ଦିନେ ଅର୍ଥାଭାବରୁ ଦିପକ ପାଠ ପଢ଼ିପାରିନଥିଲେ, ଏବେ ପିଲାଙ୍କୁ ମାଗଣା ପଢ଼ାଉଛନ୍ତି

ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଥମେ ଘର ଘର ବୁଲି ବାପାମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲା ଆଣୁଥିଲେ ଦୀପକ ଓ ସୀତାରାଣୀ । ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦।

Dipak Kumar

ଆହେ ଦୟାମୟ ବିଶ୍ୱ ବିହାରୀ ସଙ୍ଗୀତକୁ ଧାଡ଼ିରେ ଛିଡ଼ା ହୋଇ ଏକ ସ୍ୱରରେ ଗାୟନ କରିଥାନ୍ତି କୁନି କୁନି ପିଲା । ଏହା ସାଧାରଣତଃ ସ୍କୁଲରେ ଦେଖିବାକୁ ମିଳେ । ତେବେ ଆଜି ଆମେ ଆପଣଙ୍କୁ କୌଣସି ସ୍କୁଲ କଥା କହୁ ନାହୁଁ । ଆମେ କହୁଛୁ ବିଦ୍ୟାଳୟ ଶିକ୍ଷା ପରେ ପିଲାଙ୍କୁ ନିଜର କରିପାରୁଥିବା ଏକ ମୁକ୍ତ ଚାଟଶାଳୀର । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଏବେ ବେଶ୍ ନାଁ କରିଛି ଦୀପକ ରଂଜନଙ୍କ ମାଗଣା ପାଠଶାଳା । ଜୁନାଗଡ଼ ସହରର ସ୍ୱାଗତ କଲୋନୀରେ ରହୁଥିବା ବସ୍ତି ପିଲାଙ୍କୁ ବିନା ମୂଲ୍ୟରେ କୋଚିଂ ଯୋଗାଇ ଦେବାର ସ୍ୱପ୍ନ ନେଇ ଆଜିକୁ ପ୍ରାୟ ୬ ମାସ ତଳେ ସହରର ଯୁବ ବ୍ୟବସାୟୀ ଦୀପକ ରଂଜନ ଓ ପତ୍ନୀ ସୀତାରାଣୀ ଆରମ୍ଭ କରିଥିଲେ ଏ ପ୍ରୟାସ । ଆଉ ମାତ୍ର ୬ ମାସରେ ସେମାନଙ୍କ ଉଦ୍ୟମ ଏବେ ସଫଳତାର ରାସ୍ତାରେ ।

ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଥମେ ଘର ଘର ବୁଲି ବାପାମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲା ଆଣୁଥିଲେ ଦୀପକ ଓ ସୀତାରାଣୀ । ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦।

ଦୀପକଙ୍କ ପାଠଶାଳାରେ ପିଲାଙ୍କୁ ପାଠ୍ୟଦାନ ସମୟ ସାଢେ ୪ଟାରୁ ସାଢ଼େ ୬ଟା । ସ୍କୁଲରୁ ଫେରିବା ପରେ ତାଙ୍କ ଚାଟଶାଳୀକୁ ଆସି ପ୍ରାୟ ୨ ଘଣ୍ଟାର କୋଚିଂ ନେଉଛନ୍ତି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା । ଏଥିପାଇଁ କାହାଠୁ ଟଙ୍କାଟିଏ କି ପାରିଶ୍ରମିକ ଗ୍ରହଣ କରନ୍ତି ନାହିଁ ଉଭୟ ପତି-ପତ୍ନୀ । କ୍ରମେ ପିଲାଙ୍କ ସଂଖ୍ୟା ବୃଦ୍ଧି ପରେ ଏବେ ସମଭାବାପନ୍ନ କିଛି ବନ୍ଧୁ ଓ ବାନ୍ଧବୀଙ୍କ ସହାୟତାରେ ଏ ପାଠ୍ୟଦାନ ପ୍ରକ୍ରିୟାକୁ ଆହୁରି ଆଗକୁ ନେଇଛନ୍ତି ଏମାନେ । ଦୀପକ ନିଜର ଏକ ଛୋଟିଆ ମିଠା ଦୋକାନରୁ ଯାହା ରୋଜଗାର କରନ୍ତି, ସେଇଥିରୁ ପରିବାର ଚଳାଇ ଅବଶିଷ୍ଟ ଅର୍ଥକୁ ଏଇ ବାଟରେ ଖର୍ଚ୍ଚ କରନ୍ତି ।

ଅର୍ଥାଭାବରୁ ଦିନେ ଉଚ୍ଚଶିକ୍ଷା ଗ୍ରହଣ କରିପାରନଥିବା ଦୀପକଙ୍କ ପିଲାଦିନ ବେଶ କଷ୍ଟ ଓ ଆଉ ଯନ୍ତ୍ରଣାରେ କଟିଥିଲା । ଅଭାବରେ ଚଳୁଥିବା ଅଭିଭାବକମାନେ ପିଲାଙ୍କୁ ଭଲ ଶିକ୍ଷା ଟିକିଏ ଦେବାକୁ କେମିତି ସଂଘର୍ଷ କରନ୍ତି, ସେ ଦୁଃଖକୁ ଅତି ନିକଟରୁ ଦେଖିଥିଲେ ସେ । ତେଣୁ ବସ୍ତି ଅଞ୍ଚଳର ଗରିବ ପିଲାଙ୍କୁ ସେ ଅଭାବ, ଅସୁବିଧା ଭିତରୁ ଉଦ୍ଧାର କରିବାକୁ ଏବେ ପତ୍ନୀଙ୍କୁ ସାଥି କରି ବାଟ ଚାଲୁଛନ୍ତି ଜୁନାଗଡ଼ର ଦୀପକ।