରି ହେଲେ ଦେଶ ଓ ରାଜ୍ୟ ଆର୍ଥିକଭାବେ ସୁଦୃଢ଼ ହୋଇପାରିବ। ଏହା ଦ୍ବାରା ବାରମ୍ବାର ନିର୍ବାଚନ ଜନିତ ଖର୍ଚ୍ଚକୁ କମାଇ ଦିଆଯାଇପାରିବ। ଏହା ଫଳରେ ଦେଶର ତଥା ସାଧାରଣ ଲୋକଙ୍କ ଲାଭ ହେବ। ଅତୀତରେ ମଧ୍ୟ ଏକା ସଙ୍ଗେ ନିର୍ବାଚନ ହେଉଥିଲା। ୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିଲା। ଏହା ଦ୍ବାରା କୋଟି କୋଟି ଟଙ୍କା ବଞ୍ଚୁଥିଲା। ଏବେ ମଧ୍ୟ ଏହା ହେଲେ ହଜାର ହଜାର କୋଟି ଟଙ୍କା ବଞ୍ଚିବ। ଏହା ହେଲେ ସଂଘୀୟ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଏବଂ ଅଯଥା ନିର୍ବାଚନ ଖର୍ଚ୍ଚରୁ ଦେଶ ମୁକ୍ତି ପାଇବା ସହିତ ଦେଶ ଅର୍ଥନୈତିକ ପ୍ରଗତି ପଥରେ ଅଗ୍ରସର ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।
ଯେତେବେଳେ ୧୯୫୧-୫୨ ମସିହାରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା। ସେତେବେଳେ ୫୩ଟି ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପ୍ରାୟ ୧୮୭୪ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ ଏବଂ ମତଦାନ ଖର୍ଚ୍ଚ ୧୧ କୋଟି ହୋଇଥିଲା। ୨୦୧୯ ନିର୍ବାଚନରେ ୬୧୦ଟି ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ। ପ୍ରାୟ ୯ ହଜାର ପ୍ରାର୍ଥୀ ଏଥିରେ ଭାଗ ନେଇଥିବାବେଳେ ପ୍ରାୟ ୬୦,୦୦୦ କୋଟି ଟଙ୍କା ନିର୍ବାଚନ ସଂକ୍ରାନ୍ତୀୟ ଖର୍ଚ୍ଚ ହୋଇଥିଲା। ତେଣୁ ଯଦି ଏକ ସଙ୍ଗେ ନିର୍ବାଚନ ହେବ ଏହା ଜନସାଧାରଣଙ୍କ ଅର୍ଥ ସଞ୍ଚୟ କରିବ, ପ୍ରଶାସନିକ ସେଟଅପ୍ ଏବଂ ସୁରକ୍ଷା ବାହିନୀଙ୍କ କାର୍ଯ୍ୟଭାର ହ୍ରାସ କରିବ। ସରକାରୀ ନୀତିର ଠିକ୍ ସମୟରେ କାର୍ଯ୍ୟକାରୀ ହେବା ସହିତ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିବ। ଏହି ବ୍ୟବସ୍ଥା ସଙ୍ଘୀୟ ବ୍ୟବସ୍ଥାକୁ ମଜଭୁତ୍ କରିବ। ଦେଶ ସ୍ବାଧୀନ ହେବା ପରେ ଚଳି ଆସୁଥିବା ନିର୍ବାଚନର ଢାଞ୍ଚାରେ ପରିବର୍ତ୍ତନର ଆବଶ୍ୟକତା ନିଶ୍ଚୟ ଭାବେ ରହିଛି। ଏହା ଲାଗୁ ହେବା ଦ୍ବାରା ରାଜସ୍ବ, ସମୟର ଅପଚୟ ଓ ବିଶୃଙ୍ଖଳା ଭଳି ଅନେକ ଅବ୍ୟବସ୍ଥାରୁ ତ୍ରାହି ମିଳିବ। ଏହା ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବ। ତେଣୁ ଏହା ଲାଗୁ ହେବା ଜରୁରୀ।
କ'ଣ ହେବ ଅସୁବିଧା...
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବ୍ୟବସ୍ଥା ନାନା ବିଶୃଙ୍ଖଳା ସୃଷ୍ଟି କରିବାର ଆଶଙ୍କା ରହିଛି ଏତେ ବଡ଼ ଦେଶରେ ଏକାସଙ୍ଗେ ନିର୍ବାଚନ ପରିଚାଳନା କରିବା ସମ୍ଭବ ହୋଇନପାରେ। ଗୋଟିଏ ଦିନରେ ନିର୍ବାଚନ ହେଲେ ବହୁତ ସମସ୍ୟା ହେବ। ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟର ସ୍ଥିତି ଜାଣି ପାରିବା କଷ୍ଟକର ହେବ। ରାଜନୈତିକ ଦଳଗୁଡ଼ିକ ମନଇଚ୍ଛା କାର୍ଯ୍ୟ କରିବା ସହିତ ସାଧାରଣଜନତାଙ୍କୁ ନାନା ପ୍ରକାର ସମସ୍ୟାରେ ପକାଇବେ। ବିଶ୍ବର ହାତଗଣତି କେତୋଟି ମାତ୍ର ଦେଶ ଏହି ପଦ୍ଧତି ଆପଣାଇଛନ୍ତି। ସେମାନଙ୍କୁ ଅନୁକରଣ କରିବା ଆଦୌ ଠିକ୍ ନୁହେଁ ବୋଲି କୁହାଯାଉଛି। ଏହା ଭାରତ ପରି ଏକ ଶାନ୍ତିପ୍ରିୟ ରାଷ୍ଟ୍ର ପାଇଁ ଫଳପ୍ରଦ ହେବନାହିଁ। ଦଳୀୟ ବ୍ୟକ୍ତିମାନେ ଏକଜୁଟ ହୋଇପାରିବେ ନାହିଁ। ଏପରି ହେଲେ କେବଳ ରାଜନେତାଙ୍କ ଲାଭ ହେବ। ଜନସାଧାରଣ କିଛି ସୁଫଳ ପାଇବେ ନାହିଁ। ସମ୍ବିଧାନ ସଂଶୋଧନ ଦ୍ବାରା ଏହାର ମୌଳିକତା ନଷ୍ଟ ହେବ। ସୁରକ୍ଷାକର୍ମୀ, ନିର୍ବାଚନ କର୍ମଚାରୀ ଓ ପରିବହନ ବ୍ୟବସ୍ଥା ଦୃଷ୍ଟିରୁ ମଣିପୁର ଭଳି ଉତ୍ତର-ପୂର୍ବାଞ୍ଚଳରେ ଏକକାଳୀନ ନିର୍ବାଚନ ପରିଚାଳନା କଷ୍ଟକର ହେବ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।
ଅତୀତରେ ଆମ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗରେ ହୋଇଥିଲା। ଦେଶର କିମ୍ବା ଜନତାଙ୍କ କିଛି ଲାଭ ହୋଇନି। ଭବିଷ୍ୟତରେ ସରକାର ଚାହିଁଲେ ବିଧାନସଭାଗୁଡ଼ିକୁ ଭାଙ୍ଗି ଦେଇପାରିବେ। ସରକାର ଯେଉଁ ଲକ୍ଷ୍ୟ ରଖି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା କରିବାପାଇଁ ଚେଷ୍ଟା କରୁଛନ୍ତି ତାହା ତାହା ପୂରଣ ହୋଇପାରିବ ନାହିଁ ବିରୋଧୀ ଯୁକ୍ତି ବାଢ଼ିଛନ୍ତି। ବିରୋଧୀଙ୍କ କହିବା ଅନୁସାରେ ଭିନ୍ନ ଭିନ୍ନ ରାଜ୍ୟରେ ରାଜନୈତିକ ଏବଂ ସମାଜିକ ପରିପେକ୍ଷୀରେ ଭିନ୍ନତା ରହିଛି। ତେଣୁ ଏକାସଙ୍ଗରେ ନିର୍ବାଚନ ସମ୍ଭାଳିବା ବେଳେ ସବୁ ରାଜ୍ୟର ସମସ୍ୟାକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିବ। ଏହା ଲାଗୁ କରିବା ଦ୍ୱାରା ଗଣତନ୍ତ୍ରକୁ ବିପଦ ଆସିପାରେ ଏବଂ ରାଜ୍ୟର ସ୍ୱତନ୍ତ୍ର ନିଷ୍ପତ୍ତି ନେବା କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ସରକାର ତରବରିଆ ହୋଇ ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍ ନୁହେଁ, ଏହା ଉପରେ ଅତିରିକ୍ତ ଅଧ୍ୟୟନ କରିବା, ତଥ୍ୟର ମୂଲ୍ୟାଙ୍କନ କରିବା ଏବଂ ଏହି ଧାରଣାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଭୋଟର, ବିରୋଧୀ ଦଳର ନେତା ଏବଂ ସ୍ଥାନୀୟ ଦଳଙ୍କଠାରୁ ମତାମତ ଲୋଡ଼ିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।
କେଉଁ ଦଳ କରୁଛନ୍ତି ସମର୍ଥନ...
ଏକ ରାଷ୍ଟ୍ର, ଏକ ନିର୍ବାଚନକୁ ୧୫ଟି ବିରୋଧୀ ଦଳ ବିରୋଧ କରୁଥିବାବେଳେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଶରଦ ପାୱାରଙ୍କ ଏନସିପି, ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍ଆର କଂଗ୍ରେସ, ବିଜେଡି, କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି, ସୁଖବୀର ବାଦଲଙ୍କ ଶିରୋମଣି ଅକାଳୀ ଦଳ ଏବଂ ମେହବୁବା ମୁଫ୍ତି ଙ୍କୁ ପିପୁଲ୍ସ ଡୋମୋକ୍ରାଟିକ ପାର୍ଟି ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ସପକ୍ଷରେ ରହିଛନ୍ତି। ବିରୋଧ କରୁଥିବା ଦଳଗୁଡ଼ିକ ହେଉଛନ୍ତି କଂଗ୍ରେସ, ଆପ୍, ସିପିଆଇ, ସିପିଏମ୍, ଏଆଇୟୁଡିଏଫ୍, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ୍, ଡିଏମ୍କେ, ନାଗା ପିପୁଲ୍ସ ଫ୍ରଣ୍ଟ୍, ଏମଡିଏମକେ, ଭିସିକେ ଏବଂ ଏସ୍ଡିପିଆଇ।
କ’ଣ କହୁଛନ୍ତି ବିରୋଧୀ...
ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ୩୨ଟି ରାଜନୈତିକ ଦଳ ଏହାର ସପକ୍ଷରେ ଥିବାବେଳେ ମାତ୍ର ୧୫ଟି ଦଳ ବିରୋଧ କରୁଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। କୋବିନ୍ଦ ପ୍ୟାନେଲ ମୋଟ ୬୨ଟି ରାଜନୈତିକ ଦଳଠାରୁ ମତାମତ ଲୋଡ଼ିଥିଲେ। ସେଥିରୁ ୪୭ଟି ଦଳ ନିଜର ମତ ରଖିଥିବାବେଳେ ୩୨ଟି ସମର୍ଥନ କରିଥିଲେ। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ବିରୋଧୀ ଦଳଗୁଡ଼ିକ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଏକକାଳୀନ ନିର୍ବାଚନ ସଙ୍ଘୀୟ ବ୍ୟବସ୍ଥାର ପରିପନ୍ଥୀ ଏବଂ ସମ୍ବିଧାନର ମୌଳିକତାକୁ କ୍ଷୁଣ୍ଣ କରିବା ସହ ଗଣତନ୍ତ୍ରକୁ ଦୁର୍ବଳ କରିବ ବୋଲି ସେମାନେ ଦର୍ଶାଇଛନ୍ତି। ଦେଶରେ ଏକକାଳୀନ ନିର୍ବାଚନ ଅସମ୍ଭବ ବୋଲି କଂଗ୍ରେସ କହୁଥିବାବେଳେ ସମାଜବାଦୀ ପାର୍ଟି କହିଛି ଯେ ଏହା ଆଞ୍ଚଳିକ ଦଳଗୁଡ଼ିକୁ ଦୁର୍ବଳ କରିବାକୁ ଏକ ଷଢ଼ଯନ୍ତ୍ର। ତୃଣମୂଳ କଂଗ୍ରେସ, ଏଆଇଏମ୍ଆଇଏମ୍, ସିପିଆଇ, ସିପିଏମ୍, ଡିଏମ୍କେ, ନାଗା ପିପୁଲ୍ସ ଫ୍ରଣ୍ଟ, ଏଆଇୟୁଡିଏଫ୍ ଆଦି ବିରୋଧ କରିଥିବାବେଳେ ଏନ୍ଡିଏ ସହଯୋଗୀ ଦଳଗୁଡ଼ିକ ସମର୍ଥନ ଜଣାଇଛନ୍ତି। ଭାରତ ରାଷ୍ଟ୍ର ସମିତି, ଜାମ୍ମୁ-କାଶ୍ମୀର ନ୍ୟସନାଲ କନ୍ଫରେନ୍ସ, ଜନତା ଦଳ(ଏସ୍), ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଏନ୍ସିପି, ଆରଜେଡି, ତେଲୁଗୁ ଦେଶମ୍ ପାର୍ଟି, ୱାଇଏସ୍ଆର କଂଗ୍ରେସ ପାର୍ଟି, ଇଣ୍ଡିଆନ୍ ମୁସ୍ଲିମ୍ ଲିଗ୍ ଆଦି ମତ ରଖିନଥିଲେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିରେ କ’ଣ ଆଭିମୁଖ୍ୟ ରଖିବେ ତାହା ଅସ୍ପଷ୍ଟ।
ଆଉ କିଛି ଦଳଙ୍କ ଭୂମିକା ମଧ୍ୟ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ୨୦୧୯ରେ ଅନୁଷ୍ଠିତ ଏ ସଂକ୍ରାନ୍ତ ସର୍ବଦଳୀୟ ବୈଠକରେ ୧୯ଟି ଦଳ ଯୋଗ ଦେଇଥିଲେ ଏବଂ ସେଥିମଧ୍ୟରୁ ୧୬ଟି ଦଳ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଅଧିକାଂଶ ଦଳ ପ୍ରସ୍ତାବକୁ ବିରୋଧ ପୂର୍ବକ ବୈଠକକୁ ବର୍ଜନ କରିଥିଲେ। ବିଜେପି, ବିଜେଡି, ତତ୍କାଳୀନ ଏନ୍ସିପି, ଜେଡି(ୟୁ), ୱାଇଏସ୍ଆର କଂଗ୍ରେସ, ଭାରତ ରାଷ୍ଟ୍ର ସମିତି, ଲୋକ ଜନଶକ୍ତି ପାର୍ଟି, ଶିରୋମଣି ଅକାଳୀ ଦଳ, ଆପ୍ନା ଦଳ ଆଦି ସମର୍ଥନ କରିଥିବା ୧୬ ଦଳ ଥିଲେ। ଏକକାଳୀନ ନିର୍ବାଚନ ବାସ୍ତବବାଦୀ ଚିନ୍ତାଧାରା ନୁହେଁ। ଏହାକୁ କାର୍ଯ୍ୟକାରୀ କରିବା ଅସମ୍ଭବ ମନେହୁଏ। ଶାସକ ଦଳ ବିଜେପି ନିର୍ବାଚନ ସମୟ ଉପନୀତ ହେଲେ ଦେଶର ପ୍ରକୃତ ସମସ୍ୟାଠାରୁ ଲୋକଙ୍କ ଦୃଷ୍ଟି ହଟାଇନେବା ପାଇଁ ଏଭଳି ପଦକ୍ଷେପ ନିଅନ୍ତି ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।
ସେହିପରି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ ଉପରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ୱାରା ପରାମର୍ଶ ଗ୍ରହଣ କରାଯାଇଥିବା ୪ ଜଣ ପୂର୍ବତନ ପ୍ରଧାନ ବିଚାରପତି ଏହାର କାର୍ଯ୍ୟକାରିତାକୁ ସମର୍ଥନ ଜଣାଇଛନ୍ତି। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଏବଂ ଜଷ୍ଟିସ ୟୁୟୁ ଲଳିତ ବ୍ୟକ୍ତିଗତ ପରାମର୍ଶରେ ଅଂଶଗ୍ରହଣ କରି ଲିଖିତ ଜବାବ ଦେଇ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ, ହାଇକୋର୍ଟର ୧୨ ଜଣ ପୂର୍ବତନ ବିଚାରପତିଙ୍କ ମଧ୍ୟରୁ ୯ ଜଣ ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ୩ ଜଣ ଚିନ୍ତା ଓ ଆପତ୍ତି ପ୍ରକାଶ କରିଛନ୍ତି। ଏକାସାଙ୍ଗରେ ନିର୍ବାଚନ କାର୍ଯ୍ୟକାରୀ କରିବା ନେଇ ଯେଉଁମାନେ ଆପତ୍ତି ଉଠାଇଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଏପି ଜଷ୍ଟିସ ଶାହା, କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଗିରିଶ ଚନ୍ଦ୍ର ଗୁପ୍ତା ଏବଂ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ।
ସଂସଦର ଆସନ୍ତା ଶୀତ ଅଧିବେଶନରେ ‘ୱାନ ନେସନ-ୱାନ ଇଲେକ୍ସନ’ ବା ଏକ ରାଷ୍ଟ୍ର ଏକ ନିର୍ବାଚନ ଉପରେ ଏକ ବିଲ୍ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ କ୍ୟାବିନେଟ ସମ୍ମୁଖରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟରେ ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ସୁପାରିଶ କରାଯାଇଥିଲା। ଏହା ସହିତ ଲୋକସଭା ଏବଂ ବିଧାନସଭା ନିର୍ବାଚନର ୧୦୦ଦିନ ମଧ୍ୟରେ ନଗର ନିଗମ ନିର୍ବାଚନ ମଧ୍ୟ କରିବାକୁ ସୁପାରିଶ କରାଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ୬୨ଟି ରାଜନୈତିକ ଦଳର ମତ ନେଇ ‘ୱାନ ନେସନ-ୱାନ ଇଲେକ୍ସନ’ ଉପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ। ତେବେ
ଏକକାଳୀନ ନିର୍ବାଚନ ହେବାକୁ ପ୍ରଥମେ ୨୦୧୭ ଗଣତନ୍ତ୍ର ଦିବସ ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ଅଭିଭାଷଣରେ ସୂଚନା ପ୍ରଦାନ କରିଥିଲେ। ସେବେଠାରୁ ଏହାକୁ ନେଇ ନାନା ତର୍କ ବିତର୍କ ଚାଲିଥିଲା ଆଉ ଏହା ଶେଷରେ କାର୍ଯ୍ୟକାରୀ ହେବାକୁ ଯାଉଛି। ତେବେ ସମୟ ହିଁ କହିବ ଏହାର ସୁଫଳ ଜନତାଙ୍କୁ କେତେ ମିଳୁଛି।
E-mail id: serveforthenation@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)