ମମତା ଓ କର୍ତ୍ତବ୍ୟବୋଧରେ ମାଆଠାରୁ କିଏ କଣ କେବେ ବଳି ଯାଇ ପାରିବ? ମାଆ କହିଲେ, ପୁରା ସଂସାରକୁ ବୁଝାଏ । ସନ୍ତାନ ପାଇଁ ତାର ସେବା, ତ୍ୟାଗ, ମମତା ଆଦର ସବୁ କିଛି ନିଷ୍କ୍ରଭ ମନେ ହୁଏ । ଆଉ ମାଆ ନ ଥିଲେ-ସେଇ ଖାଲିପଣ, ସେଇ ଅଭାବବୋଧକୁ ଦୁନିଆର ଆଉ କୌଣସି ସଂପର୍କ ଭରଣା କରିପାରିବ ନାହିଁ ।
ମାଆ ଆଗରେ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ତୁଚ୍ଛ । ମାଆ ଥିଲେ ସବୁ ଅଛି, ମାଆ ନାହିଁ ତ ସାହା ନାହିଁ । ଏକଥା ପକ୍ଷାଘାତରେ ପୀଡ଼ିତ ମଧ୍ୟବୟସ୍କ ପୁଅଠାରୁ ଅଧିକ ବା କିଏ ଭଲ ଭାବେ ବୁଝିପାରିବ । ୧୦-୧୨ ବର୍ଷ ହେଲା ପାରାସିଲିସ୍ ହେବା ଦିନଠୁ ମାଆ ଶୁଭଲକ୍ଷ୍ମୀ ହିଁ ପୁଅ ପାଇଁ ସବୁ କିଛି । ସକାଳ ହେଉ ହେଉ ପୁଅର ମୁହଁ ଧୋଇବାଠାରୁ ଆରମ୍ଭ କରି ଗାଧୋଇ ଦେବା, ଖୁଆଇ ଦେବା ଯାଏଁ ସବୁ କିଛି ନିଜେ କରନ୍ତି ଶୁଭଲକ୍ଷ୍ମୀ ।
Also Read
ବୟସ ୯୦ ଛୁଇଁ ଥିଲେ ମଧ୍ୟ ନିଜର ଅଣ୍ଟା ନଇଁ ପଡ଼ିଥିଲେ ବି ଶୁଭଲକ୍ଷ୍ମୀଙ୍କ ମମତା ପୁଅ ଜନ୍ମ ହେଲା ଦିନ ଯେମିତି ଥିଲା, ଆଜି ବି ଠିକ୍ ସେମିତି ଅଛି । ପକ୍ଷାଘାତରେ ପୀଡ଼ିତ ପୁଅ ଓ ଶଯ୍ୟାଶାୟୀ ବୟସ୍କ ସ୍ୱାମୀଙ୍କ ସେବା ସହିତ ଘରର ସବୁ କାମ କରନ୍ତି । ଶୁଭଲକ୍ଷ୍ମୀ ଦିନେ ବି ଥକି ପଡ଼ି ନାହାନ୍ତି । ସେ ସବୁବେଳେ କହନ୍ତି ଯେ, ‘ମୁଁ ତ ଅଛି ଆଉ କିଏ କାହିଁକି କରିବ’।
ଏଭଳି ଆଉ ଜଣେ ମାଆ ମଧ୍ୟ ରହିଛନ୍ତି ବାଲେଶ୍ୱର ଜିଲ୍ଲାରେ । ନିଜର ପୁଅ-ଝିଅକୁ ଠିକ୍ରେ ଲାଳନ ପାଳନ କରି ପାଠ ପଢ଼ାଇ ମଣିଷ କରିବା ପାଇଁ ପୁରୁଷଙ୍କ କାମ ବୋଲି ଧରାଯାଉଥିବା ଅଟୋ ଚଳାଉଛନ୍ତି । ବାଲେଶ୍ୱରର ଗଳିକନ୍ଦିରେ ମୟୂରଭଂଜ ବଡ଼ସାହିର ମଧୁମିତା ବିନ୍ଧାଣୀଙ୍କ ଡାକ ନାଁ ଦୁଃଖିନୀରାଣୀ ବୋଲି କୁହାଯାଏ । ହେଲେ ଦୁଃଖ ତାଙ୍କ ମୁହଁରୁ ହସ ଛଡ଼ାଇପାରିନି ।
ତାଙ୍କୁ ସ୍ୱାମୀ ଛାଡ଼ି ଚାଲିଯିବା ପରେ ବ୍ୟାଙ୍କ ଋଣରେ ଅଟୋ କିଣି ନିଜେ ଚଳାଉଛନ୍ତି ମଧୁମିତା । ଭୋର୍ ସାଢ଼େ ୪ଟାରୁ ଆରମ୍ଭ କରି ଦିନ ଯାକ ଅଟୋ ଚଲାନ୍ତି । ପ୍ରାଇଭେଟ ଭଡ଼ା ସହିତ ସ୍କୁଲ ପିଲାଙ୍କୁ ନେବା ଆଣିବା କରିଥାନ୍ତି । ଏଥିରେ ଯେତେ ରୋଜଗାର ହେଉଛି, ସେଥିରେ ବେଶ ହସଖୁସିରେ ଚଳୁଛି ମଧୁମିତାଙ୍କ ପରିବାର । ତାଙ୍କର ଫଣ୍ଡା ହେଲା, ଯେତେ ସମସ୍ୟା ହେଲେ ବି ନିଜ ପିଲାଙ୍କ ପାଇଁ ମାଆକୁ ସଫଳ ହେବାକୁ ହିଁ ପଡ଼ିବ ।
ମାଆର ତୁଳନା ନାହିଁ । ସନ୍ତାନ ପାଇଁ ତାର ବଳିଦାନ, ତ୍ୟାଗ, ପରିଶ୍ରମ କି ବାତ୍ସଲ୍ୟ ମମତାକୁ କେଇ ଧାଡ଼ି ଶବ୍ଦରେ ସୀମିତ କରି ରଖିହେବ ନାହିଁ । ମାଆ କେତେ ମହାନ ହୋଇପାରେ, ତାର ଦୁଇଟି ଝଲକ ଦେଇଛନ୍ତି ଜୟପୁର ବ୍ରାହ୍ମଣୀ ଗାଁର ଡି. ଶୁଭଲକ୍ଷ୍ମୀ ଓ ବାଲେଶ୍ୱରର ଅଟୋ ଚାଳିକା ମଧୁମିତା ବିନ୍ଧାଣୀ ।
ରିପୋର୍ଟର- ରଶ୍ମିରଂଜନ ଦାସ ଓ ଟି. ଗୌରୀଶଙ୍କର