ବଦଳିବାକୁ ଯାଉଛି କାଶ୍ମୀରର ରାଜନୈତିକ ଦୃଶ୍ୟପଟ୍ଟ : ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃ-ନିର୍ଦ୍ଧାରଣ

ସୀମା ପୁନଃ-ନିର୍ଦ୍ଧାରଣ ବେଳେ ଭୌଗଳିକ ସ୍ଥିତି, ବର୍ତ୍ତମାନର ପ୍ରାଶାସନିକ ସୀମା, ଯୋଗାଯୋଗ ବ୍ୟବସ୍ଥା ଓ ଲୋକଙ୍କ ସୁବିଧା-ଅସୁବିଧାକୁ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ନୂଆ କାଶ୍ମୀରର ନୂଆ ରାଜନୈତିକ ସ୍ଥିତି

ନୂଆ କାଶ୍ମୀରର ନୂଆ ରାଜନୈତିକ ସ୍ଥିତି । ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃ-ନିର୍ଦ୍ଧାରଣ ଲାଗି ଗଠିତ ଡିଲିମିଟେସନ କମିଶନ ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ସ୍ପଷ୍ଟ ହୋଇଛି । ଆଗାମୀ ଦିନରେ କଣ ହେବାକୁ ଯାଉଛି ଉପତ୍ୟକାର ରାଜନୈତିକ ଦୃଶ୍ୟପଟ୍ଟ । ଜମ୍ମୁ ଅଞ୍ଚଳରେ ୬ଟି ବିଧାନସଭା ଆସନ ଯୋଡା ଯାଇଥିବା ବେଳେ କାଶ୍ମୀର ଅଞ୍ଚଳରେ ସୃଷ୍ଟି କରାଯାଇଛି । ଗୋଟିଏ ନୂଆ ଆସନ ଫଳରେ ୯୦ ଆସନ ବିଶିଷ୍ଟ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ଏଣିକି କାଶ୍ମୀରରୁ ୪୭ ଓ ଜମ୍ମୁରୁ ୪୩ ଆସନ ରହିବ । ତେବେ ଡିଲିଟେସନ କମିଶନଙ୍କ ଏହି ରିପୋର୍ଟକୁ ନେଇ ଉଠିଛି ପ୍ରତିବାଦର ସ୍ୱର । ନ୍ୟାସନାଲ କନଫରେନ୍ସ ଓ ପିଡିପି ଭଳି ରାଜନୈତିକ ଦଳ ଏହାକୁ ବିରୋଧ କରିଛନ୍ତି. ।

ଜମ୍ମୁ ଓ କାଶ୍ମୀର ବିଧାନସଭା ଆସନ ପୁନଃ-ନିର୍ଦ୍ଧାରଣ ଲାଗି ଗଠିତ ଡିଲିମିଟେସନ କମିଶନ, ଏହାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛି । ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ରଂଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ କମିଶନ କେନ୍ଦ୍ର ସରକାରଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ସୀମା ପୁନଃ-ନିର୍ଦ୍ଧାରଣ ବେଳେ ଭୌଗଳିକ ସ୍ଥିତି, ବର୍ତ୍ତମାନର ପ୍ରାଶାସନିକ ସୀମା, ଯୋଗାଯୋଗ ବ୍ୟବସ୍ଥା ଓ ଲୋକଙ୍କ ସୁବିଧା-ଅସୁବିଧାକୁ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

କାଶ୍ମୀର ଅଞ୍ଚଳରେ ଆଉ ଗୋଟିଏ ଆସନ ସାମିଲ କରାଯାଇଥିବା ବେଳେ ଜାମ୍ମୁ ଅଞ୍ଚଳ ପାଇଛି ୬ଟି ନୂଆ ଆସନ ଫଳରେ ରାଜ୍ୟର ୯୦ ବିଧାନସଭା ଆସନରୁ କାଶ୍ମୀର ଅଞ୍ଚଳରେ ୪୭ ଆସନ ରହିଥିବା ବେଳେ ଜମ୍ମୁ ଅଞ୍ଚଳରେ ରହିବ । ୪୩ଟି ଆସନ କେବଳ ଜନସଂଖ୍ୟାକୁ ବିଚାରକୁ ନେଇ ଆସନ ନିର୍ଦ୍ଧାରଣ କରାଯାଇଥିଲେ । କାଶ୍ମୀର ଅଞ୍ଚଳକୁ ବହୁ ଅଧିକ ଆସନ ମିଳିବା କଥା । ତେବେ କମିଶନ ଭୌଗଳିକ ସ୍ଥିତି ଭଳି ବିଭିନ୍ନ କାରଣକୁ ନେଇ ସୀମା ପୁନଃ-ନିର୍ଦ୍ଧାରଣ କରିଥିବାରୁ ଜମ୍ମୁ ଅଞ୍ଚଳକୁ ଅଧିକ ଆସନ ମିଳିଥିବା ଯୁକ୍ତି ହେଉଛି ।

ଡିଲିମିଟେସନ କମିଶନଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଫାରୁକ୍ ଅବଦ୍ଦୁଲାଙ୍କ ନ୍ୟାସନାଲ କନଫରେନ୍ସ ସମେତ ରାଜ୍ୟର ଅନ୍ୟାନ୍ୟ ଦଳ ବିରୋଧ କରିଛନ୍ତି । କମିଶନଙ୍କ ନିକଟରେ ଏହି ଦଳମାନେ ନିଜ ନିଜ ପକ୍ଷ ରଖିଥିଲେ ମଧ୍ୟ ଏହାକୁ ରିପୋର୍ଟରେ ସାମିଲ କରାଯାଇନଥିବା ଏଠାକାର ଦଳମାନେ ଅଭିଯୋଗ କରିଛନ୍ତି । ତେବେ ବିଜେପି ଡିଲିଟେସନ କମିଶନଙ୍କ ରିପୋର୍ଟକୁ ସ୍ୱାଗତ କରିଛି । ଫଳରେ ରିପୋର୍ଟକୁ ନେଇ ଉପତ୍ୟକାରେ ତେଜିଛି ରାଜନୀତି ।

ଜମ୍ମୁ ଅଞ୍ଚଳରେ ବିଜେପିର ପ୍ରଭାବ ଥିବାରୁ ଏଠାରେ ଆସନ ବଢାଇ ଦଳ ନିର୍ବାଚନ ଜିତିବା ଚକ୍କରରେ ଥିବା ଅଭିଯୋଗ ଉଠିଛି । ଜମ୍ମୁ ଅଞ୍ଚଳର ଅଧିକାଂଶ ଆସନ ଜିତିବା ପରେ କାଶ୍ମୀରର କିଛି ଆଞ୍ଚଳିକ ଦଳଙ୍କ ସହଯୋଗରେ ଦଳ ରାଜ୍ୟ ଶାସନ କ୍ଷମତା ହାତେଇବା ସହଜ ହେବ ବୋଲି ଯୁକ୍ତି ହେଉଛି । ତେବେ କାଶ୍ମୀର ଅଞ୍ଚଳ ଭଳି ଜମ୍ମୁର ସବୁ ଭୋଟର ବିଜେପି ସମର୍ଥକ ନୁହନ୍ତି ତେଣୁ ଏଭଳି ଆଶଙ୍କାରେ କୌଣସି ଗୁରୁତ୍ୱ ନାହିଁ ବୋଲି ମତ ପ୍ରକାଶ ପାଇଛି ।

 କେଉଁ ଆଧାରରେ ସୀମା ପୁନନିର୍ଦ୍ଧାରଣ କରିଛନ୍ତି କମିଶନ..

ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା ବିଧାନସଭାରେ ଜାମ୍ମୁ-ଅଞ୍ଚଳର ପ୍ରାଧାନ୍ୟ ବଢିବ ବୋଲି ଅଭିଯୋଗ ଉଠୁଛି । ଜାମ୍ମୁ ଓ କାଶ୍ମୀର ମୋଟ ଜନସଂଖ୍ୟାର ୬୮.୮ ପ୍ରତିଶତ ମୁସଲମାନ ହୋଇଥିବା ବେଳେ ୩୧.୨ ପ୍ରତିଶତ ହିନ୍ଦୁ ତେବେ ଆଞ୍ଚଳିକ ଭାବେ ଦେଖିଲେ କାଶ୍ମୀର ଅଞ୍ଚଳରେ ମୁସଲମାନ ଜନସଂଖ୍ୟା ୯୬.୪ ପ୍ରତିଶତ ହୋଇଥିବା ବେଳେ ଜମ୍ମୁ ଅଂଚଳରେ ହିନ୍ଦୁ ଜନସଂଖ୍ୟା ହେଉଛି ୬୨.୬ ପ୍ରତିଶତ । ମାତ୍ର କାଶ୍ମୀରର ଅଧିକାଂଶ ଜିଲ୍ଲାରେ ମୁସଲମାନ ସଂଖ୍ୟାବହୁଳ ହୋଇଥିବା ବେଳେ ଜାମ୍ମୁର ମାତ୍ର ୪ ଜିଲ୍ଲା ହିନ୍ଦୁ ସଂଖ୍ୟାବହୁଳ । ଆଞ୍ଚଳିକ ସଂଖ୍ୟା ଭିତ୍ତିରେ ତୁଳନା କଲେ ଜମ୍ମୁ ଅଞ୍ଚଳରେ ଅନୁପାତଠାରୁ ଅଧିକ ବିଧାନସଭା ଆସନ ରହିବ, ଯାହାକୁ ଏଠିକାର ଅଧିକାଂଶ ରାଜନୈତିକ ଦଳ ବିରୋଧ କରୁଛନ୍ତି । ତେବେ ବିଜେପି ଡିଲିମିଟେସନ କମିଶନଙ୍କ ରିପୋର୍ଟକୁ ସ୍ୱାଗତ କରିଛି ।

ସେପଟେ ଜାମ୍ମୁ-କାଶ୍ମୀର ବିଧାନସଭା ଆସନ ପୁନଃ-ନିର୍ଦ୍ଧାରଣକୁ ନେଇ କଡା ଆପତ୍ତି ଉଠାଇଛି ପାକିସ୍ତାନ । ଇସଲାମାବାଦ୍ ଡିଲିମିଟେସନ କମିସନଙ୍କ ରିପୋର୍ଟକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରେ ବୋଲି ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କୁ ଡାକି ଜଣାଇ ଦିଆଯାଇଛି । ସୀମା ପୁନଃ-ନିର୍ଦ୍ଧାରଣ ଆଳରେ ଭାରତ ସରକାର ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବୈଧ କରିବା ଲାଗି ଉଦ୍ୟମ କରୁଛନ୍ତି ବୋଲି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଭିଯୋଗ କରିଛି ।

ତେବେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଂପୂର୍ଣ୍ଣ ଭାବେ ଭାରତରେ ଆଭ୍ୟନ୍ତରୀଣ ମାମଲା ଓ ଦେଶର ପାର୍ଲାମେଣ୍ଟର ଅନୁମୋଦନ କ୍ରମେ ଏହାକୁ କରାଯାଇଛି ବୋଲି ଭାରତ ସ୍ପଷ୍ଟ କରିସାରିଛି । ଏହାସତ୍ତ୍ୱେ ପାକିସ୍ତାନ ଏହାର ଖୋଇ ଛାଡୁନି ଯେନ ତେନ ପ୍ରକାରେଣ କାଶ୍ମୀର ପ୍ରସଙ୍ଗକୁ ବଞ୍ଚାଇ ରଖିବାକୁ ବାରମ୍ବାର ଏଭଳି ବୃଥା ଆସ୍ଫାଳନ କରୁଥିବା ମତ ଦେଇଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ ।

କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରକୁ ପୁଣି ରାଜ୍ୟ ପାହ୍ୟା ଦେବା ଏବେ ଏଠାରେ ନିର୍ବାଚନ କରାଇବା ବର୍ତ୍ତମାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କୁହାଯାଉଛି । ତେବେ ବିଧାନସଭା ଆସନ ସୀମା ପୁନଃ-ନିର୍ଦ୍ଧାରଣ ସରିଥିବାରୁ ଏଠାରେ ନିର୍ବାଚନ କରାଇବା ଏବେ କେନ୍ଦ୍ରର ପ୍ରାଥମିକତା ହେବ ବୋଲି ଅନୁମାନ କରାଯାଉଛି ।