Advertisment

ମୋହନଙ୍କ ସଂଘର୍ଷମୟ ଯାତ୍ରା; ମୁଖ୍ୟମନ୍ତ୍ରୀ ବନିଲେ ସ୍କୁଲ୍ ପିଅନଙ୍କ ପୁଅ...

ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଲା କେନ୍ଦୁଝର ଜିଲ୍ଲାର ରାଇକଳା । ମୁଖ୍ୟମନ୍ତ୍ରୀ ସାଜି ସାଢ଼େ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ବିଧାତା ମୋହନ । ଗୁରୁଜୀରୁ ସିଏମ୍ ଭଳି ଗୁରୁଦାୟିତ୍ବ ଯାଏଁ ମୋହନଙ୍କ ସଂଘର୍ଷମୟ ଯାତ୍ରା ।

ଅଦ୍ୟତନ ହୋଇଛି
undefined

Mohan Charan Majhi

Advertisment

ଆଜି ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଗଲା କେନ୍ଦୁଝର ରାଇକଳା ଗାଁ । କିଏ ଜାଣିଥିଲା ଏହି ଅଖ୍ୟାତପଲ୍ଲୀର ପୁଅ ରାତାରାତି ବିଖ୍ୟାତ ହେବେ ବୋଲି । ଯାହାଙ୍କ ବାପା ଥିଲେ ସ୍କୁଲ୍ ପିଅନ ଏବଂ ମା’ଥିଲେ ସାଧାରଣ ଗୃହିଣୀ । ପ୍ରତିଟି ପ୍ରତିବନ୍ଧକ ଓ ଗରିବୀର ତାଡ଼ନାକୁ ଅତିକ୍ରମ କରି ମୁଖ୍ୟମନ୍ତ୍ରୀ ହେବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ସେ ଏବେ ବନିଛନ୍ତି ଭାଗ୍ୟବିଧାତା । ଆସନ୍ତୁ ଜାଣିବା ଗୁରୁଜୀରୁ ଗୁରୁଦାୟିତ୍ବ ସମ୍ଭାଳିଥିବା ଏବଂ ସରପଞ୍ଚରୁ ସିଏମ୍ ହୋଇଥିବା ମୋହନ ଚରଣ ମାଝୀଙ୍କ ସଂପର୍କରେ କିଛି।

Advertisment

ଆଜି ଯିଏ ଶୁଣୁଛନ୍ତି ତାଙ୍କରି କଥା, ଆତ୍ମବିଭୋର ହେଉଛନ୍ତି । କାରଣ ଏହା କୌଣସି ସଂଯୋଗର କଥା ନଥିଲା, ଏହା ହେଉଛି ସଂଘର୍ଷର ସ୍ବର୍ଣ୍ଣିମ ଗାଥା । ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଅଖ୍ୟାତ ପଲ୍ଲୀ ରାଇକଳାର ପୁଅ ଆଜି ଯେତେବେଳେ ସାଢ଼େ ୪ କୋଟି ଓଡ଼ିଆଙ୍କ ଭାଗ୍ୟବିଧାତା, ଆତ୍ମୀୟ ସ୍ବଜନ, ବନ୍ଧୁ ପରିଜନ, ପାଠ ପଢ଼ାଇଥିବା ଗୁରୁଜନ ସମସ୍ତଙ୍କ ମନ ଆଜି କୁଣ୍ଢେମୋଟ । ବାପା ସ୍ବର୍ଗତ ଗୁଣରାମ ମାଝୀ ଏବଂ ମା’ବାଲେ ମାଝୀ। ୧୯୭୨, ଜାନୁୟାରୀ ୬ର ମାହେନ୍ଦ୍ର ବେଳାରେ ଯାହାଙ୍କ ଔରସରୁ ଜନ୍ମ ନେଇଥିଲେ ମୋହନ ଚରଣ ମାଝୀ। ଆଜି ସେହି ମୋହନ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ । ଏକଥା ଜାଣିବା ପରେ ବେଶ ଖୁସି ତାଙ୍କୁ ପାଠ ପଢ଼ାଇଥିବା ସ୍କୁଲ ଶିକ୍ଷକ।

ଅଧିକ ପଢ଼ନ୍ତୁ: ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ; ଆସନ୍ତୁ ଜାଣିବା ତାଙ୍କର ପୂରା ରାଜନୈତିକ କ୍ୟାରିୟର୍

Advertisment

ବାପା ସ୍ବର୍ଗତ ଗୁଣରାମ ଥିଲେ ସ୍କୁଲ୍ ପିଅନ। ଚାଷ ଥିଲା ପ୍ରମୁଖ ବେଉଷା। ତାହାରି ଭିତରେ ବି ମୋହନଙ୍କୁ ମଣିଷ କରିବାର ସ୍ବପ୍ନ ଦେଖି ଗାଁ ସ୍କୁଲକୁ ପଠାଇଥିଲେ ବାପା ଗୁଣରାମ। ଆଉ ପରେ ରାଇକଳା ଗାଁରୁ ୫ କିଲୋମିଟର ଦୂର ଝୁମ୍ପୁରା ହାଇସ୍କୁଲକୁ ପଠାଇଥିଲେ । ପରେ ପରେ ଆନନ୍ଦପୁର କଲେଜରୁ ଯୁକ୍ତ ଦୁଇ, ଚମ୍ପୁଆ ଚନ୍ଦ୍ରଶେଖର କଲେଜରୁ ଯୁକ୍ତ ୩ ଏବଂ ଢେଙ୍କାନାଳ ଆଇନ କଲେଜରୁ ସ୍ନାତକ ଡିଗ୍ରୀ କରିଥିଲେ ମୋହନ ମାଝୀ। 

୨୦୦୪ରେ ଆୟୁର୍ବେଦ ଡାକ୍ତର ଥିବା ମୟୁରଭଞ୍ଜ ଜିଲ୍ଲା କାଦୁଆଣି ଗାଁର ପ୍ରିୟଙ୍କା ମାର୍ଣ୍ଣିଂଙ୍କୁ ମୋହନ ଜୀବନ ସାଥୀ କରିଥିଲେ। ପରବର୍ତ୍ତୀ ସମୟରେ ଚାକିରୀ ଛାଡ଼ି ଗୃହିଣୀ ହୋଇଥିଲେ ପ୍ରିୟଙ୍କା। ସଂଘ ପରିବାର ସହ ଜଡିତ ମୋହନ ମାଝୀ ସ୍ନାତକ ଶିକ୍ଷା ପରେ ପ୍ରାରମ୍ଭିକ ଜୀବନରେ କୃଷିକୁ ବୃତ୍ତି କରି ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକତା ମଧ୍ୟରେ ବିଭିନ୍ନ ସାମାଜିକ, କ୍ରୀଡ଼ା ଓ ଆଦିବାସୀ ସଂଗଠନ ସହ ଜଡ଼ିତ ରହିଥିଲେ। ସମାଜ ପ୍ରତି ଯାହାଙ୍କ ପ୍ରତିବଦ୍ଧତାକୁ ଆଜି ମନେ ପକାଉଛନ୍ତି ତାଙ୍କ ସହପାଠୀ। ପିଲାବେଳର କଥାକୁ ଭାଳି ହେଉଛନ୍ତି ବନ୍ଧୁ ବର୍ଗ। 

Advertisment

୧୯୯୩ରେ ପ୍ରଥମେ ନିଜ ପଞ୍ଚାୟତରେ ଲଢ଼ିଥିଲେ ସମିତି ସଭ୍ୟ ନିର୍ବାଚନ। ଯେଉଁଠି ପରାଜୟ ବରଣ କରିବାକୁ ପଡ଼ିଥିଲା। ପରେ ୧୯୯୭ରେ ରାଇକଳା ସରପଞ୍ଚ ଭାବେ ନିର୍ବାଚିତ ହେବା ପରଠୁ ଆଉ ସେ ପଛକୁ ଚାହିଁ ନାହାଁନ୍ତି। କ୍ରମେ ଜିଲ୍ଲା ଓ ରାଜ୍ୟସ୍ତରରେ ବିଜେପିର ଆଦିବାସୀ ମୋର୍ଚ୍ଚାର ନେତୃତ୍ବ ନେବା ସହ ୨୦୦୦ରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ କେନ୍ଦୁଝର ବିଧାୟକ ଭାବେ। ପରେ ୨୦୦୪ରେ ଦ୍ବିତୀୟ ଓ ୨୦୧୯ରେ ତୃତୀୟ ଥର ପାଇଁ ବିଧାନସଭା ଆସିବା ପରେ ମୋହନ ହୋଇଥିଲେ ମୁଖ୍ୟ ବିରୋଧୀ ଦଳ ସଚେତକ। 

ବିଧାନସଭା ଭିତରେ ହେଉ କି ବାହାରେ ତଥ୍ୟ ଭିତ୍ତିକ ଆରୋପ ଓ ମପାଚୁପା ସମାଲୋଚନା କରି ଅନେକ ସମୟରେ ସରକାରଙ୍କୁ ଅଡୁଆରେ ପକାଉଥିଲେ । ରାଜ୍ୟର ବିଭିନ୍ନ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଗୃହ ଭିତରେ ସରକାରଙ୍କୁ ହଲାପଟା କରୁଥିଲେ ମୋହନ। ଆଉ ସମୟ କ୍ରମେ ଆଜି ଏହି ପ୍ରମୁଖ ଆଦିବାସୀ ନେତା, ଅଞ୍ଚଳର ଦୃଢ଼ ସଂଗଠକ ଏବଂ ଜଣେ ବିଶ୍ବସନୀୟ ନେତା ଭାବେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଆଗରେ ଶ୍ରେଷ୍ଠ ବିକଳ୍ପ ସାଜି ବନିଛନ୍ତି ଓଡି଼ଶାର ପଞ୍ଚଦଶତମ ମୁଖ୍ୟମନ୍ତ୍ରୀ। ତା’ପରଠୁ ଆଜି ନାଚୁଛି ମୋହନଙ୍କ ଜନ୍ମମାଟି ରାଇକଳା ଏବଂ ପରିବାରରେ ନାହିଁ ଖୁସିର ଠିକଣା। 

ଅଧିକ ପଢ଼ନ୍ତୁ: ୪ ଥର ବିଧାୟକ ପରେ ବି ମୋହନଙ୍କ ଚାଳ ଛପର ଘର !

Chief Minister Mohan Charan Majhi Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ