ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଅନ୍ୟ ଭାରତୀୟ କ୍ରିକେଟରଙ୍କ ତୁଳନାରେ ଅଧିକ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚାର ବି ବଳିଷ୍ଠ କାରଣ ରହିଛି। ଉଭୟ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପରୀକ୍ଷାନିରୀକ୍ଷାରେ ଉପନୀତ ଟି-୨୦ ଖେଳାଳିଙ୍କ ଟିମ୍ର ନେତୃତ୍ୱ ଦାୟିତ୍ୱ ପାଇଛନ୍ତି, ଯେଉଁଥିରେ ଯୁବ ଖେଳାଳି ଭରପୂର ଅଛନ୍ତି। ପ୍ରଥମେ ପନ୍ତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଏହି ଗୁରୁଦାୟିତ୍ୱ ମିଳିଥିଲା। ଏବେ ସେ ଟେଷ୍ଟ ଟିମ୍କୁ ଯାଇଥିବାରୁ ଆୟର୍ଲାଣ୍ଡ୍ ଗସ୍ତରେ ପାଣ୍ଡ୍ୟାଙ୍କୁ ଟି-୨୦ ଆନ୍ତର୍ଜାତିକ ଟିମ୍ର ଅଧିନାୟକ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାର୍ଦ୍ଦିକ ଟିମ୍ର ଉପ-ଅଧିନାୟକ ଥିଲେ।
ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପରେ ପନ୍ତ ଓ ପାଣ୍ଡ୍ୟାଙ୍କ ମଧ୍ୟରେ କିଏ ସବୁ ଦୃଷ୍ଟିରୁ ଅଧିକ ଯୋଗ୍ୟ, ତାହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାର ଫଳାଫଳ ଅପ୍ରତ୍ୟାଶିତ ଥିଲା, ଯେଉଁଠି ଭାରତୀୟ ଟିମ୍ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍କୁ ସହଜରେ ଜିତିଥିଲା। ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଯିବା ଯୋଗୁଁ ଶୃଙ୍ଖଳା ୨-୨ରେ ବରାବର ରହିଥିଲା। ଭାରତ ପାଇଁ ଅବଶ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ମାଟିରେ ପ୍ରଥମ ଥର ଟି-୨୦ ଶୃଙ୍ଖଳା ଜିତିବାର ସୁଯୋଗ ଥିଲା।
ଟି-୨୦ କ୍ରିକେଟ୍ରେ ପନ୍ତ ଓ ପାଣ୍ଡ୍ୟାଙ୍କ ନିକଟ ଅତୀତର ପ୍ରଦର୍ଶନ ମଧ୍ୟରେ ତୁଳନା କଲାବେଳେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ସେମାନଙ୍କ ପ୍ରଦର୍ଶନକୁ ନେଇ ପ୍ରଥମେ ଆଲୋଚନା କରାଯିବା ଦରକାର।
ପନ୍ତ ଚାରିଟି ମ୍ୟାଚ୍ରେ ମାତ୍ର ୫୭ ରନ୍ କରିଥିଲେ। ନା ପରାଜିତ ମ୍ୟାଚ୍ରେ ତାଙ୍କର ବ୍ୟାଟିଂରେ ଯୋଗଦାନ ଥିଲା ନା ବିଜିତ ମ୍ୟାଚ୍ରେ। କୌଣସି ମ୍ୟାଚ୍ରେ ସେ ଅଧିନାୟକୀୟ ଇନିଂସ୍ ଖେଳି ନ ଥିଲେ। ଟିମ୍ ଇଣ୍ଡିଆ ଯେଉଁ ଦୁଇଟି ମ୍ୟାଚ୍ ଜିତିଲା, ସେଥିରେ ବୋଲର୍ ଓ ବ୍ୟାଟରଙ୍କ ଯୋଗଦାନ ଥିଲା; କିନ୍ତୁ ପନ୍ତ କ୍ରମାଗତ ନିରାଶ କରିଚାଲିଥିଲେ।
ବିଜିତ ମ୍ୟାଚ୍ରେ ବି ତାଙ୍କ ଅଧିନାୟକତ୍ୱର ବାହାଦୁରୀ ଥିବା ଭଳି ଜଣାପଡ଼ୁ ନ ଥିଲା। ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ନେଇ ସମାଲୋଚନା କରାଯିବାରେ ବିଚିତ୍ରତା ନ ଥିଲା; ହେଲେ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିଙ୍କ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୃଙ୍ଖଳା ଡ୍ର’ ରଖିବାର ଶ୍ରେୟ ବି ତାଙ୍କୁ ମିଳିଲାନି। ଏହାର ବିପରୀତ, ତାଙ୍କ ଅଧିନାୟକୀୟ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଯିବା ଅବ୍ୟାହତ ରହିଛି।
ଅନ୍ୟପଟେ, ପୂରା ଶୃଙ୍ଖଳାରେ ପଡ଼ିଆରେ ପାଣ୍ଡ୍ୟାଙ୍କ ସକ୍ରିୟତା ବେଶ୍ ବାରି ହୋଇଯାଉଥିଲା। ମନେ ହେଉଥିଲା ଯେ ସେ ତାଙ୍କ ଉପ-ଅଧିନାୟକ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଉଥିଲେ। ବ୍ୟାଟିଂରେ ସେ ଚାରିଟି ମ୍ୟାଚ୍ରେ ୧୫୩.୯୪ ଷ୍ଟ୍ରାଇକ୍ ରେଟ୍ରେ ୧୧୭ ରନ୍ କରିଥିଲେ। ଚତୁର୍ଥ ମ୍ୟାଚ୍ରେ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକ ମିଶି ଟିମ୍କୁ ଏକ ଦୁର୍ବଳ ସ୍ଥିତିରୁ ମୁକୁଳାଇ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।
ଟିମ୍ ଏହି ମ୍ୟାଚ୍କୁ ବଡ଼ ବ୍ୟବଧାନରେ ଜିତିଥିଲା। ଉଭୟଙ୍କ ମଧ୍ୟରେ ୩୫ ବଲ୍ରୁ ୬୫ ରନ୍ର ଦମ୍ଦାର ଭାଗୀଦାରୀ ହୋଇଥିଲା। ପାଣ୍ଡ୍ୟା ୩୧ ବଲ୍ରୁ ୪୬ ରନ୍ର ଇନିଂସ୍ ଖେଳିଥିଲେ। ସବୁ ମ୍ୟାଚ୍ରେ ତାଙ୍କ ବ୍ୟାଟିଂ-ଯୋଗଦାନ ଉପଯୋଗୀ ଥିଲା। କିନ୍ତୁ ବୋଲିଂରେ କୌଣସି ଭୂମିକା ନ ଥିଲା। ସେ ବେଶୀ ବୋଲିଂ କରି ନ ଥିଲେ। ଆଇପିଏଲ୍ରେ ସେ ଅଳ୍ପ ଅଥଚ ଭଲ ବୋଲିଂ କରିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ତାଙ୍କର ଏହି ଦିଗଟି ପୁଣି ଅନ୍ଧାରରେ ରହିଗଲା। ହୁଏତ ଆୟରଲାଣ୍ଡ୍ରେ ସେ ବୋଲିଂରେ କିଛି କମାଲ୍ କରିପାରନ୍ତି।
ଉଭୟଙ୍କ ମଧ୍ୟରେ ତୁଳନା କଲା ବେଳେ ଏଥିରେ ଚଳିତ ବର୍ଷର ଆଇପିଏଲ୍କୁ ଅନ୍ତର୍ଭୁକ୍ତ କରିବାକୁ ହେବ। ଲିଗ୍ର ପଞ୍ଚଦଶ ସଂସ୍କରଣରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଓ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଟିମ୍ର ନେତୃତ୍ୱ ନେଇଥିଲେ। ଦିଲ୍ଲୀ ଟିମ୍ ଫ୍ଲେ-ଅପ୍କୁ ଯାଇପାରିଲାନି ଅଥଚ ନବାଗତ ଗୁଜରାଟ ମୁକୁଟ ଜିତିଥିଲା। ଅତଏବ, ଏହି ସଂସ୍କରଣରେ ଅଧିନାୟକୀୟ ପ୍ରଦର୍ଶନ ଦିଗରୁ ବିଚାର କଲେ ପାଣ୍ଡ୍ୟାଙ୍କ ଠାରୁ ପନ୍ତ ବହୁ ପଛରେ ପଡ଼ିଯିବେ।
ଆଇପିଏଲ୍ରେ ପ୍ରଥମ ଥର ଅଧିନାୟକତ୍ୱ କରିଥିବା ପାଣ୍ଡ୍ୟାଙ୍କ ଉପରେ ବାଜି ଲଗାଇ ଗୁଜରାଟ ଫ୍ରାଞ୍ଚାଇଜୀ ଏକ ରିସ୍କ ନେଇଥିଲା, କାରଣ ପାଣ୍ଡ୍ୟା ଆଘାତରୁ ସୁସ୍ଥ ହୋଇ ଆଇପିଏଲ୍ ଜରିଆରେ ହିଁ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶେଷ ଥର ଟି-୨୦ ବିଶ୍ୱକପ୍ ୨୦୨୧ରେ ସେ ଭାରତୀୟ ଟିମ୍ ପକ୍ଷରୁ ଖେଳି ନିଜ ପ୍ରଦର୍ଶନରେ ନିରାଶ କରିଥିଲେ ଏବଂ ତାଙ୍କୁ ଖେଳାଇବା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।
ଗୁଜୁରାଟ ଫ୍ରାଞ୍ଚାଇଜୀ ତାଙ୍କୁ କେଉଁ ଦୃଷ୍ଟିକୋଣରୁ ଅଧିନାୟକ କରିଥିଲା, ତାହା ଅନେକଙ୍କ ବୋଧଶକ୍ତି ବାହାରେ ଥିଲା। ଏହି ଟିମ୍ରେ ମଧ୍ୟ ଅନ୍ୟ ଟିମ୍ ଭଳି ସେତେ ଶକ୍ତିଶାଳୀ ଖେଳାଳି ନ ଥିଲେ। ଏହାସତ୍ତ୍ୱେ ଟିମ୍ ତୁଙ୍ଗ ଶିଖରରେ ପହଞ୍ଚିବା ଅପ୍ରତ୍ୟାଶିତ ଥିଲା।
ଟିମ୍ର ଜର୍ସି ଅନାବରଣ ସମୟରେ ଅଧିନାୟକତ୍ୱରେ ଅନଭିଜ୍ଞ ପାଣ୍ଡ୍ୟା ଏମିତି ଏକ କଥା କହିଥିଲେ, ଯାହା ମନ୍ତ୍ର ଭଳି କାମ କରିଥିଲା। ସେ କହିଥିଲେ ଯେ ଟିମ୍ ଯଦି ଭଲ ପ୍ରଦର୍ଶନ କରିବ, ଏହାର ଶ୍ରେୟ ଯୁବ ଖେଳାଳିଙ୍କ ପାଖକୁ ଯିବ। ଯଦି ଖରାପ ପ୍ରଦର୍ଶନ କରିବ, ତା’ହେଲେ ସେ ସବୁ ଦିଗରୁ ଦାୟୀ ହେବେ। ଏହି ମନ୍ତବ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଧିନାୟକଙ୍କ ପ୍ରତି ଭରସା କାଏମ୍ ରଖିଥିଲା।
ଗୁଜରାଟର ବ୍ୟାଟିଂ ଲାଇନ୍ଅପ୍ ଦୁର୍ବଳ ଥିଲା। ପାଣ୍ଡ୍ୟା ଅଧିକାଂଶ ମ୍ୟାଚ୍ରେ ଫାଷ୍ଟ୍ ଡାଉନ୍ ଓ ସେକେଣ୍ଡ ଡାଉନ୍ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ; କିନ୍ତୁ ଏଥିରେ ରିସ୍କ ଥିଲା ଯେ ନିମ୍ନ କ୍ରମରେ ଭଲ ଖେଳୁଥିବା ପାଣ୍ଡ୍ୟା ଶୀର୍ଷକ୍ରମରେ ବିଫଳ ହୋଇପାରନ୍ତି। କିନ୍ତୁ ପାଣ୍ଡ୍ୟା ଉପରକ୍ରମରେ ଖେଳିବା ଦ୍ୱାରା ଟିମ୍ର ବ୍ୟାଟିଂକ୍ରମ ମଜଭୁତ ହେଲା। ଡେଭିଡ୍ ମିଲର ଓ ରାହୁଲ ତେୱାତିଆଙ୍କ ଭଳି ଖେଳାଳି ମ୍ୟାଚ୍ ଫିନିଶର୍ ଭୂମିକାରେ ଫିଟ୍ ହୋଇଗଲେ। ବିଭିନ୍ନ ପରିସ୍ଥିତିରେ ନିଜ ନିଷ୍ପତ୍ତିରେ ଅଟଳ ରହିବା ଯୋଗୁଁ ପାଣ୍ଡ୍ୟା ଅଧିନାୟକ ରୂପରେ ପରିପକ୍ୱ ଜଣାପଡ଼ୁଥିଲେ।
ବ୍ୟାଟିଂରେ ସେ ୪୮୭ ରନ୍ ସଂଗ୍ରହ କରିବା ସହିତ ବୋଲିଂରେ ୮ ଓ୍ୱିକେଟ୍ ନେଇଥିଲେ। ରାଜସ୍ଥାନ ରୟାଲ୍ସ ବିପକ୍ଷ ଏକ ଲିଗ୍ ମ୍ୟାଚ୍ରେ ପାଣ୍ଡ୍ୟା ୮୭ ରନ୍ର ଧୂଆଁଦାର ଇନିଂସ୍ ଖେଳି ଟିମ୍କୁ ଜିତାଇଥିଲେ। ଫାଇନାଲ୍ ମ୍ୟାଚ୍ରେ ସେ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିଲେ।
ଅନ୍ୟପଟେ, ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଭାବେ ପନ୍ତ ବିଫଳ ହୋଇଥିଲେ। ଦିଲ୍ଲୀ ପ୍ଲେ-ଅଫ୍କୁ ଯାଇପାରି ନ ଥିଲା। ପ୍ଲେ-ଅଫ୍କୁ ଯିବା ଲାଗି ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ନିଜ ଶେଷ ଲିଗ୍ ମ୍ୟାଚ୍ ଜିତିବା ଜରୁରୀ ଥିଲା। କିନ୍ତୁ ସିଜନ୍ର ସବୁଠାରୁ ଦୁର୍ବଳ ଟିମ୍ ଠାରୁ ପନ୍ତ ବାହିନୀ ପରାଜିତ ହୋଇଥିଲା।
ବିଭିନ୍ନ ପରିସ୍ଥିତିରେ ପନ୍ତଙ୍କ ନିଷ୍ପତ୍ତି ଟିମ୍ ଉପରେ ଭାରୀ ପଡ଼ିଥିଲା। ବିଶ୍ୱ କ୍ରିକେଟ୍ରେ କ୍ଷୀପ୍ରତମ ବୋଲରଙ୍କ ମଧ୍ୟରେ ପରିଗଣିତ ଦକ୍ଷିଣ ଆଫ୍ରିକାର ଆନରିକ୍ ନୋର୍କିଆଙ୍କୁ ବେଶୀ ମ୍ୟାଚ୍ ଖେଳିବାର ସୁଯୋଗ ନ ଦେବା ଦ୍ୱାରା ଟିମ୍ର ଦ୍ରୁତ ବୋଲିଂ ଲାଇନ୍ଅପ୍ ଦୁର୍ବଳ ହୋଇଯାଇଥିଲା।
ବ୍ୟାଟିଂରେ ମଧ୍ୟ ସେ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ସେ ମୋଟ୍ ୩୪୦ ରନ୍ କରିଥିଲେ। ୨୦୧୬ରେ ଆଇପିଏଲ୍ରେ ପଦାର୍ପଣ କରିଥିବା ଓ୍ୱିକେଟ୍କିପର୍-ବ୍ୟାଟର୍ ପନ୍ତ ପ୍ରଥମ ଥର ଲିଗ୍ରେ କୌଣସି ଅର୍ଦ୍ଧଶତକ ଲଗାଇପାରି ନ ଥିଲେ।
ପନ୍ତ ଓ ପାଣ୍ଡ୍ୟାଙ୍କ ଯୋଗ୍ୟତାର ତୁଳନା କଲା ବେଳେ ସେମାନଙ୍କ ମଧ୍ୟରେ ଆଚରଣଗତ ତୁଳନା କରାଯିବା ବି ଆବଶ୍ୟକ ମନେହୁଏ। ଏଥର ଆଇପିଏଲ୍ ସମୟରେ ପାଣ୍ଡ୍ୟାଙ୍କୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ବହୁ ସମୟରେ ସକାରାତ୍ମକ ରହୁଥିବାର ଦେଖିବାକୁ ମିଳିଥିଲା।
ଲିଗ୍ ଚାଲିଥିବା ସମୟରେ ଥରେ ଗୁଜରାଟ ଟିମ୍ର ବରିଷ୍ଠ ପେସର୍ ମହମ୍ମଦ ଶାମୀ ଅଧିନାୟକ ପାଣ୍ଡ୍ୟାଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ପଡ଼ିଆରେ ଆବେଗ ଉପରେ ନିୟନ୍ତ୍ରଣ ରଖ, କାରଣ ପୂରା ଜଗତର ଦୃଷ୍ଟି ତୁମ ଉପରେ ଅଛି। ପାଣ୍ଡ୍ୟା ତାଙ୍କ କଥା ମାନିଥିଲେ। ସେ ନିଜ ଆଚରଣରେ ଲଗାତାର ସୁଧାର ଆଣିଥିଲେ ଏବଂ ‘ପରିବର୍ତ୍ତିତ’ ପାଣ୍ଡ୍ୟା କ୍ରିକେଟ୍ ବିଶ୍ଳେଷକଙ୍କ ପ୍ରଶଂସାଭାଜନ ହୋଇପାରିଥିଲେ।
କିନ୍ତୁ ପନ୍ତଙ୍କ ମଧ୍ୟରେ ପାଣ୍ଡ୍ୟାଙ୍କ ଭଳି ସକାରାତ୍ମକ ଦେଖିବାକୁ ମିଳି ନ ଥିଲା। ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ ଏକ ଲିଗ୍ ମ୍ୟାଚ୍ ସମୟରେ ଅମ୍ପାୟାରଙ୍କ ନୋ-ବଲ୍ ନ ଦେବା ନିଷ୍ପତ୍ତିରେ ପନ୍ତ ଯେଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ, ତାହା ଜଣେ ଅଧିନାୟକଙ୍କ ଠାରୁ ଆଶା କରାଯାଇ ନ ପାରେ। ସେ କ୍ରିଜ୍ରେ ଥିବା ତାଙ୍କ ଟିମ୍ର ଦୁଇ ବ୍ୟାଟରଙ୍କୁ ମ୍ୟାଚ୍ ଛାଡ଼ି ଫେରିଆସିବାକୁ ଇଙ୍ଗିତ କରିଥିଲେ। ଏପରିକି ନିଜ ଟିମ୍ର କୋଚ୍(ସହକାରୀ)ଙ୍କୁ ଅମ୍ପାୟାରଙ୍କ ପାଖକୁ ପଠାଇଥିଲେ। ଏହା ପନ୍ତଙ୍କ ନେତୃତ୍ୱର ଅପରିପକ୍ୱତାକୁ ଦର୍ଶାଉଥିଲା।
ପନ୍ତ ଓ ପାଣ୍ଡ୍ୟାଙ୍କ ମଧ୍ୟରୁ ବ୍ୟକ୍ତିଗତ ପ୍ରଦର୍ଶନ ଓ ଅଧିନାୟକତ୍ୱ ଦୃଷ୍ଟିରୁ ପାଣ୍ଡ୍ୟା ଅଧିକ ଯୋଗ୍ୟ। ତେବେ ଆୟର୍ଲାଣ୍ଡ ଗସ୍ତ ପାଣ୍ଡ୍ୟାଙ୍କ ନେତୃତ୍ୱ ଦକ୍ଷତାକୁ ଅଧିକ ସ୍ପଷ୍ଟ କରିବ। ଆଇପିଏଲ୍ ଆନ୍ତର୍ଜାତିକ କ୍ରିକେଟ୍ ନୁହେଁ ଯଦିଓ ସେଥିରେ ବଡ଼ ବଡ଼ ଆନ୍ତର୍ଜାତିକ କ୍ରିକେଟର୍ ଖେଳୁଛନ୍ତି। ଆୟରଲାଣ୍ଡ ବି ଏକ ବଡ଼ ଟିମ୍ ନୁହେଁ, ତଥାପି ପ୍ରଥମ ଥର ଭାରତୀୟ ଟିମ୍ର ନେତୃତ୍ୱ ନେବା ତାଙ୍କ ପାଇଁ ବଡ଼ ଆହ୍ୱାନ ହେବ।
ଆନ୍ତର୍ଜାତିକ କ୍ରିକେଟ୍ରେ ପନ୍ତଙ୍କ ଅଧିନାୟକତ୍ୱ ତ ଦେଖିଲେ, ଏବେ ପାଣ୍ଡ୍ୟାଙ୍କ ନେତୃତ୍ୱ ଦେଖିବା ବାକି ରହିଲା। ଏ କଥା ମନେ ରଖିବାକୁ ହେବ ଯେ ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ‘ଭବିଷ୍ୟତର ଅଧିନାୟକ’ ଦୌଡ଼ରେ ଅଛନ୍ତି।
ଜଗନ୍ନାଥ ଭିଲ୍ଲା, ସୁନ୍ଦରପଦା, ଭୁବନେଶ୍ୱର
ଦୂରଭାଷ: ୯୪୩୮୧୭୯୨୧୯
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)