କାହିଁକି ବିଜୟ ଦିବସ ! ପାକିସ୍ତାନକୁ ବଡ଼ ଯୁଦ୍ଧରେ ହରାଇଥିଲା ଭାରତ, ଜାଣନ୍ତୁ ପୁରା କାହାଣୀ...

୧୯୭୧ ମସିହା ଆରମ୍ଭରୁ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିଲା । ୨୫ ମାର୍ଚ୍ଚ ୧୯୭୧ରେ, ପାକିସ୍ତାନର ସାମରିକ ଏକଛତ୍ରବାଦୀ ଶାସକ ୟାହିୟା ଖାନ ପୂର୍ବ ପାକିସ୍ତାନରେ ଜନସାଧାରଣଙ୍କ ଭାବନାକୁ ଦମନ କରିବା ପାଇଁ ସାମରିକ ବାହିନୀକୁ ନିର୍ଦ୍ଦେଶ ଦେଇଥିଲେ ।

Vijay Dibas

୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ମନେ ରଖିବା ପାଇଁ ପ୍ରତି ବର୍ଷ ୧୬ ଡିସେମ୍ବରରେ ବିଜୟ ଦିବସ ପାଳନ କରାଯାଉଛି । ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏହାପରେ ପୂର୍ବ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ହୋଇଥିଲା । ଯାହା ଏବେ ବାଂଲାଦେଶ ଭାବରେ ଜଣାଶୁଣା । ଏହି ଯୁଦ୍ଧ ଭାରତ ପାଇଁ ଐତିହାସିକ ପ୍ରମାଣିତ ହୋଇଥିଲା । ଏହାସହ ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଉତ୍ସାହ ସୃଷ୍ଟି କରିଥିଲା ।

୧୯୭୧ର ଏହି ଯୁଦ୍ଧରେ ପ୍ରାୟ ୩ ହଜାର ୯୦୦ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏମିତିକି ୯ ହଜାର ୮୫୧ ଜଣ ଆହତ ହୋଇଥିଲେ । ପୂର୍ବ ପାକିସ୍ତାନରେ ପାକିସ୍ତାନୀ ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଏଏକେ ନିୟାଜୀ ଭାରତର ପୂର୍ବତନ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ୍ ସିଂ ଆରୋଡ଼ାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ ୧୭ ଡିସେମ୍ବରରେ, ୯୩ ହଜାର ପାକିସ୍ତାନୀ ସୈନିକଙ୍କୁ ଯୁଦ୍ଧ ବନ୍ଦୀ ଭାବରେ ନିଆଯାଇଥିଲା ।

୧୯୭୧ ମସିହା ଆରମ୍ଭରୁ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିଲା । ୨୫ ମାର୍ଚ୍ଚ ୧୯୭୧ରେ, ପାକିସ୍ତାନର ସାମରିକ ଏକଛତ୍ରବାଦୀ ଶାସକ ୟାହିୟା ଖାନ ପୂର୍ବ ପାକିସ୍ତାନରେ ଜନସାଧାରଣଙ୍କ ଭାବନାକୁ ଦମନ କରିବା ପାଇଁ ସାମରିକ ବାହିନୀକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଶେଖ ମୁଜିବଙ୍କୁ ଗିରଫ କରାଯାଇଥିଲା । ତା’ପରେ ସେଠାରୁ ଅନେକ ଶରଣାର୍ଥୀ କ୍ରମାଗତ ଭାବରେ ଭାରତ ଆସିବା ଆରମ୍ଭ କଲେ ।

ଯେତେବେଳେ ପାକିସ୍ତାନୀ ସେନାର ଏଭଳି କ୍ରୁର ଆଚରଣ ଖବର ଭାରତରେ ପହଞ୍ଚିଲା, ସେତେବେଳେ ଭାରତୀୟ ସେନା ଏହି ଘଟଣାରେ ହସ୍ତକ୍ଷେପ କରୁ ବୋଲି ବିଭିନ୍ନ ମହଲରୁ ଚାପ ପ୍ରୟୋଗ ହେଲା । ଏମିତିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ ଯେ, ଏପ୍ରିଲରେ ହିଁ ଆକ୍ରମଣ କରାଯାଉ । ତେଣୁ ଏନେଇ ଇନ୍ଦିରା ଗାନ୍ଧୀ ସ୍ଥଳସେନା ମୁଖ୍ୟ ଜେନେରାଲ ମାନେକଶାଂଙ୍କ ସହ ଆଲୋଚନା କରିଥିଲେ ।

ସେତେବେଳେ ଭାରତ ପାଖରେ କେବଳ ଗୋଟିଏ ପାର୍ବତୀୟ ଡିଭିଜନ ରହିଥିଲା । ସେଠାରେ ସେତୁ ନିର୍ମାଣ ପାଇଁ ଭାରତର ସାମର୍ଥ୍ୟ ନଥିଲା । ଖାଲି ସେତିକି ନୁହେଁ ସେତେବଳେ ମୌସୁମୀ ମଧ୍ୟ ମାଡ଼ି ଆସୁଥିଲା । ଏପରି ସମୟରେ ପୂର୍ବ ପାକିସ୍ତାନରେ ପ୍ରବେଶ କରିବା ବିପଜ୍ଜନକ ରହିଥିଲା । ତେଣୁ ମାନେକଶାଂ କୌଣସି ରାଜନୈତିକ ଚାପର ବଶବର୍ତ୍ତି ନହୋଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଯୁଦ୍ଧ ମଇଦାନକୁ ଓହ୍ଲାଇବେ ।

୩ ଡିସେମ୍ବର ୧୯୭୧ରେ ଇନ୍ଦିରା ଗାନ୍ଧୀ ସେତେବେଳର କଲିକତାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିଲେ । ସେହି ଦିନ ସନ୍ଧ୍ୟାରେ ପାକିସ୍ତାନୀ ବାୟୁସେନା କିଛି ବିମାନ ଭାରତୀୟ ବାୟୁ ସୀମା ପାର କରି ପଠାନକୋଟ, ଶ୍ରୀନଗର, ଅମୃତସର, ଯୋଧପୁର, ଆଗ୍ରା ଆଦି ଅଞ୍ଚଳରେ ଥିବା ସାମରିକ ବିମାନଘାଟିରେ ବୋମା ବର୍ଷା କରିଥିଲେ । ଏହାପରେ ଇନ୍ଦିରା ଗାନ୍ଧୀ ତୁରନ୍ତ ଦିଲ୍ଲୀ ଫେରି କ୍ୟାବିନେଟର ଜରୁରୀକାଳୀନ ବୈଠକ କରିଥିଲେ ।

ଯୁଦ୍ଧ ଆରମ୍ଭ ହେବା ପରେ ପୂର୍ବରେ ଦ୍ରୁତ ଗତିରେ ଭାରତୀୟ ସେନା ଆଗକୁ ବଢ଼ୁଥିବା ବେଳେ ପ୍ରଥମେ ଜେସୋର ଏବଂ ଖୁଲନାକୁ ନିଜ କବ୍‌ଜାରେ ନେଇଥିଲେ । ଭାରତୀୟ ସେନାର ରଣନୀତି ଥିଲା ଯେ, ମୁଖ୍ୟ ଅଡ୍ଡାକୁ ଛାଡି ପ୍ରଥମେ ଆଗକୁ ବଢ଼ିବା । ଯୁଦ୍ଧ ସମୟରେ ଖୁଲନା ଏବଂ ଚଟଗାଓଁକୁ କବ୍‌ଜା କରିବା ପାଇଁ ଜୋର ଦେଉଥିଲେ ମାନେକଶାଂ । ଢ଼ାକା କବ୍‌ଜା କରିବା ପାଇଁ ଭାରତୀୟ ସେନାର କୌଣସି ଲକ୍ଷ୍ୟ ହିଁ ନଥିଲା ।

ଡିସେମ୍ବର ୧୪ ରେ, ଭାରତୀୟ ସେନା ଏକ ଗୁଇନ୍ଦା ଖବର ପାଇଥିଲା ଯେ, ଦିନ ୧୧ଟାରେ ଢ଼ାକାର ସରକାରୀ ଭବନରେ ଏକ ହାଇଲେବୁଲ ବୈଠକ ହେବାକୁ ଯାଉଛି । ଯେଉଁଥିରେ ପାକିସ୍ତାନୀ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ। ଏହି ଖବର ପାଇବା ପରେ ଭାରତୀୟ ସେନା ନିଷ୍ପତ୍ତି ନେଲା ଯେ, ବୈଠକ ସମୟରେ ହିଁ ସେଠାରେ ଆକ୍ରମଣ କରାଯିବ । ଆଉ ତାହା ହିଁ ହେଲା । ବୈଠକ ଚାଲିଥିବା ବେଳେ ଭାରତୀୟ ବାୟୁସେନାର ମିଗ୍‌ ୨୧ ବୋମା ବର୍ଷା କରି ଛାତ ଉଡ଼ାଇ ଦେଇଥିଲା । ଏହି ଘଟଣା ପରେ ଗଭର୍ଣ୍ଣର ମଲିକ ଭୟରେ ଥରି ଥରି ନିଜ ପଦରୁ ଇସ୍ତଫା ଦେଇଥିଲେ ।

୧୬ ଡିସେମ୍ବର ସକାଳେ ଜେନେରାଲ ଜୈକବଙ୍କୁ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ହେବାକୁ ଢ଼ାକାରେ ପହଞ୍ଚିବା ପାଇଁ ମାନେକଶାଂଙ୍କ ସନ୍ଦେସ ପହଞ୍ଚିଲା । ସେତେବେଳେ ଜୈକବଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବା ଆରମ୍ଭ ହୋଇଥିଲା । ଏହିସମୟରେ ନିୟାଜୀଙ୍କ ପଖରେ ଢ଼ାକାରେ ୨୬ ହଜାର ୪୦୦ ସୈନିକ ଥିବାବେଳେ ଭାରତ ପାଖରେ କେବଳ ୩୦୦୦ ସୈନିକ ଥିଲେ । ଆଉ ତାହା ପୁଣି ଢ଼ାକାଠାରୁ ୩୦ କିଲୋମିଟର ଦୂରରେ ।

ଭାରତୀୟ ସେନା ଏହି ଯୁଦ୍ଧକୁ ସମ୍ପୂର୍ଣ୍ଣ ରୂପେ ନିଜ କବ୍‌ଜାରେ ନେଇସାରିଥିଲା । ଅରୋଡ଼ା ନିଜ ଦଳ ବଳ ସହ ଦୁଇ ଘଣ୍ଟା ମଧ୍ୟରେ ଢ଼ାକାରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିଲେ । ଏମିତିକି ଯୁଦ୍ଧ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଜୈକବଙ୍କ ହାତରେ କୌଣସି ମୌକା ନଥିଲା । ଜୈକବ ଯେତେବେଳେ ନିୟାଜୀଙ୍କ କୋଠରୀରେ ପ୍ରବେଶ କଲେ, ସେଠାରେ ନିରବତା ଛାଇଯାଇଥିଲା । ଆତ୍ମସମର୍ପଣର ଡକ୍ୟୁମେଣ୍ଟ ଟେବୁଲ ଉପରେ ରଖାଯାଇଥିଲା ।

ଜେନେରାଲ ଆରୋଡ଼ାରା ସନ୍ଧ୍ୟା ପ୍ରାୟ ସାଢ଼େ ୪ଟା ବେଳେ ହେଲିକପ୍ଟର ଯୋଗେ ଢ଼ାକା ବିମାନବନ୍ଦରରେ ଅବତରଣ କରିଥିଲେ । ଆରୋଡ଼ା ଏବଂ ନିୟାଜୀ ଏକ ଟେବୁଲ୍ ସାମ୍ନାରେ ବସିଲେ । ଉଭୟ ଆତ୍ମସମର୍ପଣ ଦଲିଲରେ ଦସ୍ତଖତ କଲେ । ନିୟାଜୀ ନିଜର ବ୍ୟାଚ୍‌ ଖୋଲିଲେ ଏବଂ ରିଭଲଭର କାଢ଼ି ଜେନେରାଲ୍ ଆରୋଡ଼ାଙ୍କ ନିଟକରେ ସମର୍ପଣ କଲେ । ସେତେବେଳେ ନିୟାଜୀଙ୍କ ଆଖିରେ ଲୁହ ଆସିଗଲା ।

ଅନ୍ଧାର ହୋଇଆସୁଥିଲା । ସ୍ଥାନୀୟ ଲୋକେ ନିୟାଜୀଙ୍କୁ ପିଟି ପିଟି ହତ୍ୟା କରିବାକୁ ଆଗେଇ ଆସିଥିଲେ । ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ନିୟାଜୀଙ୍କୁ ଚାରି ପଟୁ ସୁରକ୍ଷା ଦେଲେ । ଏହାସହ ସୁରକ୍ଷିତ ଭାବେ ସେଠାରୁ କର୍ଡନ କରି ତାଙ୍କୁ ଉଦ୍ଧାର କରିଥିଲେ ।

ଅନ୍ୟପଟେ ସଂସଦ ଭବନରେ ଇନ୍ଦିରା ଗାନ୍ଧୀ ନିଜ କାର୍ଯ୍ୟାଳୟରେ ବସି ଏକ ଟିଭି ସାକ୍ଷାତକାର ଦେଉଥିଲେ । ଏହି ସମୟରେ ଜେନେରାଲ ମାନେକଶାଂ ତାଙ୍କୁ ବାଂଲାଦେଶରେ ଭାରତର ବଡ ବିଜୟର ଖବର ଦେଇଥିଲେ । ହୋ-ହଲ୍ଲା ମଧ୍ୟରେ ଇନ୍ଦିରାଗାନ୍ଦି ଲୋକସଭାରେ ଘୋଷଣା କଲେ ଯେ, ଯୁଦ୍ଧରେ ଭାରତୀୟ ସେନାକୁ ବଡ଼ ବିଜୟ ମିଳିଛି । ଏହି ଘୋଷଣା ପରେ ସଂସଦରେ ସମସ୍ତେ ଉତ୍ସବ ମନାଇବାକୁ ଲାଗିଲେ ଏବଂ ଏହି ଦିବସକୁ ମନେ ରଖିବା ପାଇଁ ଆଜିର ଦିବସକୁ ବିଜୟ ଦିବସ ଭାବେ ପାଳନ କରାଯାଇଆସୁଛି।