Astrospeak
  • Live TV
  • Read In English

ବେୱାଫା ଚା’ବାଲା ... ଧୋକା ଖାଇଥିବା ପ୍ରେମୀଙ୍କ ପାଇଁ ସ୍ପେସାଲ୍‌ ଅଫର୍‌

ଦୋକାନ ଖୋଲିଛନ୍ତି ପ୍ରେମରେ ପ୍ରତାରିତ ହୋଇଥି‍ବା ଲବନେଶ୍‌

bewafa chai wala
bewafa chai wala

ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ମିଳୁଛି ଚା’ । ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା ପରେ ଏବେ ଆସିଛି ବେୱାଫା ଚା’ ବାଲା । ଉତ୍ତରପ୍ରଦେଶର ବାନ୍ଦାରେ ଏଭଳି ଏକ ଚା’ ଦୋକାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଏହି ଚା’ ଦୋକାନୀ ଯୁବପିଢ଼ିଙ୍କ ପାଇଁ ଏକ ଖାସ୍ ପସନ୍ଦର ଜାଗା ପାଲଟିଛି ।

ୟୁପି ବାନ୍ଦାର ବେବରୁ ଅଞ୍ଚଳରେ ରହୁଥିବା ଲବନେଶ୍‌ ପାଟିଲ ଏହି ଦୋକାନର ମାଲିକ । ସେ ବିଏ ପାସ୍‌ କରିଛନ୍ତି । ପାଠପଢ଼ା ସମୟରେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ହୃଦୟ ଦେଇ ତାଙ୍କୁ ଭଲପାଉଥିଲେ , ଆଉ ଜୀବନସାଥୀ କରିବା ପାଇଁ ଚିନ୍ତା କରୁଥିଲେ । ହେଲେ ତାଙ୍କୁ ପ୍ରେମରେ ଧୋକା ମିଳିଥିଲା । ଏହାସହ ପାଠପଢ଼ା ଶେଷ ହେବା ପରେ ଅନେକ ଚେଷ୍ଟା ପରେ ମଧ୍ୟ ତାଙ୍କୁ ଚାକିରି ଖଣ୍ଡିଏ ମିଳିଲା ନାହିଁ, ତେଣୁ ସେ ଚା ’ଷ୍ଟଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଦୋକାନକୁ ଏକ ଭିନ୍ନ ପରିଚୟ ଦେବା ପାଇଁ ତଥା ପ୍ରତାରଣା କରିଥିବା ଗର୍ଲଫ୍ରେଣ୍ଡ ପାଇଁ ବେୱଫା ଚାୱାଲା ନାଁ ରଖିଛନ୍ତି ।

ପ୍ରେମରେ ଧୋକା ଖାଇଥିବା ଲୋକଙ୍କ ପାଇଁ ଅଫର୍‌

ଏହି ଚା’ ଦୋକାନର ସ୍ୱତନ୍ତ୍ରତା ହେଲା ଚା’ କପର ଦୁଇ ପ୍ରକାର ମୂଲ୍ୟ ରହିଛି । ଗୋଟିଏ ଚା’ କପର ମୂଲ୍ୟ ୧୫ଟଙ୍କା ରହିଥିବା ବେଳେ ଅନ୍ୟ ଚା’ କପର ମୂଲ୍ୟ ୧୦ଟଙ୍କା ରହିଛି । ପ୍ରେମୀଯୁଗଳଙ୍କ ପାଇଁ ୧୫ଟଙ୍କିଆ ଚା’ ବିକ୍ରି ହେଉଥିବା ବେଳେ ପ୍ରେମରେ ଧୋକା ଖାଇଥିବା ଯୁବକଯୁବତୀଙ୍କ ପାଇଁ ୧୦ଟଙ୍କିଆ ଚା’ । ଏଠାରେ ଚା’ ପିଉଥିବା ଲୋକେ କୁହନ୍ତି, ନାଁ ଶୁଣି ହିଁ ଆମେ ଦୋକାନ ଆସୁଛୁ ।

ଲବନେଶ ଚା’ ବିକ୍ରି କରିବା ସହ ଏକ ବାର୍ତ୍ତା ମଧ୍ୟ ଦେଉଛନ୍ତି । ବୁଝାମଣା ଭଲ ରହିଲେ ତଥା ବୁଝି ବିଚାରି ଭଲ ପାଇଲେ ପ୍ରତାରିତ ହେବେ ନାହିଁ ବୋଲି ସେ କହନ୍ତି । କାରଣ ପ୍ରେମରେ ଧୋକା ଖାଇଥିବା ମଣିଷ ହଁ ପ୍ରକୃତ କଷ୍ଟକୁ ହୃଦୟଙ୍ଗମ କରିପାରେ । ହୃଦୟ ଦେଇ ଭଲ ପାଉଥିବା ମଣିଷଟି ଯେତେବେଳେ କ୍ଷଣିକେ ଆପଣଙ୍କୁ ପର କରିଦିଏ, ତା’ ପରର ଅବସ୍ଥା କେହି ବୋଧହୁଏ ବୁଝିପାରିବେ ନାହିଁ ।

ଆହୁରି ସେ କହିଛନ୍ତି, ବେକାର ଥିବାରୁ ଏକ ଚା’ ଦୋକାନ କରି ପ୍ରଥମେ କିଛି ଟଙ୍କା ରୋଜଗାର କରିବାକୁ ସ୍ଥିର କରିଥିଲେ । ଏଥିପାଇଁ ଏହି ଚା’ ଷ୍ଟଲ ଖୋଲିଥିଲି । ଆଉ ପ୍ରେମରୁ ଧୋକା ଖାଇ ନାଁ ରଖିଲି ‘ବେୱଫା ଚା’ ବାଲା’ । ଆଉ ଦୋକାନ ଖୋଲିବାର କିଛିଦିନ ମଧ୍ୟରେ ଚାରିଆଡେ ପ୍ରଚାର ହୋଇଗଲା । ଦୋକାନାର ନାଁ ଶୁଣି ହିଁ ଲୋକଙ୍କ ଭିଡ଼ ଜମୁଛି ।