‘ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଯାଉ’

ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଗଲେ ନିଯୁକ୍ତି ପ୍ରକ୍ରିୟା ଏବଂ ଚୟନରେ ସ୍ୱଚ୍ଛତା ଅଧିକ ରହିପାରିବ। ଏଭଳି ଜଣେ ବ୍ୟକ୍ତିଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଯିବ ଯିଏ ସରକାରଙ୍କ ଆଜ୍ଞା ପାଳନ କରିବାକୁ ବାଧ୍ୟ ହେବ ନାହିଁ ବା ପ୍ରଭାବିତ ହେବ ନାହିଁ।

କାର୍ଯ୍ୟପାଳିକା ବନାମ ନ୍ୟାୟପାଳିକା

ମାନ୍ୟବର ସୁପ୍ରିମ୍‌କୋର୍ଟ ନିକଟରେ ନିର୍ବାଚନ କମିଶନଙ୍କ ନିଯୁକ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଓ ନିରପେକ୍ଷ ନିର୍ବାଚନ କମିଶନ ନିଯୁକ୍ତି ଉପରେ ଜୋର୍ ଦେଇଛନ୍ତି । ଏ ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣିକରି ମାନ୍ୟବର କୋର୍ଟ କହିଛନ୍ତି ଯେ ଆମ ଦେଶର ସମ୍ବିଧାନ ମୁଖ୍ୟ ନିର୍ବାଚନ କମିଶନ ଏବଂ ଦୁଇଜଣ ନିର୍ବାଚନ କମିଶନଙ୍କ ଉପରେ ଅଧିକ ଦାୟିତ୍ୱ ଦେଇଛି। ମୁଖ୍ୟ ନିର୍ବାଚନ କମିଶନ ପଦବୀରେ ଟିଏନ୍ ଶେଷାନ୍‌ଙ୍କ ଭଳି ଜଣେ ଦୃଢ ଚରିତ୍ରର ବ୍ୟକ୍ତିଙ୍କୁ ଅବସ୍ଥାପିତ କରାଯବା ଉଚିତ।

ମାନ୍ୟବର କୋର୍ଟ ଆହୁରି କହିଛନ୍ତି ଯେ ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ସାମିଲ କରାଯାଉ। ଏହା ଫଳରେ ନିଯୁକ୍ତି ପ୍ରକ୍ରିୟା ଏବଂ ଚୟନରେ ସ୍ୱଚ୍ଛତା ଅଧିକ ରହିପାରିବ। ଏଭଳି ଜଣେ ବ୍ୟକ୍ତିଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଯିବ ଯିଏ ସରକାରଙ୍କ ଆଜ୍ଞା ପାଳନ କରିବାକୁ ବାଧ୍ୟ ହେବ ନାହିଁ ବା ପ୍ରଭାବିତ ହେବ ନାହିଁ।

ସମସ୍ତ ରାଜନୈତିକ ଚାପ ସତ୍ତ୍ୱେ ମଧ୍ୟ ପ୍ରଭାବିତ ନ ହୋଇ କାର୍ଯ୍ୟ କରିପାରିବେ । କିନ୍ତୁ ମାନ୍ୟବର କୋର୍ଟଙ୍କ ଏହି ମନ୍ତବ୍ୟକୁ ଦେଶର ଆଟର୍ଣ୍ଣି ଜେନେରାଲ୍ ଏବଂ ସଲିସିଟର୍‌ ଜେନେରାଲ୍ କାର୍ଯ୍ୟପାଳିକା ଉପରେ ନ୍ୟାୟପାଳିକାର ଦଖଲ ବା ହସ୍ତକ୍ଷେପ ବୋଲି ମାନ୍ୟବର କୋର୍ଟ କହିଛନ୍ତି।

ଆଟର୍ଣ୍ଣି ଜେନେରାଲ୍ ଓ ସଲିସିଟର୍‌ ଜେନେରାଲ୍‌ଙ୍କ ମତରେ ମାନ୍ୟବର କୋର୍ଟଙ୍କ ମନ୍ତବ୍ୟ ଗଣତନ୍ତ୍ର ପାଇଁ ବିପଦ। ଆଇନ୍ ବିଭାଗର ଶୀର୍ଷ ଅଧିକାରୀମାନଙ୍କ ମତ ହେଉଛି, ଯଦି ମାନ୍ୟବର କୋର୍ଟଙ୍କ କଥାକୁ ଗ୍ରହଣ କରାଯିବ ତେବେ ପୁନର୍ବାର ସମ୍ବିଧାନ ଲେଖିବାକୁ ପଡ଼ିବ। ଦେଶର ସମ୍ବିଧାନ ଗଣତନ୍ତ୍ରର ଅଲଗା ଅଲଗା ସ୍ତମ୍ଭ ଏବଂ ସେମାନଙ୍କ କାର୍ଯ୍ୟ (ଶକ୍ତି)ର ବର୍ଗୀକରଣ ସ୍ଥିରକରିଛି।

ତେବେ ହସ୍ତକ୍ଷେପ କଥା ଉଠୁଛି କେଉଁଠି? ପଞ୍ଜାବ କ୍ୟାଡର୍‌ର ଆଇଏଏସ୍ ଅଧିକାରୀ ଥିବା ଅରୁଣ ଗୋଏଲ୍‌ଙ୍କୁ କେନ୍ଦ୍ର କ୍ୟାବିନେଟ୍ ନିର୍ବାଚନ କମିଶନ ନିଯୁକ୍ତି କରିଥିଲା। ସୁପ୍ରିମ୍‌କୋର୍ଟଙ୍କ ସାମ୍ବିଧାନିକ ପୀଠ କେବଳ ନିଯୁକ୍ତି ପ୍ରକ୍ରିୟା ଦେଖିବା ପାଇଁ ସରକାରଙ୍କଠାରୁ ସେହି ଫାଇଲ୍ ମାଗିଥିଲେ କିନ୍ତୁ ଆଟର୍ଣ୍ଣି ଜେନେରାଲ୍ ଏହା ଉପରେ ଆପତ୍ତି ଉଠାଇଥିଲେ। ସମ୍ବିଧାନ ପୀଠ ଅରୁଣ ଗୋଏଲଙ୍କ ସ୍ୱେଚ୍ଛାରେ ଅବସର ନେବା ଏବଂ ନିର୍ବାଚନ କମିଶନ ଭାବେ ନିଯୁକ୍ତି ପାଇବା ପ୍ରସଙ୍ଗରେ କିଛି ବିସଙ୍ଗତି ଥିବା ହୃଦୟଙ୍ଗମ କରି ଫାଇଲ୍ ମାଗିଥିଲେ।

ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତିଙ୍କୁ କମିଟିରେ ରଖାଯିବା ପରାମର୍ଶ କେବଳ ପ୍ରସଙ୍ଗଗତ। ବିଚାରପତି କେ.ଏମ୍. ଜୋସେଫ୍ କହିଥିଲେ ଯେ ସିବିଆଇ ନିର୍ଦ୍ଦେଶକ ଏବଂ କେନ୍ଦ୍ର ଭିଜିଲାନ୍ସ କମିଶନଙ୍କ ନିଯୁକ୍ତି ବେଳେ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି କମିଟିରେ ରଖାଯାଇଥାଏ। ସେତେବେଳେ କ’ଣ ଗଣତନ୍ତ୍ର ବିପଦରେ ପଡ଼ିଥାଏ କି? କଥା ହେଉଛି ଏ ପ୍ରସଙ୍ଗରେ ସମ୍ବିଧାନ ପୀଠ ଏବଂ କାର୍ଯ୍ୟପାଳିକା ମଧ୍ୟରେ ଏକ ସାମ୍ବିଧାନିକ ଚାଲେଞ୍ଜ୍‌ ସୃଷ୍ଟି ହୋଇଛି।

ସମ୍ବିଧାନ ପୀଠଙ୍କ ପ୍ରଶ୍ନ ହେଉଛି ଦେଶର ମୁଖ୍ୟ ନିର୍ବାଚନ କମିଶନ ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନଙ୍କ କାର୍ଯ୍ୟକାଳ ୬ ବର୍ଷ କିନ୍ତୁ ସେମାନଙ୍କୁ ୬ ବର୍ଷର ଅବଧି ପୂରଣ କରିବାକୁ ଦିଆଯାଉ ନାହିଁ କାହିଁକି? ମୁଖ୍ୟ ନିର୍ବାଚନ କମିଶନ ଓ ଅନ୍ୟ ଦୁଇ କମିଶନ ସେମାନଙ୍କ କାର୍ଯ୍ୟ ଅବଧି ପୂର୍ବରୁ ଅବସର ନେଉଛନ୍ତି ଅଥବା ସେମାନଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଉଛି କାହିଁକି ବୋଲି ସମ୍ବିଧାନ ପୀଠ ମଧ୍ୟ ପ୍ରଶ୍ନ କରିଛନ୍ତି।

ଯଦି ସରକାର ତାଙ୍କ ଆଜ୍ଞା ପାଳନ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନ ଭାବେ ନିଯୁକ୍ତି ଦିଅନ୍ତି ତେବେ ସେହି ବ୍ୟକ୍ତିଙ୍କ ମାନସିକତା ସରକାରଙ୍କ ମାନସିକତା ଭଳି ହେବ। ସେମାନଙ୍କୁ କାର୍ଯ୍ୟ କରିବାର ସ୍ୱାଧୀନତା ମିଳିବ ନାହିଁ। ଦେଶର ନିର୍ବାଚନ କମିଶନ ପୂର୍ଣ୍ଣରୂପେ ସ୍ୱାୟତ୍ତ ଏବଂ ସ୍ୱାଧୀନ ହେବା ଉଚିତ।

ସୁପ୍ରିମ୍‌କୋର୍ଟଙ୍କ ସମ୍ବିଧାନ ପୀଠର ମୁଖ୍ୟ ହେଉଛନ୍ତି ବିଚାରପତି କେ.ଏମ୍. ଜୋସେଫ୍ ଯିଏ ନିର୍ବାଚନ କମିଶନଙ୍କ ନିଯୁକ୍ତିକୁ ନେଇ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରୁଛନ୍ତି। ଭାରତରେ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା ଯିଏ ଦେଶରେ ନିର୍ବାଚନ ଉପ-ନିର୍ବାଚନ କରାଇଥାଏ। ଦେଶର ଜନସାଧାରଣଙ୍କ ଭୋଟ୍‌ ଦେବାର ଅଧିକାରକୁ ଜୀବନ୍ତ ଏବଂ ପ୍ରାସଙ୍ଗିକ କରି ରଖିବାର ଦାୟିତ୍ୱ ନିର୍ବାଚନ କମିଶନଙ୍କର।

ଟି.ଏନ୍. ଶେଷାନ୍ ତାଙ୍କ କାର୍ଯ୍ୟକାଳ ସମୟରେ ନିର୍ବାଚନ ପ୍ରକ୍ରିୟାର ଆମୂଳଚୁଳ ପରିବର୍ତ୍ତନ କରିଥିଲେ। ରାଜନୈତିକ ଚାପର ଊର୍ଦ୍ଧରେ ନିର୍ବାଚନ ପ୍ରକ୍ରିୟାକୁ ପାରଦର୍ଶି ଓ ବିଶ୍ୱସନୀୟ କରିପାରିଥିଲେ। ତାଙ୍କ କାର୍ଯ୍ୟଶୈଳୀ ଉପରେ ରାଜନୈତିକ ପ୍ରଭାବ ପଡ଼ିବାକୁ ଦେଇ ନ ଥିଲେ ଟି.ଏନ୍. ଶେଷାନ୍। କିନ୍ତୁ ତାଙ୍କ ପରେ କୌଣସି ନିର୍ବାଚନ କମିଶନଙ୍କୁ ୬ ବର୍ଷ କାର୍ଯ୍ୟ କରିବାର ସୁଯୋଗ ମିଳି ନାହିଁ। କେହି ନିର୍ବାଚନ ପ୍ରକ୍ରିୟାକୁ ସୁଧାରିବା ପାଇଁ ଉଦ୍ୟମ କରି ନାହାଁନ୍ତି।

ବୋଧହୁଏ ଏହି କାରଣରୁ ସୁପ୍ରିମ୍‌କୋର୍ଟଙ୍କ ସମ୍ବିଧାନପୀଠ ନିର୍ବାଚନ କମିଶନଙ୍କ ନିଯୁକ୍ତି ସମ୍ପର୍କୀତ ମାମଲାର ଶୁଣାଣୀ ବେଳେ ଏଭଳି କଥା କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନ ଓ ଦୁଇ କମିଶନଙ୍କ ନିଯୁକ୍ତି ସଂସଦ କରିଥାଏ। ସମ୍ବିଧାନରେ ଏମାନଙ୍କ ନିଯୁକ୍ତି କଥା ଉଲ୍ଲେଖ ନ ଥିବାରୁ ସରକାର ଏହାର ଫାଇଦା ଉଠାଉଛନ୍ତି ବୋଲି ସମ୍ବିଧାନପୀଠ କହିଛନ୍ତି।

ମାନ୍ୟବର କୋର୍ଟଙ୍କ ମନ୍ତବ୍ୟ ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଅନେକବାର ପ୍ରଶ୍ନ ଉଠିଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟକାଳ ୬ ବର୍ଷ ଅଥବା ନିଯୁକ୍ତି ପାଇଥିବା ବ୍ୟକ୍ତିକୁ ୬୫ ବର୍ଷ ହେବା ପର୍ଯ୍ୟନ୍ତ। ଅର୍ଥାତ ନିଯୁକ୍ତି ପାଇଥିବା ବ୍ୟକ୍ତି ଯଦି ନିଯୁକ୍ତି ପାଇବାର କିଛି ବର୍ଷ ପରେ ୬୫ ବର୍ଷରେ ପଦାର୍ପଣ କରନ୍ତି ତେବେ ତାଙ୍କୁ ଅବସର ନେବାକୁ ପଡ଼ିଥାଏ। କିନ୍ତୁ ଯେଉଁମାନଙ୍କୁ ନିର୍ବାଚନ କମିଶନ ଭାବେ ନିଯୁକ୍ତି ଦିଆଯାଉଛି ସେମାନଙ୍କର ବୟସ ଅଧିକ କାରଣରୁ ସେମାନେ ୬ ବର୍ଷର ଅବଧି ପୂରଣ କରିପାରୁ ନାହାଁନ୍ତି।

ଏହାର ଅର୍ଥ ନୁହେଁ ଯେ ସରକାର ନିଯୁକ୍ତି ଦେଉଥିବା ବ୍ୟକ୍ତିଙ୍କ ଜନ୍ମତାରିଖ ଜାଣି ନାହାଁନ୍ତି। ଉଲ୍ଲେଖନୀୟ ଯେ ଆଇନ କମିଶନ ମଧ୍ୟ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଦେଶର ମୁଖ୍ୟ ନିର୍ବାଚନ କମିଶନ ଓ ଅନ୍ୟ ଦୁଇ ନିର୍ବାଚନ କମିଶନଙ୍କ ଚୟନ ତିନିଜଣିଆ ଚୟନ କମିଟିର ସୁପାରିଶ୍‌ ଅନୁସାରେ ହେବା ଉଚିତ। ଏହି ତିନିଜଣିଆ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧି ଦଳର ନେତା ଅଥବା ଲୋକସଭାର ବୃହତ୍ତମ ବିରୋଧି ଦଳର ନେତା ଓ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ରହିବା ଆବଶ୍ୟକ।

ଏହି କାରଣରୁ ମାମଲାର ଶୁଣାଣୀ କରୁଥିବା ସମ୍ବିଧାନ ପୀଠର ବିଚାରପତି କେ.ଏମ୍. ଜୋସେଫ୍ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟାରେ କ’ଣ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଯିବ କି? ନିର୍ବାଚନ କମିଶନ ସରକାର, ରାଜନୈତିକ ଦଳ ବା ନେତାଙ୍କ ପ୍ରଭାବରୁ ଊର୍ଦ୍ଧ୍ୱରେ ରହି ନିରପେକ୍ଷ ଭାବେ କାର୍ଯ୍ୟ କରିବା ଆବଶ୍ୟକ।

ନିର୍ବାଚନ କମିଶନଙ୍କ ନିଯୁକ୍ତି ଦ୍ୱିପାକ୍ଷୀୟ ହେବା ଉଚିତ ବୋଲି ଅନେକ ସମୟରେ ଦାବି ଉଠୁଛି। ସରକାରଙ୍କ ବ୍ୟତୀତ ଅନ୍ୟ ଏକ ପକ୍ଷ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ଉଚିତ। ସୁପ୍ରିମ୍‌କୋର୍ଟଙ୍କ ସମ୍ବିଧାନ ପୀଠ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଠିକ ନିଶ୍ଚୟ। ନିର୍ବାଚନ କମିଶନ ସରକାରୀ ଚାପରୁ ଊର୍ଦ୍ଧରେ ରହିବା ଉଚିତ।

ଗଣତନ୍ତ୍ର ବିଶ୍ୱସନୀୟତା ଏହାର ପାରଦର୍ଶୀ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ଭର କରିଥାଏ। କିନ୍ତୁ ଅନେକଙ୍କ ମତରେ ନିର୍ବାଚନ କମିଶନଙ୍କ ନିଯୁକ୍ତିକୁ ନେଇ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟକୁ ବିଧାୟିକା ଉପରେ ନ୍ୟାୟାପାଳିକାର ଦଖଲ। ସମ୍ବିଧାନ ବିଧାୟିକାକୁ ଆଇନ ପ୍ରଣୟନର ଦାୟିତ୍ୱ ଦେଇଛି, ଗଣତନ୍ତ୍ରର ସବୁ ସ୍ତମ୍ଭ ସେମାନଙ୍କ ପାଇଁ ଧାର୍ଯ୍ୟ ସୀମା ମଧ୍ୟରେ ରହି ଦେଶ ଏବଂ ଆଇନକୁ ଅଧିକ ମଜଭୁତ୍ କରିବା ଏବଂ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଆବଶ୍ୟକ।

ରାମଚନ୍ଦ୍ରପୁର, ରଣପୁର

ଇମେଲ୍: mediaodisha2@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)