ମହିଳା ଅସୁରକ୍ଷିତ ଆରୋପ ପ୍ରତ୍ୟାରୋପକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ 

ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା ଅଭିଯୋଗ ଆଣି ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣାକୁ ଓହ୍ଲାଇଥିଲା ବିଜେପି।

Padmapur Bypoll

ମାଟିର ଝିଅ ବନାମ୍ ପୁରୀର ବୋହୂ। ବାପ ଘର ଆଗ ନା ଶାଶୂଘର? ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ଥିବା ଏହି ପ୍ରସଙ୍ଗ ଆଜି ଡେଇଁଛି ରାଜଧାନୀକୁ ବର୍ଷାଙ୍କୁ ଅସମ୍ମାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ଉଭୟ ଦଳର ନେତା ଓ କର୍ମୀ ଜୋରଦାର ପ୍ରତିବାଦ ସାଙ୍ଗକୁ କରିଛନ୍ତି ବିକ୍ଷୋଭ। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ନେଇ ବିଜେପି ଅପପ୍ରଚାର କରୁଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଗତକାଲି ଅଭିଯୋଗ ଆଣିବା ପରେ ଏହାକୁ ଆଜି ଆଉ ପାଦେ ଆଗକୁ ନେଇଛି ଦଳ।

ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର ଓ ସାଂସଦ ଜୁଏଲ୍ ଓରାମଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ କଡ଼ା ସମାଲୋଚନା କରିଥିଲା ବିଜେଡିର ଓ୍ୱିମେନ୍ ବ୍ରିଗେଡ୍। କେବଳ ସେତିକି ନୁହେଁ ବିଜେପି ନେତାଙ୍କ ବିରୋଧରେ ସିଇଓଙ୍କ ପାଖରେ ବି ଫେରାଦ ହୋଇଛି ଦଳ।

ସେପଟେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା ଅଭିଯୋଗ ଆଣି ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣାକୁ ଓହ୍ଲାଇଥିଲା ବିଜେପି। ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ର, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସ, ପରି ହତ୍ୟା ଘଟଣାରେ ଅରୁଣ ସାହୁ ଓ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆଣି ସେମାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଧ୍ୟ କୁଶ ପୁତ୍ତଳିକା ଦାହ କରାୟାଇଛି। ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଶାସକ ଦଳର ପ୍ରଭାବଶାଳୀ ନେତା ସଂପୃକ୍ତ ଥିବା ଅଭିଯୋଗ ଆଣିଛି ବର୍ଷିଛି ବିଜେପି। 

ଆଜି ପ୍ରଚାର ଥମି ଥିବା ବେଳେ ସୋମବର ପଡ଼ିବ ଭୋଟ୍। ହେଲେ ତା ପୂର୍ବରୁ ବର୍ଷାଙ୍କ ପାଇଁ ଶାଶୁ ଘର ଆଗ ନା ବାପ ଘର ତାକୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ। କାରଣ ବର୍ଷା ପୁରୀ ଜିଲ୍ଲା ସତ୍ୟବାଦୀର ବିଜେପି ନେତା ରମାରଂଜନ ବଳିୟାର ସିଂଙ୍କ ବୋହୂ ହୋଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ପ୍ରଚାରର ଏକଦମ୍ ଶେଷ ପର୍ଯ୍ୟାୟରେ ବର୍ଷାଙ୍କୁ ବିଜେପି ନେତାଙ୍କ ଅସମ୍ମାନ ପ୍ରସଙ୍ଗ ବିଜେଡିର ମନେ ପଡିଲା କି? ନା ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇବା ପରେ ବିଜେଡି ଚେତିଲା? କୁହାଯାଉଛି ଝିଅ-ବୋହୂ ପ୍ରସଙ୍ଗରେ ବିଜେଡି ବ୍ୟାକଫୁଟ୍‌ରେ ଥିବାରୁ ଶେଷ ଅସ୍ତ୍ର ଭାବେ ମହିଳା ଅସମ୍ମାନ କାର୍ଡ ଖେଳୁଛି।  

ପଦ୍ମପୁରରେ ଚାଷୀ ସମସ୍ୟାଠୁ ଆରମ୍ଭ କରି ରେଳ ପ୍ରକଳ୍ପ, ଦାଦନ ସମସ୍ୟା, ଜିଲ୍ଲା ଗଠନ ଭଳି ଅନେକ ଇସ୍ୟୁ ଉପରେ ଭାଷଣ ବାଜି ହୋଇଛି। ତାସହିତ ବର୍ଷାଙ୍କୁ ନେଇ ବି ଅନେକ ପ୍ରଶ୍ନ ଛିଡା ହୋଇଛି। ତେବେ ପଦ୍ମପୁରବାସୀ କାହାକୁ ଗ୍ରହଣ କରୁଛନ୍ତି ତାହାତ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ।

(ପଦ୍ମପୁରରୁ ସୌମ୍ୟରଂଜନ ସାହୁ ଏବଂ ଭୁବନେଶ୍ୱରରୁ ଦୀପକ ଖିଲାର ଓ ହରିହର ଚାନ୍ଦଙ୍କ ରିପୋର୍ଟ)