Advertisment

ଶାରଦାଙ୍କ ଚେଷ୍ଟାରେ ଜମିରେ ମାଡିଲା ପାଣି

ବର୍ଷ ବର୍ଷ ଧରି ଜଳାଭାବ ସମସ୍ୟା ଦେଇ ଗତି କରୁଥିଲା ଗାଁ। ଗାଁର ଲୋକମାନେ ନିତିଦିନିଆ କାମ ପାଇଁ ଆବଶ୍ୟକ ମାତ୍ରାରେ ପାଣି ପାଇ ପାରୁ ନଥିଲେ କି ସ୍ଥାନୀୟ କୃଷକମାନେ ନିଜ କ୍ଷେତରେ ଜଳସେଚନର ସୁବିଧା ପାଉଥିଲେ। ଶାରଦା ବ°ଶକାରଙ୍କ ଉଦ୍ୟମରେ ସମାଧାନ ହେଲା ସମସ୍ୟା, ଜମିରେ ମାଡିଲା ପାଣି।

ଅଦ୍ୟତନ ହୋଇଛି
the rain award was given to Sarada Devi making a sack dam on the river

the rain award was given to Sarada Devi making a sack dam on the river

Advertisment

ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇବା ପରେ ଖାଲି ନିଜ ପରିବାର ମଧ୍ୟରେ କିମ୍ବା ନିଜ ସହକର୍ମିଣୀମାନଙ୍କ (ଯେଉଁମାନେ ତାଙ୍କ ସହ ମିଶି ଜଳ ସ°ରକ୍ଷଣ ଦିଗରେ କାର୍ଯ୍ୟକରନ୍ତି ଓ ଯେଉଁମାନଙ୍କୁ 'ଜଲ୍ ସହେଲୀ' ବୋଲି କୁହାଯାଏ) ମଧ୍ୟରେ ନୁହେଁ, ନିଜ ଗାଁ ତଥା ଆଖପାଖ ସମଗ୍ର ଅଞ୍ଚଳରେ ଶାରଦା ବ°ଶକାରଙ୍କ ସମ୍ମାନରେ ଯଥେଷ୍ଟ ବୃଦ୍ଧି ଘଟିଛି। ଆଜି ସ୍ଥାନୀୟ ଅଞ୍ଚଳର ସମସ୍ତେ ତାଙ୍କୁ ନେଇ ବେଶ୍ ଗର୍ବିତ।

Advertisment

ଉତ୍ତରପ୍ରଦେଶର ମରୁଡ଼ିପ୍ରବଣ ବୁନ୍ଦେଲଖଣ୍ଡ ଅଞ୍ଚଳର ବୋହୂ ହେଉଛନ୍ତି ଶାରଦା। ଏହି ଅଞ୍ଚଳ ଅନ୍ତର୍ଗତ ଲଲିତପୁର ଜିଲ୍ଲାର ଏକ ଛୋଟ ଗାଁ ହେଉଛି ବିଜୟପୁରା। ବର୍ଷ ବର୍ଷ ଧରି ବୁନ୍ଦେଲଖଣ୍ଡର ଅନ୍ୟ ବହୁ ଗାଁ ଭଳି ଏ ଗାଁଟି ବି ଜଳାଭାବ ସମସ୍ୟା ଦେଇ ଗତି କରୁଥିଲା। ନା ଗାଁର ଲୋକମାନେ ନିତିଦିନିଆ କାମ ପାଇଁ ଆବଶ୍ୟକ ମାତ୍ରାରେ ପାଣି ପାଇ ପାରୁଥିଲେ ନା ସ୍ଥାନୀୟ କୃଷକମାନେ ନିଜ ନିଜ କ୍ଷେତରେ ଜଳସେଚନର ସୁବିଧା ପାଉଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଲୋକ ଜୀବିକା ସନ୍ଧାନରେ ବାହାରକୁ ଯିବାକୁ ବାଧ୍ୟ ହେଉଥିଲେ।

୧୯୯୯ ମସିହାରେ, ମାତ୍ର ୧୩/୧୪ ବର୍ଷ ବୟସରେ ଶାରଦା ବାହାହୋଇ ଆସିଥିଲେ ଏଇ ଗାଁକୁ। ସେତେବେଳେ ତାଙ୍କୁ ବାହାରକୁ ଯିବାର ଅନୁମତି ନଥିଲା। ଏପରିକି ଘରେ ମଧ୍ୟ ଓଢ଼ଣା ଦେଇ ରହିବାକୁ ପଡୁଥିଲା। ସେବେ ମଧ୍ୟ ସେ ଅନୁଭବ କରିଥିଲେ ଯେ, ଗାଁରେ ପାଣିର ସମସ୍ୟା ରହିଛି। ତେବେ ସେତେବେଳେ ଶାରଦାଙ୍କର କୌଣସି ନିଷ୍ପତ୍ତି ନେବା ଭଳି ଅଧିକାର କିମ୍ବା ସାହସ ନଥିଲା।

Advertisment

ଧୀରେ ଧୀରେ କିନ୍ତୁ ପରିସ୍ଥିତି ବଦଳିଲା। ଆଉ ଶାରଦାଙ୍କୁ ଘରୁ ବାହାରିବାର ଅନୁମତି ମଧ୍ୟ ମିଳିଲା। ଗାଁର ପରିବେଶ ଓ ପରିସ୍ଥିତିର ଅନୁଧ୍ୟାନ ତଥା ବିଶ୍ଳେଷଣରୁ ଏହା ଅନୁଭବ କରିହେଉଥିଲା ଯେ, ନିକଟସ୍ଥ ବରୁଆ ନଦୀର ପାଣି ଗଚ୍ଛିତ ନ ରହି ବୋହିଯିବା ହିଁ ଗାଁରେ ଜଳାଭାବର ମୁଖ୍ୟ କାରଣ। ତେଣୁ କିଭଳି ନଦୀର ପାଣିକୁ ସମ୍ପୂର୍ଣ୍ଣ ରୂପେ ବୋହିଯିବାକୁ ନ ଦେଇ ତାକୁ ସଞ୍ଚୟ କରିହେବ ସେ ନେଇ ଉପାୟ ଚିନ୍ତା କରୁଥିଲେ ଶାରଦା ଓ ତାଙ୍କ ଭଳି ଅନ୍ୟ କେତେକ ସ୍ଥାନୀୟ ବାସିନ୍ଦା।

ଏମିତିବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ପରମାର୍ଥ' ସ°ସ୍ପର୍ଶରେ ଶାରଦା ଆସିଲେ। ଆଉ ଏଇ ଅନୁଷ୍ଠାନଟି ମାଧ୍ୟମରେ ହିଁ ସେ ଜାଣିବାକୁ ପାଇଲେ ତାଙ୍କ ଇପ୍ସିତ ଉପାୟ। ଗାଁର ଅନ୍ତତଃ ୩୦/୪୦ ଜଣ ମହିଳାଙ୍କୁ ନେଇ ଶାରଦା ଗଠନକଲେ 'ଜଲ୍ ସହେଲୀ' ସଂଗଠନ। ସେମାନଙ୍କୁ ନେଇ ବିଭିନ୍ନ ମିଟି°ର ଆୟୋଜନ ବି କଲେ। ତା'ପରେ ସମ୍ପୃକ୍ତ ମହିଳାମାନଙ୍କ ଦ୍ୱାରା ଆରମ୍ଭ ହେଲା ଜଳ ସ°ରକ୍ଷଣ ଅଭିଯାନ।

Advertisment

ଏଇ ଅଭିଯାନ ଅନ୍ତର୍ଗତ ପ୍ରଥମେ ସମ୍ପୃକ୍ତ ମହିଳାମାନେ ଗାଁରେ ଥିବା ୪ଟି ପୋଖରୀରେ କିଭଳି ପାଣି ସଂରକ୍ଷିତ ହୋଇ ରହିପାରିବ ସେ ଦିଗରେ କାର୍ଯ୍ୟ କଲେ। ପରେ ଗାଁ ନିକଟସ୍ଥ ବରୁଆ ନଦୀରେ ଏଇ ଜଲ୍ ସହେଲୀମାନେ ମିଶି ଏକ ବୋରି ବା ବସ୍ତା ବନ୍ଧ ତିଆରି କରିବାରେ ସଫଳ ହେଲେ।

ଏଥିପାଇଁ ପ୍ରଥମେ ୩ହଜାର ଟଙ୍କାର ବୋରି କିଣାଗଲା। ସଂଗଠନର ସବୁ ମହିଳା ଏଥିରେ ଆର୍ଥିକ ସହଯୋଗ କଲେ। ପ୍ରାୟ ୫ହଜାର ବୋରି ଧରି ସମ୍ପୃକ୍ତ ମହିଳାମାନେ ନଦୀ ନିକଟରେ ପହଞ୍ଚିବା ପରେ ସେ ସବୁରେ ନଦୀ କୂଳରୁ ହିଁ ବାଲି ଭର୍ତ୍ତି କରାଗଲା।

ଶାରଦା କହନ୍ତି, ସେମାନେ ସମସ୍ତେ ମିଶିକି ନିଜ ହାତରେ ହିଁ ବସ୍ତାଗୁଡ଼ିକର ମୁହଁ ସିଲାଇ କଲେ। ଆଉ ୮ଦିନ ମଧ୍ୟରେ ସେସବୁ ବସ୍ତାଗୁଡ଼ିକୁ ଥାକ ଥାକ କରି ରଖି ଜଲ୍ ସହେଲୀମାନେ ତିଆରି କଲେ ବୋରି ବା ବସ୍ତାର ଏକ ବଡ଼ ବନ୍ଧ। ଫଳରେ ନଦୀ ଜଳ ସମ୍ପୂର୍ଣ୍ଣ ବୋହି ନ ଯାଇ ଗାଁ ନିକଟରେ ଅଟକି ରହିପାରିଲା।

୨୦୨୧ ମସିହାରେ ତିଆରି ହୋଇଥିବା ଏଇ ବନ୍ଧ ଯୋଗୁଁ ଏବେ କେବଳ ବର୍ଷ ତମାମ ଗାଁ ଲୋକଙ୍କ ନିତ୍ୟ ନୈମିତ୍ତିକ ଆବଶ୍ୟକତା ପାଇଁ ପାଣି ଉପଲବ୍ଧ ହେଉନି ବରଂ ପ୍ରାୟ ୧ହଜାର କୃଷକଙ୍କ ପାଇଁ ନିଜ ଜମିରେ ଜଳସେଚନ କରାଇପାରିବାର ସୁବିଧା ମଧ୍ୟ ମିଳୁଛି।

ତେବେ ଖାଲି ସେତିକି ନୁହେଁ, ଗ୍ରାମ ପ୍ରଧାନଙ୍କ ସହାୟତାରେ ଶାରଦା ନିଜ ଗାଁରେ ଅନ୍ୟ କେତେକ ପୋଖରୀ ଓ କୂଅ ଖୋଳା କାମ କରାଇବାରେ ମଧ୍ୟ ସଫଳ ହୋଇଛନ୍ତି। ଏଇ କାରଣରୁ ଏବେ ସ୍ଥାନୀୟ ଚାଷୀମାନଙ୍କ ଫସଲ ଓ ଆଦରେ ମଧ୍ୟ ବୃଦ୍ଧି ଘଟିଛି।

ଜଳ ସଂରକ୍ଷଣ କ୍ଷେତ୍ରରେ ଏଭଳି ମହତ କାର୍ଯ୍ୟ କରୁଥିବାରୁ ନିକଟରେ ଶାରଦା ବ°ଶକାରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ 'ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ-୨୦୨୩'ରେ ସମ୍ମାନିତ କରାଯାଇଛି। ଆଉ ଏହା ପରେ ତାଙ୍କ ଦାୟିତ୍ୱ ଆହୁରି ବଢିଯାଇଥିବା ଶାରଦା କହନ୍ତି। ନିୟମିତଭାବେ ବିଭିନ୍ନ ମିଟିଂ ଆଦି ମାଧ୍ୟମରେ ସ୍ଥାନୀୟ ମହିଳାମାନଙ୍କୁ ଜଳ ସଂରକ୍ଷଣ ଦିଗରେ ସଚେତନ କରାଇବା ସହ ଅନ୍ୟ ଅନେକ ଜଲ୍ ସହେଲୀ ଗ୍ରୁପ୍ କିଭଳି ତିଆରି ହୋଇପାରିବ ସେ ଦିଗରେ କାର୍ଯ୍ୟ କରନ୍ତି ଶାରଦା।

ସେ ଓ ତାଙ୍କ ଅନ୍ୟ ଜଲ୍ ସହେଲୀ ସହଯୋଗୀମାନଙ୍କ ଯୋଗୁଁ କେବଳ ସେମାନଙ୍କ ଗାଁ କିମ୍ବା ଆଖପାଖ ଅଞ୍ଚଳର ପରିସ୍ଥିତି ସୁଧୁରିନି ଜଳକଷ୍ଟ ଭୋଗୁଥିବା ଅନ୍ୟ ଅନେକ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ମଧ୍ୟ ସମାଧାନର ବାଟ ଫିଟିପାରିଛି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com

Jal Satyagrah Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ