ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଗଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନରେ ଚଳଚଞ୍ଚଳ ହୋଇଯାଇଥିଲା ବଡ଼ଦାଣ୍ଡ। କଡ଼ା ସୁରକ୍ଷା ବଳୟରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କଲେ ରାଷ୍ଟ୍ରପତି। ସାଙ୍ଗରେ ଥିଲେ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଓ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ।

ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଗଲେ ରାଷ୍ଟ୍ରପତି

ଆଜି ଥିଲା ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନ। ରାତି ପାହିଲା ବେଳକୁ ଚଳଚଞ୍ଚଳ ହୋଇଯାଇଥିଲା ବଡ଼ଦାଣ୍ଡ। ସୁରକ୍ଷାକର୍ମୀଙ୍କ ତନ୍ନତନ୍ନ ଯାଞ୍ଚ୍ ଚାଲିଥିଲା। ଏପଟେ ଶ୍ରୀଲ ପ୍ରଭୁପାଦଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ଦେଖାଦେଇଛି ଚୂଡ଼ାନ୍ତ ସାଜସଜ୍ଜା। ଦିନ ପ୍ରାୟ ସାଢ଼େ ୧୦ଟା ବେଳକୁ ପହଞ୍ଚିଲା ରାଷ୍ଟ୍ରପତିଙ୍କ କାର୍କେଡ୍। କଡ଼ା ସୁରକ୍ଷା ବଳୟରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ।

ଏହି ଅବସରରେ ମଠର ପ୍ରତିଷ୍ଠାତା ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କୁ ଭକ୍ତିଅର୍ଘ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ସମସ୍ତେ। ମଠ ବୁଲିବା ପରେ, ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ, ରାଷ୍ଟ୍ରପତି କୋବିନ୍ଦ ଭକ୍ତିମାର୍ଗ ଓ ଶ୍ରୀଚୈତନ୍ୟଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ଶ୍ରୀଚୈତନ୍ୟଙ୍କ ଦର୍ଶନ ଓ ଗୌଡ଼ୀୟ ମିଶନ୍ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀଲ ପ୍ରଭୁପାଦଙ୍କ ଜୀବନୀ ପୁସ୍ତକ ଆକାରର ରାଷ୍ଟ୍ରପତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି।

ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ଜୟନ୍ତୀର ୧୫୦ତମ ବର୍ଷ ପୂର୍ତ୍ତି ମହୋତ୍ସବ ଆଜି ଶୁଭାରମ୍ଭ ହୋଇଥିବା ବେଳେ, ଏହା ୩ ବର୍ଷ ବ୍ୟାପୀ ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ। ଆସନ୍ତା ବର୍ଷ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବେ ଏବଂ ୨୦୨୪ରେ ଏହା କୋଲକାତାରେ ଓ ୨୦୨୫ରେ ବିଦେଶରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି।

ହେଲିକପ୍ଟର ଯୋଗେ ରାଜ୍ୟପାଳଙ୍କ ସହ ପୁରୀରୁ ଫେରିବା ପରେ, ଆଜି ଅପରାହ୍ଣରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ବାହୁଡ଼ିଯାଇଛନ୍ତି ରାଷ୍ଟ୍ରପତି। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ବିଦାୟ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କର ଏହା ଥିଲା ତୃତୀୟ ପୁରୀ ଗସ୍ତ।

(ରିପୋର୍ଟ : ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଏବଂ ପୁରୀରୁ ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର)