କରୋନା ଟିକା ଅସଲି ନା ନକଲି ଜାଣିବେ କେମିତି?

କରୋନାର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଥିବା ବେଳେ ଏବେ ନକଲି ଟିକାକୁ ନେଇ ଲୋକମାନେ ଅଡୁଆରେ ପଡିଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ଠାବ ହୋଇଛି ନକଲି କୋଭିସିଲ୍ଡ ଟିକା

Corona Vaccination

News Summary

ନକଲି କରୋନା ଟିକାକୁ ସାବଧାନ

ବିଶ୍ୱ ବଜାରରେ ମିଳୁଛି ନକଲି କରୋନା ଟିକା

ଭାରତର ବିଭିନ୍ନ ସ୍ଥାନରୁ ବି ଆସୁଛି ନକଲି ଟିକା ଖବର

ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଥିବା ବେଳେ ଏବେ ନକଲି ଟିକାକୁ ନେଇ ଲୋକମାନେ ଅଡୁଆରେ ପଡିଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ଠାବ ହୋଇଛି ନକଲି କୋଭିସିଲ୍ଡ ଟିକା । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରିଛି । ଅନ୍ୟକ୍ଷରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖି ଅସଲି ଟିକା ନିଶ୍ଚିତ କରିବାକୁ କହିଛନ୍ତି । ଏଥିସହ ଅସଲି ଟିକା କିପରି ଚିହ୍ନିହେବ ସେ ନେଇ ଜାରି ହୋଇଛି ଗାଇଡଲାଇନ୍ ।

ନକଲି କରୋନା ଟିକାକୁ ସାବଧାନ। ବିଶ୍ୱ ବଜାରରେ ମିଳୁଛି ନକଲି କରୋନା ଟିକା। ଭାରତର ବିଭିନ୍ନ ସ୍ଥାନରୁ ବି ଆସୁଛି ନକଲି ଟିକା ଖବର। ତେବେ ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ନକଲି କୋଭିସିଲ୍ଡ ଟିକା ଠାବ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରିବା ପରେ, ଅସଲି ଟିକା ଚିହ୍ନଟ ପଦ୍ଧତି ସଂପର୍କରେ ସବୁ ରାଜ୍ୟକୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖି, ଟିକା ଦେବା ପୂର୍ବରୁ ଏହା ଅସଲି ବୋଲି ସୁନିଶ୍ଚିତ କରିବାକୁ କୁହାଯାଇଛି ।

ଏବେ ଭାରତରେ କୋଭିସିଲ୍ଡ, କୋଭାକ୍ସିନ୍ ଓ ସ୍ପୁଟନିକ-ଭି ଟିକା ଦିଆଯାଉଛି । ତେଣୁ ଅସଲି ଓ ନକଲି ଟିକାକୁ ଚିହ୍ନିବା ପାଇଁ ଏହି ତିନି ଟିକାର ଉତ୍ପାଦନକାରୀଙ୍କ ସହାୟତାରେ କେନ୍ଦ୍ରସରକାରଙ୍କ ପକ୍ଷରୁ ବିସ୍ତୃତ ତଥ୍ୟ ପଠାଯାଇଛି । ଏଥିରେ ଟିକାର ଲେବଲ, ରଂଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ ସଂପର୍କରେ ସୂଚନା ଦିଆଯାଇଛି ଏବଂ ଜାତୀୟ କୋଭିଡ୍ ଟିକାକରଣ ଅଭିଯାନର ପ୍ରୋଗ୍ରାମ୍ ମ୍ୟାନେଜର୍ ଓ ସର୍ଭିସ୍ ପ୍ରୋଭାଇଡରଙ୍କୁ ଏସବୁ ଅବଗତ କରାଇବାକୁ କୁହାଯାଇଛି । ସେପଟେ ନକଲି ଟିକା ଅଭିଯୋଗ ମାମଲା ଗୁଡ଼ିକୁ କେନ୍ଦ୍ର ସରକାର ଗୁରୁତର ସହ ନେଇ, ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛନ୍ତି । ଯଦି ଏନେଇ ପ୍ରମାଣ ମିଳେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଚେତାବନୀ ଦେଇଛନ୍ତି ।

କେମିତି ଚିହ୍ନିବେ ନକଲି ଟିକା? ସେରମ୍ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ କୋଭିସିଲଡ୍ ଟିକାର ଲେବଲ ଓ ଆଲୁମିନିୟମ ଠିପି ଘନ ସବୁଜ ରଂଗର । ଟିକା ଉପରେ ଟ୍ରେଡମାର୍କ ଓ ବ୍ରାଣ୍ଡ୍ର ନାଁ ଲେଖାଯାଇଛି । ଅଧିକ ସ୍ପଷ୍ଟ ଓ ପଢିବା ପାଇଁ ଅକ୍ଷର ଗୁଡିକୁ ଧଳାକାଳିରେ ଲେଖାଯାଇଛି । ଟିକାର ଜେନେରିକ୍ ନେମକୁ ବୋଲଡ୍ ଅକ୍ଷରରେ ଲେଖାଯାଇନାହିଁ । ଏଥିରେ ସିଜିଏସ୍ ନଟ୍ ଫର୍ ସେଲ୍ ବୋଲି ଲେଖାଯିବା ସହ ଏସ୍ଆଇଆଇ ଲୋଗୋକୁ ସ୍ୱତନ୍ତ୍ର ଭାବେ ଲେଖାଯାଇଛି । ପୁରା ଲେବଲରେ ଏକ ମହୁଫେଣା ଭଳି ଡିଜାଇନ୍ ରହିଛି, ଯାହାକି କେବଳ ଏକ ନିର୍ଦ୍ଦିଷ୍ଟ କୋଣରୁ ଦେଖାଯାଏ ।

ଅନ୍ୟପକ୍ଷରେ କୋଭାକ୍ସିନ ଟିକାର ଲେବଲରେ ଏକ କୁଣ୍ଡଳୀ ବା ଡିଏନ୍ଏ ସଂରଚନା ଭଳି ଅଦୃଶ୍ୟ ଚିତ୍ର ରହିଛି, ଯାହାକି କେବଳ ଅତିବାଇଗଣୀ ବା ଅଲ୍ଟ୍ରାଭାଓଲେଟ୍ ଆଲୋକରେ ଦେଖାଯାଏ । ଏହା ଖାଲି ଆଖିରେ ଦେଖାଯିବ ନାହିଁ । କୋଭାକ୍ସିନ୍ ଲେଖା ଉପରେ ହୋଲୋଗ୍ରାଫିକ୍ ଇଫେକ୍ଟ ଓ ଏହାର କେବଳ ଏକ୍ସ୍ ଅକ୍ଷରରେ ଗ୍ରୀନ୍ ଫଏଲ୍ ଇଫେକ୍ଟ ରହିଛି। ସ୍ପୁଟନିକ-ଭି କୋଭିଡ ଟିକାର କାର୍ଟୋନ୍ ବା ପେଟିରେ କେବଳ ସାମ୍ନା ଓ ପଛ ପଟେ ଇଂରାଜୀରେ ଲେଖାଯାଇଛି । ଅନ୍ୟସବୁ ସ୍ଥାନରେ ଋଷୀୟ ଲିପିରେ ଲେଖା ରହିଛି । ଏହା ୨ଟି ସ୍ଥାନରେ ଉତ୍ପାଦନ ହେଉଥିବାରୁ କେବଳ ନିର୍ମାତା କଂପାନୀ ନାଁ ବ୍ୟତୀତ ଆଉ ସବୁ ସମାନ ସୂଚନା ଲେଖାରହିଥାଏ । ତେବେ ଏପରି ଭାବରେ ଟିକା ଅସଲି କି ନକଲି ଜାଣିପାରିବେ।