ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

ନବୀନ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟରେ ସେ ସବୁ ଫୋନ୍ କରି ବୁଝୁଥିଲେ । ଏବେ ବିଜେପି ସରକାରକୁ ଶହେ ଦିନ ବିତିଲାଣି । ସେମାନେ ସେସବୁ ଅନୁଧ୍ୟାନ କରିବା କଥା ବୋଲି ନବୀନ କହିଛନ୍ତି ।

Naveen Patnaik

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି । ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାକୁ ନିନ୍ଦନୀୟ କହିବା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ତୁରନ୍ତ ତଦନ୍ତ ସାରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନବୀନ ଦାବି କରିଛନ୍ତି ।

ପୂର୍ବ ବିଜେଡି ସରକାର ଅମଳରେ ଭରତପୁର ଥାନା ମଡେଲ ଥାନା ହୋଇଥିଲା । ତେବେ କ’ଣ ପାଇଁ ଥାନାରେ ସିସିଟିଭି ନଥିଲା ବୋଲି ପ୍ରଶ୍ନରେ ତତକାଳୀନ ମୁଖ୍ୟମନ୍ତ୍ରୀ ତଥା ଏବେକାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟରେ ସେ ସବୁ ଫୋନ କରି ବୁଝୁଥିଲେ । ଏବେ ବିଜେପି ସରକାରକୁ ଶହେ ଦିନ ବିତିଲାଣି । ସେମାନେ ସେସବୁ ଅନୁଧ୍ୟାନ କରିବା କଥା ବୋଲି ନବୀନ କହିଛନ୍ତି ।

ସେପଟେ ଏହି ମାମଲାରେ ପ୍ରବଳ ବର୍ଷିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପରେ ବି ଏଯାଏଁ ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ସମ୍ପୃକ୍ତ IICଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଆଉ କେତେ ତଥ୍ୟକୁ ଅପେକ୍ଷା କରାଯିବ ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ମହିଳା ସଶକ୍ତୀକରଣ ପାଇଁ ଯୋଜନା ହେଉଛି, କିନ୍ତୁ ମହିଳା ଅସୁରକ୍ଷିତ । ବାପା ହିସାବରେ ମୁଁ ବ୍ୟଥିତ, ଝିଅକୁ ମାରିବାକୁ କିଏ ଅଧିକାର ଦେଲା। ନାଇଟ୍ ପାଟ୍ରୋଲିଂ ପାଇଁ କର୍ମଚାରୀ ନଥିଲେ ସରକାର କ’ଣ କରୁଛନ୍ତି । ଅନେକ ଯୋଜନାରେ ଟଙ୍କା ଖର୍ଚ୍ଚ ହେଉଛି, ସୁରକ୍ଷା ପାଇଁ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ ।

ନବୀନଙ୍କ ସମାଲୋଚନାର ଜବାବ ଦେଲେ ସୁରେଶ:

ସେପଟେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଜିରୋ ଟଲରାନ୍ସ ନୀତି ହେବ । ଘଟଣାରେ ଯିଏ କେହି ବି ଥାଉ, କାହାକୁ ବି ଛଡ଼ା ଯିବନି। ଆଜି କିଛି ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଘଟଣାରେ କାହାକୁ ଛଡ଼ା ଯିବନି, ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଯେତେ ପ୍ରଭାବଶାଳୀ ଲୋକ ହେଲେ ବି ଛଡ଼ା ଯିବନି ।

ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟାନକୁ କଡ଼ା ସମାଲୋଚନା କଲେ ରାଜସ୍ୱ ମନ୍ତ୍ରୀ । ନବୀନ ସରକାରରେ ୨୪ଟି ବିଚାର ବିଭାଗୀୟ ତଦନ୍ତ ହେଇଛି । କେତେ ତଦନ୍ତର ରିପୋର୍ଟ ସାର୍ବଜନୀନ ହୋଇଛି ? ଅନେକ ନାରୀ ନିର୍ଯାତନାରେ ସିଧାସଳଖ ବିଜେଡି ନେତା ସଂପୃକ୍ତ ଥିଲେ । ନବୀନ କେବେ ବି ରାଜଧର୍ମ ପାଳନ କରିନାହାନ୍ତି। ଏବେ ମାତ୍ର ୧୦୦ ଦିନର ସରକାରଙ୍କୁ କ’ଣ ପାଠ ପଢ଼ାଇବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।