ଏଥର ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍, ନିର୍ବଚନ ଥିବାରୁ ସରକାର ଦେଖାଇଛନ୍ତି ଗୋଲାପୀ ଚିତ୍ର

ପୂର୍ବ ବର୍ଷ ଅପେକ୍ଷା ୧୫% ଅଧିକ ବ୍ୟୟବରାଦ । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି ।

BUDGET 2023

ବିଧାନସଭାରେ ଆଗତ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ । ଏ ବର୍ଷ ମୋଟ ୨ ଲକ୍ଷ ୩୦ ହଜାର କୋଟିକୁ ବଢ଼ିଛି ବଜେଟ୍ କଳେବର । ଯାହାକି ପୂର୍ବ ବର୍ଷ ଅପେକ୍ଷା ୧୫ ପ୍ରତିଶତ ଅଧିକ ବ୍ୟୟବରାଦ । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ତା ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ବିକାଶର ଗୋଲାପୀ ଚିତ୍ର ଦେଖାଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟର ସବୁ ବର୍ଗଙ୍କୁ ଖୁସ୍ କରିବାକୁ ବଜେଟର ପ୍ରୟାସ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀ, ମହିଳା, ଆଦିବାସୀ ଓ ଯୁବବର୍ଗକୁ ଫୋକସରେ ରଖିଛନ୍ତି ଅର୍ଥମନ୍ତ୍ରୀ ।

ସେହିଭଳି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି । ବଜେଟରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଲାଗି ବ୍ୟୟବରାଦ ହୋଇଛି ସର୍ବାଧିକ ୩୮ ହଜାର ୪୩୭ କୋଟି । ଏହା ପଛକୁ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦ ହଜାର ୩୦ କୋଟି, କୃଷିକ୍ଷେତ୍ର ଲାଗି ୨୪ ହଜାର ୮୨୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।

ସେହିଭଳି ପାଇପ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି, ରାସ୍ତା, ବ୍ରିଜ୍, ରେଳ ଓ ଏୟାରପୋର୍ଟ ବିକାଶ ପାଇଁ ୧୯, ୪୫୨ କୋଟି, ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟିର ବ୍ୟୟ ବରାଦ ହୋଇଛି । ଶିଳ୍ପ ଓ MSME ପାଇଁ ୧୩୫୮ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି, SC/ST କଲ୍ୟାଣ ପାଇଁ ୩୮, ୪୩୭ କୋଟି, ପର୍ଯ୍ୟଟନ ପାଇଁ ୬୮୦ କୋଟି, କ୍ରୀଡ଼ା ପାଇଁ ୧୨୧୭ କୋଟିର ବ୍ୟୟବରାଦ ହୋଇଛି ।

ଚଳିତ ବଜେଟରେ ରାଜ୍ୟ ସରକାର ପ୍ରଚଳିତ ଫ୍ଲାଗ୍‌ସିପ୍ ଯୋଜନାଗୁଡ଼ିକ ପାଇଁ ମଧ୍ୟ ଢେର୍ ପାଣ୍ଠି ବ୍ୟୟବରାଦ କରିଛନ୍ତି । କାଳିଆ ଯୋଜନା ପାଇଁ ୧ ହଜାର ୮୭୯ କୋଟି, ମିଲେଟ୍ ମିଶନ ପାଇଁ ୪୯୭ କୋଟି, ବିଏସ୍‌କେୱାଇ ସ୍ୱାସ୍ଥ୍ୟ ବୀମା ଯୋଜନା ପାଇଁ ୨ ହଜାର ୩୮୦ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୩ ହଜାର ୩ କୋଟି, ନ୍ୟାସନାଲ ହେଲ୍ଥ ମିଶନକୁ ୧ ହଜାର ୯୧୧ କୋଟି, ନିର୍ମାଲ୍ୟ ଯୋଜନା ପାଇଁ ୫୧୩ କୋଟି, କ୍ୟାନସର୍ କେୟାର ସେଣ୍ଟର ପାଇଁ ୨୧୧ କୋଟି ବ୍ୟୟବରାଦ ହୋଇଛି ।

ସେହିଭଳି କ୍ରୀଡ଼ା ଭିତ୍ତିଭୂମି ଲାଗି ୧ ହଜାର ୪୪ କୋଟି, ଅର୍ବାନ୍ ଓଡ଼ିଶା ଟ୍ରାନ୍ସଫର୍ମ ଲାଗି ୭ ହଜାର ୯୧୪ କୋଟି, ମିଶନ ଶକ୍ତି କର୍ଯ୍ୟକ୍ରମ ପାଇଁ ୯୮୯ କୋଟି ବ୍ୟୟବରାଦ ହୋଇଛି ।