Advertisment

୨ ଦିନରେ ୧୬ ଜୀବନ ନେଲାଣି ମୃତ୍ୟୁର ବଜ୍ର; ଜାଣନ୍ତୁ ବଜ୍ରପାତରୁ ବର୍ତ୍ତିବା ପାଇଁ କେଉଁ ଉପାୟ କରିବେ...

ଘନ ଘନ ପ୍ରଚଣ୍ଡ ବଜ୍ରପାତ । କଳାହାଣ୍ଡିଆ ମେଘ ସହ ଆସୁଛି, ଜୀବନ ନେଉଛି । ଆକାଶରେ ମେଘ ଦେଖିଲେ ମାଡୁଛି ଡର। ଢୁ ଢୁ ଶବ୍ଦରେ ଛାତିରେ ଛନକା ପଶୁଛି। କାରଣ, ଦୁଇ ଦିନରେ ୧୬ ଜୀବନ ନେଲାଣି ବଜ୍ରପାତ।

ଅଦ୍ୟତନ ହୋଇଛି
undefined

Lightning Strike

Advertisment

ଦୁଇ ଦିନ ଭିତରେ ରାଜ୍ୟରେ ବଜ୍ରପାତରେ ଗଲାଣି ୧୬ ଜୀବନ। ଗତକାଲି ୧୦ ଜଣ ଏବଂ ଆଜି ୬ ଜଣଙ୍କ ଜୀବନ ଯାଇଛି, ଅନେକ ଆହତ ହୋଇଛନ୍ତି। ବିଶେଷ କରି ଚାଷ ଜମିରେ କାମ କରୁଥିବା ବେଳେ ଅଧିକାଂଶ ବଜ୍ରାଘାତର ଶୀକାର ହେଉଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ନୂତନ ଜ୍ଞାନକୌଶଳ ବ୍ୟବହାର କରି ବଜ୍ରପାତ ପ୍ରତିହତ କରିବାକୁ ଯୋଜନା କରୁଛନ୍ତି ସରକାର। ଆସନ୍ତୁ ଜାଣିବା, ବଜ୍ରପାତରୁ ବର୍ତ୍ତିବା ପାଇଁ କେଉଁ କେଉଁ ଉପାୟ କରିବେ।

Advertisment

ଘନ ଘନ ପ୍ରଚଣ୍ଡ ବଜ୍ରପାତ । କଳାହାଣ୍ଡିଆ ମେଘ ସହ ଆସୁଛି, ଜୀବନ ନେଉଛି । ଆକାଶରେ ମେଘ ଦେଖିଲେ ମାଡୁଛି ଡର। ଢୁ ଢୁ ଶବ୍ଦରେ ଛାତିରେ ଛନକା ପଶୁଛି। କାରଣ, ଦୁଇ ଦିନରେ ୧୬ ଜୀବନ ନେଲାଣି ବଜ୍ରପାତ। ଅଧିକାଂଶ ମୃତ୍ୟୁ ହୋଇଛି ଚାଷ ଜମିରେ। ବିଲରେ କାମ କରୁଥିବା ବେଳେ ଚାଷୀର ଯାଉଛି ଜୀବନ। ଶନିବାର ବାଲେଶ୍ବର ସୋର ବ୍ଲକ ଓଉଦା ଗାଁରେ ଗୋଟିଏ ପରିବାରର ୬ ଜଣ ବଜ୍ରପାତର ଶିକାର ହୋଇଛନ୍ତି। ମୟୁରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି ଦମ୍ପତି। ସେହିପରି କେନ୍ଦ୍ରାପଡା, କେନ୍ଦୁଝର, ଭଞ୍ଜନଗର, ଭଦ୍ରକ, ତେଲକୋଇ ଏବଂ ବରଗଡରେ ବି ବଜ୍ରାଘାତରେ ଏକାଧିକ ଜୀବନ ଯାଇଛି । ଆଜି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଦୋଷିଆ ଏବଂ ବିଲିକଣା ପଞ୍ଚାୟତରେ ଦୁଇ ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ବାଲେଶ୍ବର, ଯାଜପୁର, ସୁବର୍ଣ୍ଣପୁର, ଭଦ୍ରକରେ ବି ବଜ୍ରପାତରେ ପ୍ରାଣ ହରାଇଛନ୍ତି ଏକାଧିକ ଚାଷୀ। 

ତେବେ ରାଜ୍ୟରେ କାହିଁକି ବୃଦ୍ଧି ପାଉଛି ବଜ୍ରପାତ ? ଏହାକୁ କିପରି ମୁକାବିଲା କରିହେବ ? ବିଶେଷଜ୍ଞଙ୍କ ମତରେ ପ୍ରାକ ମୌସୁମୀ ଋତୁରେ ବଜ୍ରାଘାତ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଜଳବାୟୁରେ ପରିବର୍ତ୍ତନ କାରଣରୁ ମୌସୁମୀ ସମୟରେ ଅଭାବି ବର୍ଷା ସମେତ ବଜ୍ରପାତ ଦେଖିବାକୁ ମିଳୁଛି । ତେଣୁ କଳା ମେଘ ଦେଖିଲେ କିମ୍ବା ବଜ୍ରପାତ ନେଇ କୌଣସି ସୂଚନା ମିଳିଲେ ତୁରନ୍ତ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ଏଥିସହ ବିଭିନ୍ନ ଖୋଲା ସ୍ଥାନ ବିଶେଷ କରି ଚାଷ ଜମି ନିକଟରେ ତାଳ ଗଛ ଲଗାଇଲେ ଅନେକ ମାତ୍ରାରେ ଏହାକୁ ପ୍ରତିହତ କରିହେବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। 

Advertisment

ତଥ୍ୟ କହୁଛି, ୨୦୨୨-୨୩ରେ କେବଳ ବଜ୍ରପାତରେ ୨୯୧ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ମୟୂରଭଞ୍ଜରେ ସର୍ବାଧିକ ୨୯ ଜଣ, ବାଲେଶ୍ବରରେ ୧୭ ଏବଂ କେଉଁଝର ଓ ବଲାଙ୍ଗୀରରେ ୧୬ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ୨୦୨୧-୨୨ରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଥିଲା ୨୮୧। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ବଜ୍ରପାତ ନେଇ କୃଷକମାନଙ୍କୁ ସତର୍କ ସୂଚନା ଦିଆଯାଉଛି। କିଛି ସ୍କୁଲ ଏବଂ ପୁରୁଣା ଘରେ ଆର୍ଥିଂର ସମସ୍ୟା ରହିଛି। ଆଗକୁ ନୂତନ ଜ୍ଞାନକୌଶଳ ବ୍ୟବହାର କରି ବଜ୍ରପାତର ମୁକାବିଲା କରାଯିବ। ସେହିପରି ରାଜ୍ୟରେ ୧୯ ଲକ୍ଷ ତାଳ ଗଛ ଲଗାଯିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ରାଜସ୍ବ ମନ୍ତ୍ରୀ। 

ଏବେ ଆସନ୍ତୁ ଜାଣିବା ବଜ୍ରପାତ ସମୟରେ କଣ କରିବେ ଏବଂ କଣ କରିବା ଅନୁଚିତ। ବଜ୍ରପାତ ସମୟରେ ଖୋଲା ସ୍ଥାନ କିମ୍ବା ଗଛ ତଳେ ନରହି ପକ୍କାଘର ଭିତରକୁ ଚାଲି ଆସନ୍ତୁ। ଘରେ ଥିବା ବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଦୂରରେ ରୁହନ୍ତୁ। ବାହାରେ ଥିଲେ ଖାଲୁଆ ଜାଗା ଦେଖି ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ଜିନିଷ ବାହାର କରିଦିଅନ୍ତୁ। ଯଦି ଗାଡି ଚଲାଉଥାନ୍ତି ତେବେ ଗଛ କିମ୍ବା ବିଦ୍ୟୁତ୍ ତାର ଓ ଖୁଣ୍ଟ ଠାରୁ ଦୂରରେ ରୁହନ୍ତୁ। ପୋଖରୀ ଏବଂ ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ବିଦ୍ୟୁତ୍ ଉପକରଣ ଓ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ। 

Advertisment

Lightning Strike Lightning Strikes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ