ଦୁଃଖ ବି ଏମିତି ! ଭୋକିଲା ପେଟରେ ୩ କିମି ଚାଲି ଖାଦ୍ୟ ପହଞ୍ଚାଇଲେ ଡେଲିଭରି ବୟ

ପାଖରେ ଫଟା ପାହୁଲା ଟିଏ ନାହିଁ । ବାଇକ୍‌ ନଥିବାରୁ ଚାଲି ଚାଲି କରନ୍ତି ଫୁଡ୍‌ ଡେଲିଭରି । ହେଲେ ଗ୍ରାହକଙ୍କ ଗୋଟିଏ ପଦକ୍ଷେପ ବଦଳାଇଦେଲା ଡେଲିଭରି ବୟଙ୍କ ଭାଗ୍ୟ ।

କିଛି ଦୁଃଖ ଏମିତି..ନା କହି ହୁଏ..ନା ସହି ହୁଏ

ପେଜୁଆ ଆଖି ବଖାଣୁଛି ଅସହାୟତା । ସପ୍ତାହେ ହେଲାଣି ପେଟରେ ଦାନା ମୁଠାଏ ପଡ଼ିନି । ତଥାପି ସେ ଭାଙ୍ଗି ଯାଇ ନାହାନ୍ତି କି କାହା ଆଗରେ ହାତ ପାତିନାହାନ୍ତି । ଯୁଆନ୍‌ ବୟସରେ ସ୍ୱାଭିମାନକୁ ସାହାରା କରି କଠିନ ପରିଶ୍ରମ କରି ଭୋକ ମେଣ୍ଟାଇବା ପାଇଁ ଚେଷ୍ଟା କରୁଛନ୍ତି । ଗାଡ଼ି ନଥିବାରୁ ୩ କିମି ଚାଲି ଚାଲି ଫୁଡ୍‌ ଡେଲିଭରି କରୁଛନ୍ତି ସାହିଲ୍ ସିଂ । ତେବେ ଜଣେ ଦରଦୀ ମହିଳାଙ୍କ ପାଇଁ ତାଙ୍କ କରୁଣ କାହାଣୀ ସମସ୍ତଙ୍କ ସାମ୍ନାକୁ ଆସିଛି । ଏହାସହ ତାଙ୍କୁ ଏକ ଭଲ ଚାକିରି ଦେବା ପାଇଁ ଜଣେ ଲିଙ୍କଡଇନ୍‌ ୟୁଜର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଖରା, ବର୍ଷା ତଥା ଟ୍ରାଫିକ୍‌କୁ ଖାତିର ନକରି ଠିକ୍‌ ସମୟରେ ପହଞ୍ଚି ଯାଆନ୍ତି ଫୁଡ୍‌ ଡେଲିଭରି ଏଜେଣ୍ଟ୍‌ । ତାଙ୍କ ପାଇଁ ଗ୍ରାହକଙ୍କ ମନ ମୁତାବକ ଗରମ ଓ ସ୍ୱାଦିଷ୍ଟ ଖାଦ୍ୟ ଘରେ ପହଞ୍ଚିଯାଏ । ହେଲେ ସେହି ମଣିଷ ଯେ ଭୋକରେ ଆଉଟୁ ପାଉଟୁ ହେଉଥିବ, ପେଟରେ ଓଦା କନା ଦେଇ ଖାଇବା ଆଣୁଥିବ, ସେକଥା କିଏ ବା ଚିନ୍ତା କରିବ । ତଥାପି ଏହି ସ୍ୱାର୍ଥପର ଦୁନିଆରେ କିଛି ଏପରି ଲୋକ ଆଜି ବି ଅଛନ୍ତି, ଯିଏ ଗରିବଙ୍କ ଦୁଃଖ ବୁଝୁଛି ।

ସାହିଲଙ୍କ ଜୀବନରେ ଟେକ୍ କମ୍ପାନୀ ଫ୍ଲାସର ମାର୍କେଟିଂ ମ୍ୟାନେଜର ପ୍ରିୟାନ୍ସି ଚାନ୍ଦେଲ ଜଣେ ଦେବୀ ଭଳି ଉଭା ହୋଇଛନ୍ତି । ଭୋକିଲା ପେଟରେ ଏକ ଆଇସକ୍ରିମ ଅର୍ଡର ନେଇ ସେ ତାଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ଡେଲିଭରିରେ ୩୦ରୁ ୪୦ ମିନିଟ୍‌ ବିଳମ୍ବ ହେବାରୁ ପ୍ରିୟାନ୍ସି ସାହିଲଙ୍କୁ ପ୍ରଶ୍ନ କରିଥିଲେ । ସେ କିଛି କହୁନଥିଲେ ବି ତାଙ୍କ ଚେହେରା ସବୁ ବଖାଣୁଥିଲା ।

ଆଉ ପ୍ରିୟାନ୍ସିଙ୍କ ସାମ୍ନାରେ ନିଜ ଦୁଃଖ ବଖାଣିଥିଲେ ସାହିଲ । ତାଙ୍କ ପାଖରେ ଗାଡ଼ି ନଥିବାରୁ ୩ କିମି ପାଦରେ ଚାଲି ଚାଲି ଯିବାକୁ ପଡ଼ିଥିଲା । ଏପରିକି ପାଖରେ ଟଙ୍କାଟିଏ ମଧ୍ୟ ନଥିଲା । ସେ ଗରିବ ହୋଇପାରନ୍ତି କିନ୍ତୁ ଅପାଠୁଆ ନୁହଁନ୍ତି । ସେ ଇଲେକ୍ଟ୍ରିକାଲ ଏବଂ କମ୍ୟୁନିକେସନ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ସେ ପୂର୍ବରୁ ବାୟିଜୁ ଏବଂ ନିଞ୍ଜାକାର୍ଟ ସହିତ କାମ କରିଛନ୍ତି । ହେଲେ ମହାମାରୀ ସମୟରେ ଚାକିରି ହରାଇବା ପରେ ସେ ଜାମ୍ମୁରେ ଥିବା ନିଜ ଘରକୁ ଫେରି ଯାଇଥିଲେ ।

ସାହିଲ୍ କହିଛନ୍ତି, 'ମ୍ୟାଡାମ୍, ମୋ ପାଖରେ ସ୍କୁଟି କିମ୍ବା ଅନ୍ୟ କୌଣସି ଗାଡ଼ି ନାହିଁ । ମୁଁ ଆପଣଙ୍କ ଅର୍ଡର ପାଇଁ ୩ କିଲୋମିଟର ପାଦରେ ଚାଲି ଚାଲି ଆସିଛି । ମୋ ପାଖରେ ଟଙ୍କାଟିଏ ବି ନାହିଁ । ପାଖରେ କିଛି ଟଙ୍କା ଥିଲା, ଯାହା ମୋ ଫ୍ଲାଟମେଟ ନେଇଯାଇଛି । ୟୁଲୁ ବାଇକ୍‌ ବୁକ୍‌ କରି ସେ ଫୁଡ୍‌ ଡେଲିଭରି କରନ୍ତି । ହେଲେ ତାଙ୍କ ପାଖରେ ୨୩୫ ଟଙ୍କା ବି ନାହିଁ, ଯେଉଁଥି ପାଇଁ ସେ ରିଚାର୍ଜ କରିପାରି ନାହାନ୍ତି । ଏପରି ସ୍ଥିତିରେ ଘର ମାଲିକଙ୍କୁ ଦେବା ପାଇଁ ଆଉ କିଛି ବି ଟଙ୍କା ନାହିଁ । ଆପଣଙ୍କୁ ଲାଗୁଥିବ ମୁଁ ମିଛ କହୁଛି । ହେଲେ ମୁଁ ଜଣେ ଶିକ୍ଷିତ ବ୍ୟକ୍ତି । ଗୋଟିଏ ଅର୍ଡର ଡେଲିଭରି ପାଇଁ ମୋତେ ୨୦-୨୫ ଟଙ୍କା ମିଳେ । ଏହାସହ ୧୨ଟା ପୂର୍ବରୁ ଡେଲିଭରି ନେବାକୁ ପଡ଼ିବ । ନହେଲେ ଆଉ ଦୂରକୁ ପଠେଇ ଦେବେ ।

ମୁଁ ଏକ ସପ୍ତାହ ପର୍ଯ୍ୟନ୍ତ କିଛି ଖାଇନି, କେବଳ ପାଣି ଏବଂ ଚା ପିଉଛି । ମୁଁ କିଛି ମାଗୁନି, ଦୟାକରି ଯଦି ଆପଣ ପାରିବେ ମୋ ପାଇଁ କିଛି କାମ ଯୋଗାଡ଼ କରିଦିଅନ୍ତୁ । ମୁଁ ପୂର୍ବରୁ ମାସକୁ ୨୫ ହଜାର ରୋଜଗାର କରୁଥିଲି । ମୋର ବୟସ ୩୦ ବର୍ଷ । ମୋ ବାପାମା’ ମଧ୍ୟ ବୁଢ଼ା ହୋଇଗଲେଣି, ତାଙ୍କୁ ଟଙ୍କା ମାଗି ପାରିବିନି ।’

ସବୁ କାହାଣୀ ଶୁଣିବା ପରେ ପ୍ରିୟାନ୍ସି, ସାହିଲଙ୍କ ଇମେଲ୍, ମାର୍କସିଟ୍, ସାର୍ଟିଫିକେଟ୍ ଏବଂ ଡକ୍ୟୁମେଣ୍ଟର ଫଟୋଗ୍ରାଫ୍ ଲିଙ୍କଡଇନ୍‌ରେ ଅପଲୋଡ୍‌ କରିଥିଲେ । ଅନେକ ଲୋକ ତାଙ୍କର ସାହାଯ୍ୟ ପାଇଁ ଆସିଛନ୍ତି । ବର୍ତ୍ତମାନ ତାଙ୍କୁ ଚାକିରି ଦେବାପାଇଁ ବି ଲୋକେ ଆଗେଇ ଆସିଛନ୍ତି ।