'ସୁଭଦ୍ରା' ଯୋଜନା SOPକୁ ନେଇ ତେଜିଲା ରାଜନୀତି; ଗ୍ୟାରେଣ୍ଟି ନା ଧୂଆଁବାଣ କହି ନବୀନଙ୍କ ନିଶାନା...

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି- ନିର୍ବାଚନ ସମୟରେ ବିଜେପି କହିଥିଲା ପ୍ରତ୍ୟେକ  ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ, ହେଲେ ଦେଉଛନ୍ତି ମାତ୍ର ୫ହଜାର ଟଙ୍କା।

SUBHADRA Yojana

ସୁଭଦ୍ରା ଯୋଜନାକୁ ନେଇ ଜୋର୍ ଧରିଲା ରାଜନୀତି। ଗତକାଲି ବିଧାନସଭାରେ ଏହି ଯୋଜନାର ରୂପରେଖକୁ ନେଇ ପ୍ରାଥମିକ ଚିତ୍ର ସାମ୍ନାକୁ ଆସୁଆସୁ ଏହାକୁ ଧୂଆଁବାଣ କହି ସମାଲୋଚନା କରିଛନ୍ତି ବିରୋଧୀ। ସେପଟେ ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇଥିବା ବେଳେ, ବିରୋଧୀ କେବଳ ରାଜନୈତିକ ଉଦ୍ଦେଶ୍ୟରେ ବିରୋଧ କରୁଥିବା ବିଜେପି କହିଛି । ଏଣେ ସ୍ବଚ୍ଛଳ ବର୍ଗରେ କେଉଁମାନେ ଅନ୍ତର୍ଭୁକ୍ତ, ସ୍ବାମୀ କିମ୍ବା ବାପା ଆୟକର ଦେଉଥିଲେ ସଂପୃକ୍ତ ମହିଳା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ନା ନାହିଁ, ସେ ନେଇ ଦେଖାଦେଇଛି ଦ୍ବନ୍ଦ୍ବ।

'ସୁଭଦ୍ରା' ଯୋଜନାର ରୂପରେଖକୁ ନେଇ ସରଗରମ ରାଜନୀତି । ଧୂଆଁବାଣ ଓ ଭୋଟବ୍ୟାଙ୍କ ପଲିଟିକ୍ସ କହି ବିରୋଧୀଙ୍କ କଟାକ୍ଷ । ସୁଭଦ୍ରା ଯୋଜନାର ରୂପରେଖ ସାମ୍ନାକୁ ଆସୁ ଆସୁ, ଘେରିଲେଣି ବିରୋଧୀ। ବିରୋଧୀ ଦଳ ନେତା  । ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ  ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି- ନିର୍ବାଚନ ସମୟରେ ବିଜେପି କହିଥିଲା ପ୍ରତ୍ୟେକ  ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ, ହେଲେ ଦେଉଛନ୍ତି ମାତ୍ର ୫ହଜାର ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ୩ଜଣରୁ ଜଣେ। ଏହା କ'ଣ ବିଜେପିର ଗ୍ୟାରେଣ୍ଟି ? ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ମାତ୍ର  ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ୬ମାସରେ ମାତ୍ର ୫ହଜାର ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି। ଏହା କେଉଁ କାମରେ ଲାଗିବ ? କଂଗ୍ରେସ ବି ଏହାକୁ ବିଜେପିର ଭୋଟବ୍ୟାଙ୍କ ପଲିଟିକ୍ସ କହି ସମାଲୋଚନା କରିଛି।

ଅନ୍ୟପକ୍ଷରେ ବିଜେପି, ବିରୋଧୀଙ୍କୁ କଟାକ୍ଷ କରିବା ସହ କହିଛି- ବହୁ ବିଚାର ବିମର୍ଷ କରି ସୁଭଦ୍ରା ଯୋଜନାର SOP ସ୍ଥିର କରାଯାଇଛି। ୧ କୋଟି ମହିଳାଙ୍କୁ ଏଥିରେ ସାମିଲ କରାଯିବ। ବିଜେପିର ନିର୍ବାଚନୀ ଇସ୍ତାହାରରେ କେବଳ ୫୦ ହଜାର କ୍ୟାସ୍ ଭାଉଚର୍ କଥା କୁହାଯାଇଥିଲା। ତେବେ କେତେ ବର୍ଷରେ ଏହି ଟଙ୍କା ଦିଆଯିବ ତାହା ଉଲ୍ଲେଖ କରାଯାଇନଥିଲା।

ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ବର୍ଷକୁ ୨ଟି କିସ୍ତିରେ ଅର୍ଥାତ୍, ଥରେ ରାକ୍ଷୀ ପୂର୍ଣ୍ଣିମା ଓ ଥରେ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ପାଞ୍ଚ-ପାଞ୍ଚ ହଜାର କରି ମୋଟ ୧୦ହଜାର ଟଙ୍କା ମିଳିବ। ଡିବିଟି ଆକାରରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଏବଂ ଏହାକୁ ଖର୍ଚ୍ଚ କରିବା ପାଇଁ ମହିଳାଙ୍କୁ ସୁଭଦ୍ରା ଡେବିଟ୍ କାର୍ଡ ମିଳିବ। ତେବେ ଏସବୁ ଭିତରେ ଦ୍ବନ୍ଦ୍ବ ଉପୁଜିଛି ହିତାଧିକାରୀ ଚୟନ ଯୋଗ୍ୟତାକୁ ନେଇ। ସରକାରଙ୍କ ଘୋଷଣା ଅନୁସାରେ, ଆର୍ଥିକ ସ୍ବଚ୍ଛଳ ବର୍ଗ, ସରକାରୀ ଚାକିରି ଥିବା, ଆୟକର ଦେଉଥିବା, ସରକାରୀ ଯୋଜନାରେ ମାସିକ ୧୫ ଶହ ଟଙ୍କା କିମ୍ବା ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ସହାୟତା ରାଶି ପାଉଥିବା ମହିଳା ଏଥିରେ ସାମିଲ ହେବେ ନାହିଁ । 

ତେବେ ଆର୍ଥିକ ସ୍ବଚ୍ଛଳ ମହିଳା କହିଲେ ତାଙ୍କ ବ୍ୟକ୍ତିଗତ ଆୟକୁ ବୁଝାଉଛି, ନା ପାରିବାରିକ ଆୟକୁ ମାପଦଣ୍ଡ ଭାବେ ଗ୍ରହଣ କରାଯିବ ? ମହିଳାଙ୍କ ବାପା କିମ୍ବା ସ୍ବାମୀ ଯଦି ଆୟକର ଦେଉଥିବେ, ତେବେ ସେ ସାମିଲ ହୋଇପାରିବେ କି ନାହିଁ ? ଗୋଟିଏ ଘରେ ଏକାଧିକ ଯୋଗ୍ୟ ମହିଳା ଥିଲେ ସମସ୍ତେ ଆବେଦନ କରିପାରିବେ କି ? ଆଶା, ଅଙ୍ଗନବାଡ଼ି ଦିଦି ଓ SHG ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ ନା ନାହିଁ ? ଏସବୁ ଦିଗରୁ ସ୍ପଷ୍ଟତା ଆସିନଥିବାରୁ ମହିଳାମାନେ ଦ୍ବନ୍ଦ୍ବରେ ଥିବା କହିଛନ୍ତି।

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ, ଅଙ୍ଗନୱାଡ଼ି କେନ୍ଦ୍ର, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟରେ ବିନା ମୂଲ୍ୟରେ ଫର୍ମ ପୂରଣ କରି ଆବେଦନ କରିହେବ। ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେବା ଲାଗି ସରକାରଙ୍କ ପକ୍ଷରୁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବାକୁ ଯାଉଛି।