ବରଷକ ପରେ ଆସିଛି ରଜ। ଆଜି ହେଉଛି ପହିଲି ରଜ। ଓଡ଼ିଶାର ଏକାଧିକ ପର୍ବ ମଧ୍ୟରୁ ଅନ୍ୟତମ ସ୍ୱତନ୍ତ୍ର ଗଣପର୍ବ। ଏହି ପର୍ବ କେବଳ ଏକ ପର୍ବ ନୁହେଁ ବରଂ ଏକ ଜୀବନ ଧାରା। ପରମ୍ପରା ଅନୁସାରେ ଏହି ସମୟରେ ଧରିତ୍ରୀ ମାତା ରଜବତୀ ହୋଇଥାଏ। ସେଥିପାଇଁ କୁହାଯାଏ ରଜ ହେଉଛି କୁଆଁରୀ ଝିଅଙ୍କ ପର୍ବ। ରଜ ତିନିଦିନ ଏମାନଙ୍କୁ କାମ ମନା। ଖାଲି ପାଦରେ ଚାଲିବା ବି ମନା। ନୂଆ ଡ୍ରେସ୍ ପିନ୍ଧି, ହାତରେ ମେହେନ୍ଦି, ପାଦରେ ଅଳତା, ମୁଣ୍ଡରେ ଚନ୍ଦନର ଟିପା ଲଗାଇ ଏମାନେ ପାନ ଖାଇ ଦୋଳି ଖେଳନ୍ତି, ରଜଦୋଳି ଗୀତ ଗାଆନ୍ତି । କେବଳ ଝିଅ ନୁହେଁ ରଜ ତିନିଦିନ ପୁଅମାନେ ବି ମଉଜରେ ମାତନ୍ତି।
ଜମେ ତାସ୍, ପଶା, ବାଗୁଡ଼ି ଖେଳର ଆସର। ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ତିଆରି ସାଙ୍ଗକୁ ସମସ୍ତେ ଦୋଳିଖେଳରେ ମଜ୍ଜିଯାଆନ୍ତି। ରଜ ଆଉ ଏକ ଆକର୍ଷଣ ହେଉଛି ମିଠା ପାନ। ଆଜିକାଲି ସହରରେ ମଧ୍ୟ ରଜ ପର୍ବକୁ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଉଛି।
Also Read
ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ, ବର୍ତ୍ତମାନ ସମୟରେ ସେଇ ପୁରୁଣା ରଜର ମଜା ଆଉ ନାହିଁ । ସହର ତ ଦୂରର କଥା ଗାଁ ଗହଁଳିରେ ବି ଦେଖିବାକୁ ମିଳୁନି ରଜ ମଉଜ । କୁହାଯାଏ ଗୀତ ଓ ସଂଗୀତର ସାତ ସୂରରେ ବନ୍ଧା ଓଡ଼ିଶାର ଜନ ଜୀବନ। ପ୍ରତ୍ୟେକ ପର୍ବ ପର୍ବାଣୀ ମଧ୍ୟ ଏହି କଥା କହେ। ଏଥିରୁ ରଜ ବା କିପରି ବାଦ ପଡ଼ିବ । ବିନା ରଜଗୀତରେ ରଜ ମଉଜ ଫିକା। ରଜଗୀତ ଓଡ଼ିଶାର ପୁରପଲ୍ଲୀରେ ବେଶ ପରିଚିତ। ଏହି ଲୋକ ଗୀତକୁ ପିଢି ପରେ ପିଢି ବଞ୍ଚେଇ ରଖିଛନ୍ତି।
ତେବେ ଏହି ଗୀତର ପ୍ରକୃତ ରଚୟିତା କିଏ ତାହା ଏପର୍ଯ୍ୟନ୍ତ ଜଣାପଡିନି। କିନ୍ତୁ ଏହି ଗୀତର ପ୍ରଥମ ଧାଡି ପ୍ରତ୍ୟେକ ଓଡିଆଙ୍କ ମୁହଁରେ ଥାଏ। ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ’ ଏହା ସହ କିଏ ବା ପରିଚିତ ନୁହେଁ। ତେବେ ଏହି ଗୀତରେ ସମୁଦାୟ ୩୭ଟି ପଦ ଥିବାବେଳେ ସବୁ ପଦଗୁଡିକ ଓଡ଼ିଶାର ସାମାଜିକ ଜୀବନ, ଗ୍ରାମୀଣ ଚଳଣୀ, ଲୋକ କଳା ଓ ଲୋକ ସଂସ୍କୃତି ସହିତ ଓତଃପ୍ରୋତ ଭାବେ ଜଡିତ।
ଲୋକ ମୁଖରେ ବୋଲାଯାଉଥିବା ଏହି ଗୀତ ପରବର୍ତ୍ତୀ ସମୟରେ ଲିପିବଦ୍ଧ ହୋଇଥିଲା। ମୁଦ୍ରିତ ପୁରାତନ ପ୍ରକାଶନଗୁଡ଼ିକ ମଧ୍ୟରୁ ୧୯୪୯ ମସିହାରେ ପ୍ରକାଶିତ ‘ପହିଲି ରଜ ’ ଓ ୧୯୫୨ ମସିହାରେ ପ୍ରକାଶିତ ମାଗୁଣୀ ମହାପାତ୍ରଙ୍କ ‘ରେକର୍ଡ଼ ରଜଦୋଳି ଗୀତ’ ଅନ୍ୟତମ। ତେବେ ଆସନ୍ତୁ ଏବେ ସଂପୂର୍ଣ୍ଣ ରଜଗୀତ ଉପରେ ନଜର ପକେଇ ନେବା।