Advertisment

କଳା ବାଦଲ ଆଢୁଆଳେ ସତ୍ତା ଖୋଜୁଛନ୍ତି ନବୀନ

ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଇତି ମଧ୍ୟରେ କ୍ଷମତାରେ ଦୁଇ ମାସ ପୂର୍ଣ୍ଣ କରିବା ପାଇଁ ଯାଉଛି । ଏହା ମଧ୍ୟରେ ଦଳ ନିର୍ବାଚନ ପୂର୍ବରୁ ଦେଇଥିବା କିଛି ପ୍ରମୂଖ ପ୍ରତିଶ୍ରୁତି ପାଳନ କରିସାରିଛି ଏବଂ ଆଉ କିଛି ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ନିଷ୍ପତି ନେଇସାରିଛି ।

ଅଦ୍ୟତନ ହୋଇଛି
Naveen trying to make his presence felt

Naveen trying to make his presence felt

Advertisment

ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଇତି ମଧ୍ୟରେ କ୍ଷମତାରେ ଦୁଇ ମାସ ପୂର୍ଣ୍ଣ କରିବା ପାଇଁ ଯାଉଛି । ଏହା ମଧ୍ୟରେ ଦଳ ନିର୍ବାଚନ ପୂର୍ବରୁ ଦେଇଥିବା କିଛି ପ୍ରମୂଖ ପ୍ରତିଶ୍ରୁତି ପାଳନ କରିସାରିଛି ଏବଂ ଆଉ କିଛି ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ନିଷ୍ପତି ନେଇସାରିଛି । ବିଜେପିର ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିସାରିଛନ୍ତି । ଏହା ଛଡ଼ା ଶ୍ରୀମନ୍ଦିର ରତ୍ନଭଣ୍ଡାର ମଧ୍ୟ ଖୋଲା ସରିଛି ।

Advertisment

ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ମୋହନ ମାଝି ସରକାର ବେଶ୍ ଦାମ୍ଭିକତାର ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦଶନ୍ଧି ଦଶନ୍ଧି ଧରି ଗାଦିମାଡି ବସିଥିବା ‘ପାଣ୍ଡିଆନ ମାର୍କା’ ଅଧିକାରୀଙ୍କୁ ଗୋଟିଏ ପରେ ଗୋଟିଏ ହଟାଇ ସେମାନଙ୍କ ସ୍ଥାନରେ ନୂଆ ତଥା ସ୍ୱଚ୍ଛ ଓ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ।

ମୋହନ ମାଝିଙ୍କ ସରକାରରେ ଅନେକ ମନ୍ତ୍ରୀ ସମ୍ପୂର୍ଣ୍ଣ ନୂଆ । ଅନୁଭୂତି ଓ ଅଭିଜ୍ଞତା ଆହରଣ ଲାଗି ସେମାନଙ୍କୁ ଢେର ସମୟ ଲାଗିବ । ଏହା ମଧ୍ୟରେ ଜୁଲାଇ ୨୨ ତାରିଖ ଦିନ ଠାରୁ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଗତ ମାସ୨୩ ତାରିଖ ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ସରକାରର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ର ଆକାର ଓ ବ୍ୟୟ ବ୍ୟବସ୍ଥା ଉପରେ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ୍ ଦଳର ନେତାମାନଙ୍କ ସମେତ ସାଧାରଣ ଜନତା ମଧ୍ୟ ବେଶ୍ ଉତ୍ସୁକତାର ସହିତ ନଜର ରଖିଥିଲେ । ପୂର୍ବ ଘୋଷଣା ମୁତାବକ ଶୁଭଦ୍ରା ଯୋଜନା, ଭତ୍ତା ବୃଦ୍ଧି ଓ ଧାନର ସହାୟକ ମୂଲ୍ୟ ବୃଦ୍ଧି ବାବଦରେ ସରକାର ଏହି ୨ଲକ୍ଷ୬୫ ହଜାର କୋଟି ଟଙ୍କା ବଜେଟ୍ରେ ଅର୍ଥ ବ୍ୟୟବରାଦ କରିଛନ୍ତି ।

Advertisment

ବର୍ତ୍ତମାନ ପାଇଁ କିଛି ଦିନ ବିରତିରେ ଥିବା ଚଳିତ ବିଧାନସଭା ଅଧିବେଶନର ଏପର୍ଯ୍ୟନ୍ତ କାର୍ଯ୍ୟ ଦିବସଗୁଡିକରେ ଯଦି ଆମେ ଉଭୟ ଶାସକ ଓ ବିରୋଧୀମାନଙ୍କର କାର୍ଯ୍ୟଧାରାକୁ ଦେଖିବା ତେବେ ଆମେ କହିପାରିବା ଯେ ପ୍ରଥମ ଦୁଇତିନି ଦିନ ଛାଡି ଦେଲେ, ଏହା ମୋଟାମୋଟି ଭାବରେ ଶୃଙ୍ଖଳିତ ଢଙ୍ଗରେ ଚାଲିଛି । ପ୍ରଥମରୁ ବିଜେପି ପାଇଁ ବେଶ୍ ଆହ୍ୱାନଭରା ଲାଗୁଥିବା ଏହି ଅଧିବେଶନରେ ଶକ୍ତିଶାଳୀ ବିରୋଧୀ ବିଜେଡି ଓ କଂଗ୍ରେସକୁ ଦଳ ବେଶ୍ ଭଲଭାବରେ ସମ୍ମୁଖୀନ ହୋଇଛି । ବିଜେଡିର ୫୧ ଓ କଂଗ୍ରେସର ୧୪ ସଦସ୍ୟ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଅକଳରେ ପକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଜେପିର ନବୀନ ବିଧାୟକ ଓ ମନ୍ତ୍ରୀମାନେ ଠିକଣା ଢଙ୍ଗରେ ଗୃହ ଭିତରେ ସମ୍ଭାଳିବାରେ ସମର୍ଥ ହୋଇଛନ୍ତି ।

ଏଠାରେ ଗୋଟିଏ କଥା ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ବିରୋଧୀମାନଙ୍କୁ ଚେକ୍ ଦେବା ପାଇଁ ଶାସକ ଦଳ ଯେଉଁ ଅସ୍ତ୍ରକୁ ପ୍ରଭାବୀ ଢଙ୍ଗରେ ବ୍ୟବହାର କରୁଛି, ତାହା ହେଲା ଦୃଢ ନୈତିକ ମନୋବଳ ଓ ବ୍ୟାପକ ବିଷୟଭିତ୍ତିକ ପ୍ରସ୍ତୁତି । ମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବିଜେପି ଦଳର ବିଧାୟକମାନେ ବିଭିନ୍ନ ବିଭାଗ ସମ୍ପର୍କରେ ଭଲଭାବରେ ତୁଙ୍ଗ ନେତାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା କାରଣରୁ ଅଭିଜ୍ଞତାର ଅଭାବ ସେମିତି ଭାବେ ଗୃହ ଭିତରେ ପରିଦୃଶ୍ୟମାନ ହୋଇନାହିଁ ।

Advertisment

ଏବେ ଗୋଟିଏ ବିଚିତ୍ର ସ୍ଥିତି ଦେଖାଯାଉଛି । ବିଧାନସଭା ଭିତରେ ଶାସକ ଦଳ ଅପେକ୍ଷା ମୁଖ୍ୟ ବିରୋଧୀ ବିଜୁ ଜନତା ଦଳ ବା ବିଜେଡି ବର୍ତମାନ ସବୁଠାରୁ ଅଧିକ ଆହ୍ୱାନର ସମ୍ମୁଖୀନ ହେଉଛି । ଦୀର୍ଘ ୨୪ ବର୍ଷରୁ ଉର୍ଦ୍ଧ ଶାସନରେ ରହିଥିବା ଏହି ଦଳ ବର୍ତମାନ ଯେଉଁ ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ଚେଷ୍ଟା କରୁଛି, ନିଜେ ସେହି ପ୍ରସଙ୍ଗରେ ଖାଲରେ ପଡୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଇତ୍ୟାଦି କ୍ଷେତ୍ରରେ ଯେଉଁ ପ୍ରଶ୍ନ ବିଜେଡି ଉଠାଉଛି, ସେହି ପ୍ରସଙ୍ଗଗୁଡିକରେ ଶାସକ ଦଳ ଓଲଟା କୋଣଠେସା କରିବା ଲାଗ ଭରପୂର ଚେଷ୍ଟା କରୁଥିବା ଦେଖାଯାଉଛି ।

ବିଗତ ୨୪ ବର୍ଷର ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ପ୍ରାୟ ପ୍ରତ୍ୟେକ ବିଭାଗର କାର୍ଯ୍ୟାବଳୀ ଓ କାର୍ଯ୍ୟପଦ୍ଧତି ସବୁ କିଛି ଅସଜଡା ଓ ବିପର୍ଯ୍ୟସ୍ତ ହୋଇପଡିଛି । ୫ଟି ବାହାନାରେ ଭୈରଭ କାର୍ତିକ ପାଣ୍ଡିଆନଙ୍କ ହସ୍ତକ୍ଷେପ ଏବଂ ଏ ନେଇ ନବୀନଙ୍କ ତାଙ୍କୁ ଦୃଢ ଭାବରେ ସମର୍ଥନ ଦେବା ସମଗ୍ର ସରକାରୀ ବ୍ୟବସ୍ଥାକୁ ସ୍ଥାଣୁ କରିଦେଇଥିଲା । ୫ଟି ସଚିବଙ୍କ ଡରରେ ବହୁ ବିଭାଗର ସଚିବ ଠାରୁ ଆରମ୍ଭ କରି କୌଣସି ନୂଆ ପଦକ୍ଷେପ ନେବାକୁ ଡରୁଥିଲେ । ଏହାବ୍ୟତୀତ ସେମାନଙ୍କ ବିବେକ ବିରୋଧରେ ଯାଇ ସେମାନେ ଏମିତି କିଛି କାର୍ଯ୍ୟକରୁଥିଲେ ଯାହା ଅନୈତିକ ବୋଲି ପରିଗଣିତ ହେଉଥିଲା ।

ଏଠାରେ ଶିକ୍ଷା ଓ ସ୍ୱାସ୍ଥ୍ର ବିଭାଗର କାର୍ଯ୍ୟାବଳୀ ଓ ପାରଦର୍ଶିତା ଉପରେ ସମ୍ୟକ୍ ଆଲୋକପାତ କରାଯାଇପାରେ । ୫ଟି ନାମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା କଥା କୁହାଗଲା । କିଛି ସ୍କୁଲ ଗୃହ ସ୍ଥାପନ କରାଗଲା ବା ମରାମତି କରି ରଙ୍ଗ କରାଗଲା । କିନ୍ତୁ ଶିକ୍ଷକ ଅଭାବ ସହିତ ଗୁଣତ୍ମକ ଶିକ୍ଷାଦାନ ନମିଳିବାରୁ ଏହା ସାଧାରଣ ଜନତାର ବିଶ୍ୱାସଭାଜନ ହୋଇପାରିଲା ନାହିଁ । ଓଡିଶାରେ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କ ସଂଖ୍ୟା ସର୍ବଭାରତୀୟ ସ୍ତରରେ ଅଧିକ ରହିଲା ।

ସ୍ୱାସ୍ଥ୍ୟ ବିଭାଗ କଥା କହିଲେ ନସରେ । ଉପାନ୍ତ ଜିଲ୍ଲା ଠାରୁ ଆରମ୍ଭ କରି ଉପକୂଳ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଜଟିଳ ରୋଗର ଚିକିତ୍ସା ମଳିପାରିଲା ନାହିଁ । ଝାରସୁଗଡାରୁ ଗୁଳିବିଦ୍ଧ ମନ୍ତ୍ରୀ ନବ ଦାସଙ୍କୁ ଭୁବନେଶ୍ୱର ଆଣିବାକୁ ପଡିଲା । ପୁରୀ ବାଣ ବିଷ୍ଫୋରଣ ଆହତମାନଙ୍କୁ ସେଠାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇ ପାରିଲା ନାହିଁ ।

୨୦୦୦ ମସିହାରେ ଦୂର୍ନୀତିମୁକ୍ତ ଶାସନ ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜୁ ଜନତା ଦଳ ଶାସନରେ ଓଡିଶାରେ ସବୁଠାରୁ ବଡ ଖଣି ଲୁଟ୍ ହେଲା । ଲକ୍ଷଲକ୍ଷ କ୍ଷୂଦ୍ର ଜମାକାରୀମାନେ ଚିଟଫଣ୍ଡ ଘୋଟାଲର ଶୀକାର ହେଲେ । ଏହାଛଡା ପାଣି, ଜମି ଓ ଗୃହ ଆବଣ୍ଟନରେ ବ୍ୟାପକ ଦୂର୍ନୀତି ନେଇ ସରକାର ବଦନାମ ହେଲା । ମହିଳାମାନଙ୍କ ଉପରେ ଅତ୍ୟାଚାର, ରାଜନୈତିକ ହତ୍ୟା ଓ ପ୍ରତିଶୋଧପରାୟଣ ରାଜନୀତି ବିଜୁ ଜନତା ଦଳ ଶାସନ ସମୟରେ ବହୁ ପରିମାଣରେ ଦେଖାଯାଇଥିଲା ଏବଂ ଏ ନେଇ ସରକାର ବିରୋଧରେ ଜନ ଅସନ୍ତୋଷ ବେଶ୍ ବୃଦ୍ଧିପାଇବାରେ ଲାଗିଲା ।

ବିଜୁ ଜନତା ଦଳ ଏକ ପ୍ରକାର ନିଜ ଦ୍ୱାରା ସୃଷ୍ଟ ଦୁର୍ନୀତି, ଅନୀତି ଓ ଅପାରଗତାର ଅଳିଆଗଦାରୁ ସଦ୍ୟ ବିତାଡିତ ହୋଇଛି । ଏହି ଦୃଷ୍ଟିରୁ ଦଳ ଏବେ ବିଜେପି ବିରୋଧରେ ଆକ୍ରମଣାତ୍ମ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନୈତିକ ଆଧାରଶୀଳା ଖୋଜିଲେ ବି ପାଇପାରୁନାହିଁ । ତେଣୁ ଏହି ଦଳର ନେତାମାନଙ୍କ ଗୋଡ ଦୃଢଭାବରେ ଲାଗି ପାରୁନାହିଁ ।

ବିଜେଡିର ବର୍ତମାନ ଦୟନୀୟ ଅବସ୍ଥାରୁ ଦଳକୁ ବାହାର କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ କେତେ ସକ୍ଷମ ହେବେ, ତାହା ସମୟ କହିବ । କିନ୍ତୁ ଏ କଥା ସ୍ପଷ୍ଟ ଯେ ତାଙ୍କ ପାଖରେ ଏବେ ସରକାରୀ କଳ ନାହିଁ ଯାହା ତାଙ୍କ ପାଇଁ ଅନୁକୂଳ ବାର୍ତ୍ତା ପ୍ରସ୍ତୁତ କରି ଜନସାଧାରଣଙ୍କ ପାଖରେ ପହଂଚାଇବ । ତାଙ୍କୁ ବିଧାନସଭା ଠାରୁ ଆରମ୍ଭ କରି ଅନ୍ୟସ୍ଥାନରେ ଓଡିଆରେ ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟକ୍ତବ୍ୟ ପ୍ରଭାବୀ ଢଙ୍ଗରେ ରଖିବାକୁ ପଡିବ । ଯେଉଁମାନେ ନବୀନଙ୍କୁ ଅତି ନିକଟରୁ ଦେଖିଛନ୍ତି, ଗୋଟିଏ କଥା ସେମାନେ ଅନୁଭବ କରିଥିବେ ଯେ ସେ କୌଣସି ଏକ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ପାଇଁ ବିନା କାଗଜ ଦେଖି ଓଡିଆରେ କିଛି କହିବା ପାଇଁ ସେତେଟା ସମର୍ଥ ନୁହେଁ । ରାଜନୀତିରେ ବିରୋଧୀ ଦଳର ନେତାମାନଙ୍କୁ କାଗଜ ନଦେଖି କଥା କହିବା ପାଇଁ ପଢିବ । ନଚେତ୍ ଲୋକମାନଙ୍କ ସହିତ ସେମାନେ ଭଲଭାବରେ ଯୋଡି ହୋଇପାରିବେ ନାହିଁ ।

କ୍ଷମତାରେ ଥିଲେ ସମସ୍ତେ ଯୋଡି ହୋଇଯାଆନ୍ତି । କିନ୍ତୁ ଥରେ କ୍ଷମତାରୁ ଅପସରି ଗଲେ, ଲୋକେ ବାଟ କାଟି ଚାଲିଯାଆନ୍ତି ।

ବିଜୁ ଜନତା ଦଳକୁ ତିଆରି କରି ନବୀନଙ୍କୁ ନିରଙ୍କୁଶ ଶାସନଗାଦିରେ ବସାଇଥିବା ନେତାଙ୍କୁ ଜଣଙ୍କ ପରେ ଜଣଙ୍କୁ ସେ ବିଦା କରି ସେମାନଙ୍କୁ ଆପାକ୍ତେଂୟ କରିଦେଇଛନ୍ତି । କେବଳ ସେତିକି ନୁହେଁ, ଦଳରେ ଦକ୍ଷ ନେତା ସୃଷ୍ଟି ହେବାର ଅବକାଶକୁ ମଧ୍ୟ ଏକ ପ୍ରକାର ବନ୍ଦ କରିଦେଇଥିଲେ । ଅନ୍ୟପକ୍ଷରେ ନେତାମାନଙ୍କ ପୁଅ, ପତ୍ନୀ, ଝିଅ ଓ ଭାଇ ଓ ଭଉଣୀମାନଙ୍କୁ ରାଜନୀତିକୁ ଆଣି ଦଳକୁ ନବୀନ ବିଜେଡିକୁ ଏକ ପରିବାରିକ ସଙ୍ଗଠନରେ ପରିଣତ କରିଦେଇଥିଲେ । ଦଳରୁ ଆଭ୍ୟନ୍ତରୀଣ ଗଣତନ୍ତ୍ର ଲୋପ ପାଇବା ସହିତ ସରକାରୀସ୍ତରରେ ଅମଲାତାନ୍ତ୍ରୀକ ଆଧିପତ୍ୟ ନବୀନଙ୍କ ରାଜନୈତିକ ଚରିତ୍ର ଉପରେ ଜନଅବିଶ୍ୱାସ ସୃଷ୍ଟି କଲା ।

ଥରେ ଜନଅବିଶ୍ୱାସର କଳାବାଦଲ ଢାଙ୍କି ହେଲେ, ତାକୁ ହଟାଇବା ଏତେ ସହଜ ନୁହେଁ । ଦେଖିବାର କଥା, - ନବୀନ ନିଜ ହାତ ତିଆରି କଳା ବାଦଲର ଉହାଡରୁ ନିଜକୁ କିଭଳି ବାହାର କରୁଛନ୍ତି ନା ଏହାରି ମଧ୍ୟରେ ସେ ନିଜର ସତ୍ତା ହରାଉଛନ୍ତି ।

ଇମେଲ୍: aksahoo1122@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ