ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ମଞ୍ଚା : ତମ୍ବୁ ଟାଣି ଦିନ ରାତି ଜଗିଛନ୍ତି ବିଜେପି ପ୍ରାର୍ଥୀ

କେନ୍ଦୁଝରରେ ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର । ଏପଟେ ୩ଟି ପ୍ରଯ୍ୟାୟ ନିର୍ବାଚନ ସରି ଯାଇଥିବା ବେଳେ ବିଜେପିକୁ ଭୋଟବାକ୍ସ ଅଦଳବଦଳ ଭୟ ଘାରିଛି। ଶାସକ ବିଜେଡି ନିଜ ବିଜୟ ପାଇଁ ପ୍ରଶାସନ ଏବଂ ପୋଲିସକୁ ଧରି କିଛି ବି କରିପାରେ , ଏପରି ଆଶଙ୍କାରେ ରହିଛନ୍ତି ବିଜେପି ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକ ।

ବାହାରେ ମଞ୍ଚା ବାନ୍ଧି, ତମ୍ବୁ ଟାଣି ଦିନ ରାତି ଜଗିଛନ୍ତି ବିଜେପି ପ୍ରାର୍ଥୀ

ମଞ୍ଚା ବାନ୍ଧି, ତମ୍ବୁ ଟାଣି ଦିନ ରାତି ଜଗିଛନ୍ତି । ନିର୍ବାଚନ ପାଇଁ ସ୍କୁଲ୍ ଘର ଷ୍ଟ୍ରଙ୍ଗରୁମ୍ ପାଲଟିଥିବା ବେଳେ ନିବୁଜ କୋଠରି ଭିତରେ ରହିଛି ଭୋଟ୍ ବାକ୍ସ । ଜଉମୁଦ ଭିତରେ ଜନମତ । ଫସଲକୁ ହାତୀ ଭୟରୁ ରଖିବା ପାଇଁ ଚାଷୀ ରାତି ସାରା ମଞ୍ଚା ଜଗିଲା ଭଳି ଏଠି ବିଜେଡ଼ି ଦଳକୁ ଜଗିଛନ୍ତି ବିଜେପି କର୍ମୀ । କାଳେ ବିଜେଡି ଦଳ ପକ୍ଷରୁ କଣ ଏପଟ ସେପଟ କରିଦିଆଯିବ ସେ ଆଶଙ୍କାରେ ବିଜେପି କର୍ମୀ ଏଠି ଜଗିଛନ୍ତି ରାତି ସାରା ।

କେନ୍ଦୁଝର ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଚଳିତ ଥର ପଂଚାୟତ ନିର୍ବାଚନରେ ଏଠି ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର । ୩ଟି ପର୍ଯ୍ୟାୟ ମତ ଦାନ ସରିଯାଇଥିବା ବେଳେ ବିଜେପିକୁ ଘାରିଛି ଭୋଟ ବାକ୍ସ ସୁରକ୍ଷା ଚିନ୍ତା । ଶାସକ ବିଜେଡି ନିଜ ବିଜୟ ପାଇଁ ପ୍ରଶାସନ ଏବଂ ପୋଲିସ କୁ ଧରି କିଛି ବି କରିପାରେ । ଏମିତି ଆଶଙ୍କାରେ ରହିଛନ୍ତି ବିଜେପି ପାର୍ଥି ଏବଂ ସେମାନଙ୍କ ସମର୍ଥକ। ତେଣୁ ଭୋଟ ସରିବା ଦିନରୁ ଭୋଟ ବାକ୍ସ ଥିବା ଷ୍ଟ୍ରଙ୍ଗରୁମ ଆଗରେ ରାତି ଉଜାଗର ପଇଁତରା ଦେଉଛନ୍ତି ବିଜେପି କର୍ମୀ । ଏଠି ନିଜେ ପ୍ରାର୍ଥୀ ବି ନିଜେ ଜଗିଛନ୍ତି ।

ଗତ ୧୮ ତାରିଖରୁ ଏ ଅଞ୍ଚଳରେ ଭୋଟ୍ ସରି ଯାଇଛି। ଷ୍ଟ୍ରଙ୍ଗ ରୁମ୍ ଭିତରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଏହି ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ମହଲା ଘରେ ହୋଇଛି ଷ୍ଟ୍ରଙ୍ଗ ରୁମ। ଭୋଟ୍ ଯେବେଠାରୁ ସରିଲାଣି ସେହି ରାତିରୁ ବିଜେପି ପାର୍ଥି ଏବଂ ସେମାନଙ୍କ ସମର୍ଥକ ଷ୍ଟ୍ରଙ୍ଗରୁମ ସାମ୍ନାରେ ଟେଣ୍ଟ ମାରି ପହରା ଦେଉଛନ୍ତି।

ଭୋଟ ବାକ୍ସ ୨ ମହଲା ଉପର ଥିବା କୋଠରୀରେ ଅଛି। ତା ସମ୍ମୁଖରେ ଗୋଟେ ପରଦା ଟଣା ଯାଇଛି । ଉପରେ ଯଦି କିଛି ହୁଏ ତଳ ଲୋକ ହୁଏ ତ ଦେଖି ପାରିବେ ନାହିଁ । କାଳେ କିଛି କାରସାଦି ହୋଇଯିବ, ସେଇ ଆଶଙ୍କାରେ ଗତକାଲି ସନ୍ଧ୍ୟାରୁ ଦୁଇମହଲା ଘର ଉଚ୍ଚାକୁ ସମାନ୍ତରାଳ କରି ବିଜେପି କର୍ମୀ ବାଉଁଶ ଭାଡ଼ି ବାନ୍ଧିଛନ୍ତି। ଆଉ ସେଠାରେ ୨୪ ଘଣ୍ଟିଆ ଜଗି ବସିଛନ୍ତି। ସେଇଠି ଶୋଉଛନ୍ତି ରାତି ସାରା। ତେବେ ଏପରି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ କୌତୁହଳ ସୃଷ୍ଟି କରିଛି।

କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ