ରକ୍ତରେ ଜୁଡୁବୁଡ଼ୁ ହୋଇ ପଡ଼ିଥିଲା ପ୍ରେମିକ : ଜୀବନ ବଞ୍ଚାଇବା ପାଇଁ ରାତି ଅଧରେ ଘରୁ ବାହାରିଗଲେ ଯୁବତୀ

ମଧ୍ୟପ୍ରଦେଶର ଦମୋହରେ ଜଣେ ଯୁବତୀ ପରିବାର ସଦସ୍ୟଙ୍କୁ ନଜଣାଇ ରାତି ଅଧରେ ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ଘରୁ ପଳାଇ ଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି । ପ୍ରାୟ ତିନି ଦିନ ପୂର୍ବରୁ ଏପରି ଘଟଣା ଘଟିଛି ।

ପ୍ରେମିକର ଜୀବନ ବଞ୍ଚାଇବା ପାଇଁ ମାନମହତ ଭୁଲିଗଲେ ଯୁବତୀ

ପ୍ରେମରେ ଥାଏ ଦିବ୍ୟଶକ୍ତି । ଇଶ୍ୱରଙ୍କ ବରଦାନ । ପ୍ରେମିକର ଜୀବନ ବଞ୍ଚାଇବା ପାଇଁ ମାନମହତ ଭୁଲିଗଲେ ଯୁବତୀ । ରାତି ଅଧରେ ପାଗଳଙ୍କ ପରି ଗଳିକନ୍ଦିରେ ଆହତ ପ୍ରେମିକକୁ ସେ ଖୋଜି ବୁଲନ୍ତି । ମୁଣ୍ଡରେ କିଛି ଜୁଟୁନଥାଏ, ଏଠି ସେଠି ବୁଝାବୁଝି କରିବା ପରେ ସେ ପ୍ରେମିକଙ୍କୁ ପାଆନ୍ତି । ସେତେବେଳକୁ ରକ୍ତାକ୍ତ ହୋଇ ରାସ୍ତା ମଝିରେ ପଡ଼ିଥାଆନ୍ତି ଯୁବକ ଜଣକ । ଜୀବନ-ମୃତ୍ୟୁର ଦୋଛକି ଭିତରେ ପ୍ରେମିକାର ମୁହଁ ଆଖିକୁ ଆସିଗଲା

ପରେ ଶେଷ ସମୟରେ ଟିକିଏ ପ୍ରେମିକାକୁ ଦେଖିବାକୁ ତଥା ସାହାଯ୍ୟ ମାଗିବାକୁ କ୍ଷତାକ୍ତ ଯୁବକ ଜଣକ ପ୍ରେମିକାକୁ କଲ୍ କରିଥିଲେ । ଆଉ ତାଙ୍କ ଗୋଟିଏ କଲ୍‌ ପାଇଁ ପାଗଳିନୀ ପ୍ରାୟ ହୋଇ ଦଉଡ଼ି ଆସନ୍ତି ଯୁବତୀ । ଏହାହିଁ ତ ପ୍ରକୃତ ପ୍ରେମର ନିଦର୍ଶନ । ଘର ଲୋକ କଣ କହିବେ, ସମାଜ ଲୋକ ତଥା ସାହିପଡ଼ିଶାଙ୍କ ଟାହିଟାପରାକୁ ଖାତିର ନକରି ପ୍ରେମିକର ଜୀବନ ରକ୍ଷା ପାଇଁ ଘରୁ ଗୋଡ଼ କାଢ଼ିବା ସତରେ ସାହସର ବିଷୟ ।

ମଧ୍ୟପ୍ରଦେଶର ଦମୋହରେ ଜଣେ ଯୁବତୀ ପରିବାର ସଦସ୍ୟଙ୍କୁ ନଜଣାଇ ରାତି ଅଧରେ ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ଘରୁ ପଳାଇ ଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି । ପ୍ରାୟ ତିନି ଦିନ ପୂର୍ବରୁ ଏପରି ଘଟଣା ଘଟିଛି । ରାତି ପ୍ରାୟ ୧୧ଟା ସମୟରେ ୧୪ କ୍ୱାର୍ଟରର ବାସିନ୍ଦା ପ୍ରଫୁଲ୍ଲ କଶ୍ୟପ ଏକ ବ୍ରିଜ ଉପରେ ବସିଥିଲେ । ଏହି ସମୟରେ ପ୍ରାୟ ୨୦ ଜଣ ଲୋକ ତାଙ୍କ ନିକଟକୁ ଆସି ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ । ପ୍ରଫୁଲ୍ଲଙ୍କ ସହ କଥା ହେବାବେଳେ ସମସ୍ତ ଉତ୍ୟକ୍ତ ଲୋକ ରାଗରେ ପ୍ରଥମେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ । ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଛୁରୀଟି ପ୍ରଫୁଲ୍ଲଙ୍କ ଜଙ୍ଘରେ ପଶିଯାଇଥିଲା । ପ୍ରବଳ ଜୋରରେ ରକ୍ତସ୍ରାବ ହେବାରେ ଲାଗିଲା ।

ପ୍ରଫୁଲ୍ଲଙ୍କ ଅବସ୍ଥା ଦେଖି ପୋଲିସ୍‌ କେସ ଭୟରେ ସମସ୍ତେ ସ୍ଥାନ ଛାଡ଼ି ପଳାୟନ କରିଥିଲେ । ସେପଟେ ଜଙ୍ଘରେ ଛୁରୀ ପଶିଯାଇଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥାଆନ୍ତି ପ୍ରଫୁଲ୍ଲ । ଯାହାକୁ କଲ୍‌ କଲେ କେହି ଫୋନ୍‌ ଉଠାନ୍ତି ନାହିଁ । ଶେଷରେ ପ୍ରେମିକାର ଚେହେରା ଆଖି ସାମ୍ନାକୁ ଆସିଯାଏ ।

କୌଣସିମତେ ସେ ପ୍ରେମିକା ରଜିଆଙ୍କୁ ଫୋନ୍ କରି ଏସମ୍ପର୍କରେ ସୂଚନା ଦିଅନ୍ତି । ଭଲପାଉଥିବା ମଣିଷର ଯନ୍ତ୍ରଣା ଜର୍ଜରିତ ସ୍ୱର ଶୁଣି ନିର୍ବାକ ହୋଇଯାଆନ୍ତି ରଜିଆ । ପରେ ପ୍ରକୃତିସ୍ଥ ହେବା ପରେ କାହାକୁ କିଛି ନଜଣାଇ ପ୍ରେମିକକୁ ଖୋଜିବା ପାଇଁ ଦଉଡ଼ନ୍ତି । ଆଉ ପ୍ରେମିକଙ୍କୁ ରାସ୍ତା ମଝିରୁ ଉଦ୍ଧାର କରି ହସ୍ପିଟାଲ ନେଇଯାଆନ୍ତି ।

ହେଲେ ପ୍ରେମିକଙ୍କ କଷ୍ଟ ତାଙ୍କୁ ସହ୍ୟ ହୁଏନି । କଷ୍ଟ ପାଉଥିବା ପ୍ରେମିକଙ୍କୁ ଜାବୁଡ଼ି ଧରି ଖୁବ୍‌ କାନ୍ଦନ୍ତି । ତେବେ ବର୍ତ୍ତମାନ ପ୍ରଫୁଲ୍ଲଙ୍କ ସ୍ଥିତି ସ୍ଥିର ଥିବା ଜଣାପଡ଼ିଛି । ତେବେ ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହେଉଛି । ଲୋକେ ଭିଡିଓକୁ ପସନ୍ଦ କରିବା ସହ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି ।