ନୂଆ ବ୍ରଡକାଷ୍ଟ ବିଲ୍ କୁ ନେଇ ସବୁଠି ଉତ୍କଣ୍ଠା । ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୫ର ସ୍ଥାନ ନେବାକୁ ଯାଉଛି ବ୍ରଡକାଷ୍ଟିଂ ସର୍ଭିସେସ୍ (ରେଗୁଲେସନ) ବିଲ୍ ୨୦୨୪ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ବ୍ରଡକାଷ୍ଟ ବିଲ୍ ର ଡ୍ରାପ୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ଆରମ୍ଭରୁ ଦେଖାଦେଲାଣି ବିବାଦ ।
ସୂଚନା ଅନୁଯାୟୀ, ଏହି ଅଧିନିୟମ ଲାଗୁ ହେଲେ ଇନଫ୍ଲୁଏନ୍ସର କିମ୍ବା ସୋସିଆଲ ମିଡିଆ ପେଜ୍ ଗୁଡ଼ିକ, ଯେଉଁମାନେ କଣ୍ଟେଣ୍ଟ ତିଆରି କରୁଛନ୍ତି କିମ୍ବା କରେଣ୍ଟ ଆଫୟାର୍ସ କିମ୍ବା ଅନଲାଇନରେ ଅନ୍ୟ କୌଣସି ନ୍ୟୁଜ ପ୍ରସାରଣ କରୁଛନ୍ତି, 'ଡିଜିଟାଲ୍ ନ୍ୟୁଜ୍ ବ୍ରଡକାଷ୍ଟର' ଭାବେ ଶ୍ରେଣୀଭୁକ୍ତ ହେବେ ।
ଅଧିକ ପଢ଼ନ୍ତୁ: ଡିପ୍ ଫେକ୍ କଣ୍ଟେଣ୍ଟର ମୁକାବିଲା ପାଇଁ ଡିଜିଟାଲ୍ ଇଣ୍ଡିଆ ବିଲ୍
Also Read
ନୂଆ ବିଲ୍ ଲାଗୁ ହେବାର ଗୋଟିଏ ମାସ ମଧ୍ୟରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଓ ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ୟୁଜର ଥିବା ଡିଜିଟାଲ କ୍ରିଏଟରମାନେ ଭାରତ ସରକାରଙ୍କୁ ସେମାନଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ଦେବେ । ଏଥିସହ ପ୍ରସ୍ତୁତ ହୋଇଥିବା ଏକ ତ୍ରିସ୍ତରୀୟ ନିୟାମକ ଢାଞ୍ଚାରେ ପଞ୍ଜୀକରଣ କରିବାକୁ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ଖର୍ଚ୍ଚରେ ଏକ କଣ୍ଟେଣ୍ଟ ଇଭାଲ୍ୟୁସନ କମିଟି ଗଠନ କରିବେ ଓ ପ୍ରକାଶନ ପୂର୍ବରୁ ସମସ୍ତ କଣ୍ଟେଣ୍ଟର ସମୀକ୍ଷା କରାଇବା ଭଳି ନିୟମ ନୂଆ ବିଧେୟକରେ ରହିଥିବା କୁହାଯାଉଛି ।
ତେବେ ଏହି ଡ୍ରାପ୍ଟ ବିଲ୍ ଓ ଏଥିରେ ଥିବା ନିୟମାବଳୀକୁ ନେଇ କ୍ରିଏଟର ଓ ଇନଫ୍ଲୁଏନ୍ସର ଚିନ୍ତାରେ ପଡ଼ିଛନ୍ତି । ବିଶେଷ କରି ୟୁଟ୍ୟୁବର୍, ଇନଷ୍ଟାଗ୍ରାମର୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ କ୍ରିଏଟରଙ୍କ ପାଇଁ ଏହି ଡ୍ରାଫ୍ଟ ବିଲ୍ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ।
ସେପଟେ ନୂଆ ବିଧେୟକକୁ ନେଇ ଆରମ୍ଭରୁ ଦେଖାଦେଲାଣି ବିବାଦ । ବିଧେୟକ ବିଷୟରେ ଚର୍ଚ୍ଚା ଓ ସମୀକ୍ଷା ସମୟରେ କମ ସଂଖ୍ୟକ ପ୍ରତିନିଧିଙ୍କ ଉପସ୍ଥିତିକୁ ନେଇ ଅସନ୍ତାଷ ଦେଖାଦେଇଛି । ସୂଚନା ଅନୁସାରେ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଡିଜିଟାଲ ଦୁନିଆର ନିର୍ଦ୍ଦିଷ୍ଟ କିଛି ପ୍ରତିନିଧୀଙ୍କୁ ନେଇ ନୂଆ ବିଧେୟକ ବିଷୟରେ ରୁଦ୍ଧଦ୍ୱାରା ବୈଠକ କରିଛି ।
ଏହି ବୈଠକରେ ଡିଜିଟାଲ ଆସୋସିଏସନ, ସିଭିଲ୍ ସୋସାଇଟି କିମ୍ବା ଅନ୍ୟ ଡିଜିଟାଲ କ୍ରିଏଟରଙ୍କ ପ୍ରତିନିଧି ଉପସ୍ଥିତ ନଥିବା ଅଭିଯୋଗ ହୋଇଛି । ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ବିଲ୍ ର ନକଲ ରିଲିଜ କରାଯାଇଛି ମାତ୍ର ନିୟମ ଗୁଡ଼ିକ ଯେପରି ଆଗୁଆ ଲିକ୍ ହେବନାହିଁ ସେଥିପାଇଁ ଟ୍ରାକ୍ କରିବାକୁ ଏକ ୱାଟରମାର୍କ ରଖାଯାଇଛି । ଯାହା ବୈଠକରେ ଉପସ୍ଥିତ ନଥିବା କିଛି ଡିଜିଟାଲ କ୍ରିଏଟର୍ସଙ୍କ ସନ୍ଦେହକୁ ବଢ଼ାଇ ଦେଇଛି ।
କଣ କହିଲେ ଏଡିଡର୍ସ ଗିଲ୍ଡ ଅଫ ଇଣ୍ଡିଆର ସଭାପତି ?
ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖି ଇଣ୍ଡିଆର ଏଡିଟର୍ସ ଗିଲ୍ଡର(Editors Guild of India) ସଭାପତି ଅନନ୍ତ ନାଥ କହିଛନ୍ତି ଯେ, "ପରାମର୍ଶ କିପରି କରାଯାଉଛି ତାହା ସମସ୍ୟା ସୃଷ୍ଟି କରୁଛି । ଏଥିରୁ ଜଣାପଡୁଛି ଯେ ବିଲ୍ର ଗୋପନୀୟ କପି କିଛି ମନୋନୀତ ହିତାଧିକାରୀଙ୍କ ସହ ସେୟାର କରାଯାଇଛି । ସେମାନେ ମଧ୍ୟ ଏହି କପିଗୁଡ଼ିକୁ ଏପରି ଉପାୟରେ ସେୟାର କରିଛନ୍ତି ଯେ ଏହାକୁ ଆଉ ସେୟାର କରିହେବ ନାହିଁ ।
ଡିଜିପବ୍ ପରି ଅନେକ ଶିଳ୍ପ ସଂସ୍ଥା ବିଲ୍ ଆଲୋଚନା ଏବଂ ପ୍ରକାଶ ପାଇବାକୁ ଥିବା ବିଲ୍ ବିଷୟରେ ଆଲୋଚନା ସମୟରେ ଅଂଶଗ୍ରହଣ କରିବାକୁ ଇଛାବ୍ୟକ୍ତ କରିଛନ୍ତି । କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଏକ ଗୋଷ୍ଠୀ ଡ୍ରାଫ୍ଟ ବିଲ୍ ର ବିବରଣୀ ପ୍ରକାଶ କରିବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଲିଖିତ ଭାବେ ଅନୁରୋଧ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଡିପଫେକ୍ ରୋକିବାକୁ ବିଲ୍ ଗେଟସ୍ଙ୍କୁ ମୋଦିଙ୍କ ପ୍ରସ୍ତାବ; କହିଲେ, AI କଣ୍ଟେଣ୍ଟରେ ୱାଟରମାର୍କ ରହୁ..
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନୂତନ ଡ୍ରାଫ୍ଟରେ ନ୍ୟୁଜ ଓ କରେଣ୍ଟ ଆଫାୟର୍ସ କାର୍ଯ୍ୟକ୍ରମକୁ ବିସ୍ତାର କରାଯାଇଛି । ଏଥିରେ ଭିଡିଓ ସହିତ ପ୍ରସାରିତ ଅଡିଓର ଲେଖା ଓ ବ୍ୟବହାର ହୋଇଥିବା ଭାଷା, ଚିହ୍ନ, ସଙ୍କେତ ଓ ଫଟୋ ସବୁ ସିଧାସଳଖ ଏକ ପ୍ରସାରଣ ନେଟୱର୍କ ମାଧ୍ୟମରେ ଯେପରି ପ୍ରସାରିତ କରାଯାଇପାରିବ ବ୍ୟବସ୍ଥା କରାଯାଇଛି । ଏହି ବ୍ୟତୀତ କାର୍ଯ୍ୟକ୍ରମ ଓ ପ୍ରସାରଣର ପରିଭାଷାକୁ ସଂଶୋଧିତ କରାଯାଇଛି ।
ନୂଆ ବିଧେୟକ OTT ସେକ୍ଟରକୁ ମଧ୍ୟ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ଦେଶରେ ଏବେ ୫୦-୬୦ OTT ପ୍ଲାଟଫର୍ମ ରହିଥିବାବେଳେ ସେମାନେ ପୂର୍ବରୁ ମୂଲ୍ୟ ଏବଂ ପ୍ରତିଯୋଗିତାମୂଳକ ଚାପରେ ରହିଥିବା କୁହାଯାଉଛି । ଏପରି ସ୍ଥିତିରେ ନୂଆ ନିୟମ ଲାଗୁ ହେଲେ କଣ ପ୍ରଭାବ ରହିବ ସମସ୍ତେ ଚିନ୍ତାରେ ରହିଛନ୍ତି ।
ଏହି ଡ୍ରାଫ୍ଟ ବିଲର ସମ୍ଭାବ୍ୟ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ କିଛି ଜଣ ସୋସିଆଲ ମିଡିଆର ସାହାରା ମଧ୍ୟ ନେଇଛନ୍ତି । କିଛି ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଣେ ୟୁଟ୍ୟୁବର୍ସ ଭାରତରେ ନଥାଇ ବିଦେଶର କୌଣସି ସ୍ଥାନରେ ରହି ତାଙ୍କର କଣ୍ଟେଣ୍ଟ ପ୍ରସ୍ତୁତ କରି ପୋଷ୍ଟ କରୁଥାନ୍ତି ତେବେ ସେ ଏହି ବିଲ୍ ର ଅନ୍ତର୍ଭୁକ୍ତ ହେବେ କି ? ତାଙ୍କର କଣ୍ଟେଣ୍ଟ ଭାରତରେ ବ୍ଲକ୍ ହୋଇଯିବ କି ?
ତେବେ ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୫ର ସ୍ଥାନ ନେବାକୁ ଯାଉଥିବା ନୂଆ ବ୍ରଡକାଷ୍ଟ ବିଲ୍ ରେ ବାସ୍ତବରେ କ’ଣ ସଂଶୋଧିତ ନିୟମ କିମ୍ବା ନୂଆ ନିୟମ ରହିଛି ତାହା ଲାଗୁ ହେବାପରେ ସ୍ପଷ୍ଟ ହେବ ।