ଏମିତି ପୁଅ ଜଗତେ ନାହିଁ ! ବାପା ଦିବ୍ୟାଙ୍ଗ ହେବାରୁ ପୁଅ ସାଜିଲେ ଆଶାବାଡ଼ି, ପଢ଼ନ୍ତୁ ପୁରା କାହାଣୀ..

ଖାଲି ଅଫିସ୍‌ ଆସନ୍ତି ତାହା ନୁହେଁ ବରଂ ବାପାଙ୍କୁ ଅଫିସ୍‌ ଭିତରକୁ ନେବା ସହିତ ବାପା ଯୁଆଡେ ଯୁଆଡେ ଚିଠି ଦେବାକୁ ଯାଆନ୍ତି ଭୋଜରାଜ ତାଙ୍କୁ ନେଇକି ଯାଆନ୍ତି ।

Bhojraj Duduk

‘କଥାରେ ଅଛି ପୁଅ ଯୋଗ୍ୟ ହେଲେ ଧନ କାହିଁ ପାଇଁ ସଞ୍ଚିବି, ପୁଅ ଅଯୋଗ୍ୟ ହେଲେ ଧନ କାହିଁ ପାଇଁ ସଞ୍ଚିବି ।’ ଯଦି ବାପା ମାଆଙ୍କ ପାଇଁ ପୁଅ ଯୋଗ୍ୟ ହେଲେ ତେବେ ଦୁନିଆର ସବୁ ସୁଖ ପାଇଯାଆନ୍ତି ସେମାନେ । ଆମେ ଆଜି ଠିକ୍‌ ଏମିତି ଜଣେ ପୁଅର କାହାଣୀ କହିବୁ । ଯାହା ଜାଣିବା ପରେ ଆପଣ ବି କହିବେ ଏମିତି ପୁଅ ଜଗତେ ନାହିଁ ।

ଭୋଜରାଜ ଦୁଡୁକ । ଏମିତି ଜଣେ ପୁଅ, ଯିଏ ନିଜ ଭବିଷ୍ୟତକୁ ବାପାଙ୍କ ପାଇଁ କରିଦେଲା ଉତ୍ସର୍ଗ । ୟାଙ୍କର ବଡ଼ ପଣିଆ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆମେ ୟାଙ୍କ ବିଷୟରେ ଜାଣିବା ପରେ କିଛି ସମୟ ପାଇଁ ସ୍ତବ୍ଧ ହୋଇ ଯାଇଥିଲୁ । ନବଘନ ଦୁଡୁକ ହେଉଛନ୍ତି ଭୋଜରାଜ ଦୁଡୁକଙ୍କ ବାପା । ସେ ଗାଡିରେ ବସି ଡାକଘର ଆସୁଛନ୍ତି । ତାହା ପୁଣି ଫୁଲ୍‌ ଡ୍ରେସ୍‌ରେ । ଖାଲି ଡାକଘରକୁ ନୁହେଁ ବରଂ ସହର ସାରା ବୁଲି ବୁଲି ଡାକ ବାଂଟୁଛନ୍ତି । ଆପଣ ଏପର୍ଯ୍ୟନ୍ତ କିଛି ବୁଝିପାରୁନଥିବେ । ଆମେ ବି ଆରମ୍ଭରୁ କିଛି ବୁଝି ପାରିନଥିଲୁ । ହେଲେ ପରେ ଯେତେବେଳେ ପୂରା ଘଟଣା ଜାଣିଲୁ ସେତେବେଳେ ଆମେ ବି ଆଶ୍ଚର୍ଯ୍ୟ ହୋଇଗଲୁ ।

ନବଘନ ଦୁଡୁକଙ୍କ ଘର ଗଡଜାତ ଢେଙ୍କାନାଳ ସହରରେ । ଡାକ ବିଭାଗରେ ପୋଷ୍ଟମ୍ୟାନ୍‌ ଭାବରେ ସେ କାର୍ଯ୍ୟରତ ଅଛନ୍ତି । ହେଲେ ନିଜେ ଦିବ୍ୟାଙ୍ଗ ଥିବାରୁ ଡାକ ନେଇ ସହରରେ ବାଂଟିବା ତାଙ୍କ ପକ୍ଷରେ ସମ୍ଭବ ହେଉନି । ଆଉ ସେଇଥିପାଇଁ ତ ଶ୍ରବଣ କୁମାର ପରି କାମ କରୁଛନ୍ତି ନବଘନଙ୍କ ପୁଅ ଭୋଜରାଜ ଦୁଡୁକ । ନିଜେ ଡାକ ବିଭାଗର କର୍ମଚାରୀ ନୁହନ୍ତି ହେଲେ ପ୍ରତିଦିନ ବାପାଙ୍କ ସହ ଠିକ୍‌ ସମୟରେ ଅଫିସ୍‌ ଆସନ୍ତି ଆଉ ବାହାରନ୍ତି । ଖାଲି ଅଫିସ୍‌ ଆସନ୍ତି ତାହା ନୁହେଁ ବରଂ ବାପାଙ୍କୁ ଅଫିସ୍‌ ଭିତରକୁ ନେବା ସହିତ ବାପା ଯୁଆଡେ ଯୁଆଡେ ଚିଠି ଦେବାକୁ ଯାଆନ୍ତି ଭୋଜରାଜ ତାଙ୍କୁ ନେଇକି ଯାଆନ୍ତି ।

ଚାକିରି କରିବା ସମୟରେ ସବୁ କିଠି ଠିକ୍‌ଠାକ୍‌ ଥିଲା । ଆରାମରେ ଚଳୁଥିଲା ପରିବାର। ହେଲେ କରୋନା ମହାମାରୀ ନବଘନଙ୍କ ପରିବାର ଉପରେ ଢାଙ୍କିଦେଲା ଦୁଃଖର କଳାବାଦଲ। ପକ୍ଷଘାତ ରୋଗରେ ପୀଡିତ ହେବା ପରେ ଅନେକ ଦିନ ପର୍ଯ୍ୟନ୍ତ ଡ୍ୟୁଟି କରପାରିଲେନି ନବଘନ। ଏବେ ସୁଦ୍ଧା ନବଘନଙ୍କର ବାମ ପାର୍ଶ୍ଵ ଅଙ୍ଗ ଠିକ୍ ଭାବରେ କାମ କରୁନାହିଁ । ହେଲେ ଏହି ବିପତ୍ତି ସମୟରେ ବାପାଙ୍କୁ ସାହାସ ଯୋଗାଇ ଭୋଜରାଜ ସାଜିଲେ ବାପାଙ୍କର ଆଶା ବାଡ଼ି । ପ୍ରତ୍ୟେକ ଦିନ ସକାଳ ସାଢେ ୮ଟାରେ ବାପାଙ୍କୁ ଗାଡିରେ ବସାଇ ମୁଖ୍ୟ ଡାକଘରକୁ ଆଣନ୍ତି ଭୋଜରାଜ । ସେଠାରେ ଦିନ ତମାମ୍ ବାଣ୍ଟିବାକୁ ଥିବା ଚିଠି ଗୁଡିକୁ ଅଫିସ ନିୟମ ଅନୁସାରେ ସଜାଇ ରଖନ୍ତି । ଦିନ ୧୦ଟା ବେଳକୁ ବାପାଙ୍କୁ ସାଥିରେ ଧରି ଗାଡି ପଛ ପଟେ ବସାଇ ବାହାରି ପଡନ୍ତି ଚିଠି ବାଣ୍ଟିବାକୁ । ଆଉ ବାପା ଯେଉଁ ସବୁ ସ୍ଥାନରେ କୁହନ୍ତି ସେହି ସ୍ଥାନରେ ସଠିକ ଭାବରେ ଚିଠି ପହଞ୍ଚାନ୍ତି ଭୋଜରାଜ । ଅପରାହ୍ନ ସାଢେ ୫ଟାରେ ଡ୍ୟୁଟି ସରେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାପାଙ୍କ ପାଇଁ ଭୋଜରାଜ ନିଜ କ୍ୟାରିଅରକୁ ବି ଚାହିଁ ନାହାନ୍ତି । ଭୋଜରାଜ ଜଣେ ମେଧାବୀ ଛାତ୍ର ଥିଲେ । ବିଏସ୍‌ସି ପଢିବା ପରେ ପିଜି ଆଡମିଶନ କରିବା ପାଇଁ ଯେତେବେଳେ ଭୋଜରାଜ ମନସ୍ଥ କରିଥିଲେ ସେହି ସମୟରେ ବାପାଙ୍କର ପକ୍ଷାଘାତ ରୋଗ ଭୋଜରାଜଙ୍କର ସବୁ ସ୍ୱପ୍ନକୁ ଚୁର୍‌ମାର୍ କରିଦେଇଥିଲା । ତେଣୁ ପାଠ ପଢ଼ାରେ ଡୋରି ବାନ୍ଧି ବାପାଙ୍କୁ ସାହାଯ୍ୟ କରିବା ପାଇଁ ସେ ଅଣ୍ଟା ଭିଡ଼ିଲେ । ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପାଇଁ ଡାକ ବିଭାଗର ସମସ୍ତ କର୍ମଚାରୀ ତାଙ୍କୁ ପ୍ରଶଂସା କରିବା ସହିତ କାମରେ ସହଯୋଗ ମଧ୍ୟ କରନ୍ତି । ସତରେ ଏମିତି ପୁଅକୁ ଶ୍ରବଣ କୁମାର କହିବନି ତ ଆଉ କଣ କହିବ ?