Advertisment

ଆତଙ୍କ ଖେଳାଉଛି ସାପ; ୫ ବର୍ଷରେ ଗଲାଣି ୪୪୭୭ ଜୀବନ

ବର୍ଷା ଦିନ, ବଢ଼ି ପାଣିରେ ମାଳ ମାଳ ହୋଇ ବୁଲୁଛନ୍ତି ସାପ । ଲୋକଙ୍କୁ ଦଂଶୁଛନ୍ତି, ଅକାଳରେ ପ୍ରାଣ ନାଶୁଛନ୍ତି ।

Snake Bite

Snake Bite

Advertisment

ସାପଙ୍କୁ ସାବଧାନ । ବର୍ଷା ଓ ବନ୍ୟା ଯୋଗୁଁ ବିକ୍ଷିପ୍ତ ଭାବେ ଘୂରି ବୁଲୁଛନ୍ତି । ଟିକିଏ ଅସାବଧାନ ହେଲେ ସାପ କାମୁଡ଼ାରେ ଜୀବନ ଯାଉଛି । ଯେହେତୁ ଏବେ ରାଜ୍ୟର ଅଧିକାଂଶ ଅଞ୍ଚଳ ବନ୍ୟା ପ୍ଲାବିତ, ତେଣୁ ଭଳିକି ଭଳି ବିଷଧର ସାପଙ୍କ ଡର ବଢ଼ିଛି । ଗତ ଜୁନ୍‌ରୁ ଅଦ୍ୟାବଧି ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଲାଣି । ବର୍ଷାଦିନେ କେମିତି ସାପଙ୍କଠୁ ଦୂରେଇ ରହିବେ ସେ ନେଇ ବାଟ ବତାଇଛନ୍ତି ବିଶେଷଜ୍ଞ । ଜାଣନ୍ତୁ..

Advertisment

ବର୍ଷା ଦିନ, ବଢ଼ି ପାଣିରେ ମାଳ ମାଳ ହୋଇ ବୁଲୁଛନ୍ତି ସାପ । ଲୋକଙ୍କୁ ଦଂଶୁଛନ୍ତି, ଅକାଳରେ ପ୍ରାଣ ନାଶୁଛନ୍ତି । ମାତ୍ର କେଇ ଦିନ ଭିତରେ ସାପ ଆତଙ୍କର ଏମିତି କିଛି ଦୃଶ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଆମର ହସ୍ତଗତ ହୋଇଛି । ଯେଉଁଥିରୁ ସହଜରେ ଅନୁମାନ କରି ହେଉଛି କେମିତି ସର୍ପ ଉପଦ୍ରବରେ ଫସିଛି  ମଣିଷ।

ଗତ ୨ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ମୁର୍ଷୁଣ୍ଡି ପାଖରେ ବନ୍ୟା ଖବର ସଂଗ୍ରହ ଚାଲିଥିବାବେଳେ ହଠାତ୍ ପଛରୁ ମାଡ଼ି ଆସିଥିଲା ଏକ ସାପ । ଓଟିଭି ପ୍ରତିନିଧି ସାପ ସାପ ବୋଲି ପାଟି କରିବାରୁ, ଅଳ୍ପକେ ବର୍ତ୍ତିଗଲା ଜୀବନ । ସେହିପରି ଗତ ୧ ତାରିଖରେ ମାଛ ଧରା ଜାଲରେ ପଡ଼ିଛନ୍ତି ମେଞ୍ଚେ ସାପ । ଦୟା ନଦୀରେ ବଢି ପାଣି ଆସିଥିବାରୁ କଣାସ ବ୍ଲକ ଗଡ଼ବଳଭଦ୍ରପୁର ଗାଁର ଦିଲୀପ ବେହେରା ନାମକ ଜଣେ ବ୍ୟକ୍ତି ଜାଲ ବସାଇଥିଲେ, ହେଲେ ଜାଲ ଖୋଲିଲା ବେଳକୁ ସେଥିରେ ପଡିଛନ୍ତି ଗୋଟେ ନାଗସାପ ସହ ୫ ଢମଣା । ଦେଖି ଡରି ଯାଇଥିଲେ ଦିଲୀପ, ସ୍ନେକ ହେଲ୍ପ ଲାଇନକୁ ଖବର ଦେଇ ସାପଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ଛାଡ଼ିଥିଲେ।ସେମିତି ଗତ ୨୯ ତାରିଖରେ ବାଙ୍କି କମଳପୁର ଗାଁର ଧୀରେନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଶୋଇବା ଶେଯ ତଳୁ ଉଦ୍ଧାର ହୋଇଥିଲା ଏକ ଦୁଇ ଫୁଟିଆ ନାଗ । 

Advertisment

ଯେହେତୁ ଏବେ ବନ୍ୟା ସମୟ। ତେଣୁ ବଢ଼ି ପାଣିରେ ଭାସି ଆସୁଛନ୍ତି ପୁଳା ପୁଳା ସାପ। ନାଗ, ତମ୍ପ, ଚିତି ଓ ରଣା ଭଳି ବିଷଧର ସର୍ପ ଦଂଶନ ମାତ୍ରେକେ ପ୍ରାଣ ରହୁନି। ଗୋଟିଏ ପଟେ ଏବେ ସାପଙ୍କ ବ୍ରିଡିଂ ସିଜିନ ଚାଲିଥିବାବେଳେ ଅନ୍ୟପଟେ ବଢ଼ି ପାଣି ଗାତରେ ପଶି ଯାଉଥିବାରୁ ସେମାନେ ବାସହରା ହୋଇ ଏଣେ ତେଣେ ବୁଲୁଛନ୍ତି । ତେଣୁ ଏଥିପ୍ରତି ସଜାଗ ହେବାକୁ ପରାମର୍ଶ ଦେଇଛନ୍ତି ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ।

ଜୁନରେ ମୌସୁମୀ ଆଗମନ ପରଠୁ ଅଦ୍ୟାବଧି ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ ସାପ କାମୁଡ଼ା ମୃତ୍ୟୁ ଅଭିଯୋଗ ଆସିଲାଣି। ହେଲେ ସରକାରୀ ତଥ୍ୟ କହୁଛି, ପ୍ରତିବର୍ଷ ସର୍ପ ଦଂଶନରେ ରାଜ୍ୟରେ ପ୍ରାୟ ୮ଶହରୁ ହଜାରେ ଲୋକଙ୍କ ଜୀବନ ଯାଉଛି । ଗତ ୫ବର୍ଷରେ ୪ ହଜାର ୪୭୭ ଲୋକଙ୍କର ସର୍ପ ଦଂଶନରେ ପ୍ରାଣ ଯାଇଥିବାବେଳେ ୨୦୧୭-୧୮ରେ ୮୨୪, ୨୦୨୦-୨୧ରେ ସର୍ବାଧିକ ୧୦୩୫ ଓ ୨୦୨୧-୨୨ରେ ୮୪୪ ଜଣଙ୍କ ମୃତ୍ୟୁ ଘଟିଛି । ଗତବର୍ଷ କେବଳ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୭୩ ଜଣଙ୍କ ଜୀବନ ଯାଇଥିବା ବେଳେ ଗଞ୍ଜାମରେ ୬୪, ମାଲକାନଗିରିରେ ୫୮, କେନ୍ଦୁଝରରେ ୫୫, ସୁନ୍ଦରଗଡ଼ରେ ୫୨ ଜଣଙ୍କର ମୃତ୍ୟୁ ଘଟିଛି ।

Advertisment

ଯେହେତୁ ସାପ କାମୁଡ଼ାର ପ୍ରଥମ ୬୦ ମିନିଟ୍ ଗୋଲ୍ଡେନ ଆୱାର । ତେଣୁ ସେତେବେଳେ ଗୁଣି ଗାରେଡିରେ ସମୟ ନଷ୍ଟ ନକରି ସିଧା ରୋଗୀଙ୍କୁ ଡାକ୍ତରଖାନା ଆଣିଲେ ଜୀବନ ବଞ୍ଚାଯାଇ ପାରିବ ବୋଲି କହିଛନ୍ତି ଚିକିତ୍ସକ । ଏଥିସହ ସାପଙ୍କ ଦାଉରୁ ବର୍ତ୍ତିବାକୁ ଘର ଚାରିପାଖ ସଫାସୁତରା ରଖିବା ସହ ଘର ନିକଟରେ ବୋତଲରେ କାର୍ବୋଲିକ୍ ଏସିଡ୍ ପୂରାଇ ରଖିବାକୁ ବି ପରାମର୍ଶ ଦିଆଯାଇଛି।

ଏକ ଦୁଃଖଦ ଘଟଣାକ୍ରମେ ଗତ ୨୫ ତାରିଖରେ ଗୋଟିଏ ଦିନରେ ରାଜ୍ୟରେ ୫ଜଣଙ୍କର ସାପ କାମୁଡ଼ାରେ ପ୍ରାଣ ଯାଇଥିଲା ।ଯାହାମଧ୍ୟରୁ କେନ୍ଦୁଝରର ଏକ ଘରୋଇ କୋଚିଂ ସେଣ୍ଟରର ୩ ଛାତ୍ରଛାତ୍ରୀ ଥିଲେ ।

Flood In Odisha Snake Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ