ଗାଡ଼ି ଚାଳକଙ୍କୁ ଡିଜିଟାଲ RC, DL ଚିନ୍ତା

ଲୋକଙ୍କ ପାଇଁ କେତେଶୀଘ୍ର ଆର୍‌ସି ଓ ଡିଏଲ୍‌ର ସ୍ମାର୍ଟକାର୍ଡ ବିକଳ୍ପ ଉପଲବ୍ଧ କରାଉଛନ୍ତି ରାଜ୍ୟ ସରକାର, ତାହା ଦେଖିବାକୁ ବାକି ରହିଲା ।

Digitalization

କୋରାପୁଟ ଜିଲ୍ଲା ଜୟପୁରର ନିଶାନ ପଟ୍ଟନାୟକ । ମାସକ ତଳେ ନୂଆ ବାଇକ୍ କିଣିଛନ୍ତି । ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ତାଙ୍କୁ ଗାଡ଼ିର ଫିଜିକାଲ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍- ଆର୍‌ସି ଓ ସ୍ମାର୍ଟକାର୍ଡ ମିଳିନି । ଡିଜି ଲକର୍‌ରେ ଆର୍‌ସି ରହିଛି, ହେଲେ ଗାଡ଼ି ଚେକିଂ ବେଳେ ଯାଞ୍ଚ ଅଧିକାରୀଙ୍କ ଅନଭିଜ୍ଞତା ଯୋଗୁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଆଉ ଜଣେ ହେଲେ କୋରାପୁଟ ଦଶମନ୍ତପୁରର ସଦାଶିବ ଗୌଡ଼ । ବର୍ଷକ ତଳେ ଗାଡ଼ି କିଣିଥିବାରୁ ତାଙ୍କୁ ଆର୍‌ସି ମିଳିଛି, ଆଉ ଧରପଗଡ଼ରୁ ବର୍ତ୍ତିବା ଉଦ୍ଦେଶ୍ୟରେ ଏହାକୁ ସବୁବେଳେ ନିଜ ପାଖରେ ବି ରଖୁଛନ୍ତି । ସଦାଶିବଙ୍କ କହିବା କଥା, ନୂଆ ଗାଡ଼ି କିଣିଲେ, ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । କାରଣ ତାଙ୍କୁ ମୋବାଇଲ ଅପରେଟ୍ ଭଲ ଭାବେ ଜଣାନାହିଁ । ତାଙ୍କ ଲାଗି ପୁରୁଣା ବ୍ୟବସ୍ଥା ହିଁ ଭଲ ।

ଚଳିତ ବର୍ଷ ଜାନୁଆରୀରୁ ରାଜ୍ୟ ପରିବହନ ବିଭାଗ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍‌କୁ ପେପର୍‌ ଲେସ୍‌ କରିଛନ୍ତି । ଫଳରେ ଡିଏଲ୍ ଓ ଆର୍‌ସି ପାଇଁ ପୂର୍ବରୁ ଜାରି ହେଉଥିବା ସ୍ମାର୍ଟକାର୍ଡ ଓ ଫିଜିକାଲ ଡକ୍ୟୁମେଣ୍ଟ ଆଉ ଦିଆଯାଉନି ।  ଏହା ବଦଳରେ ଜାରି କରାଯାଉଛି ଡିଜିଟାଲ ଆର୍‌ସି ଓ ଡିଏଲ୍, ଯାହାକୁ ଗାଡ଼ି ଚାଳକ ଓ ଗାଡ଼ି ମାଲିକ ନିଜ ସ୍ମାର୍ଟଫୋନ୍‌ରେ ରଖିବେ । ଯାଞ୍ଚ ବେଳେ ଦେଖାଇପାରିବେ ।

ତେବେ ରାଷ୍ଟ୍ରୀୟ ସଡ଼କ ସୁରକ୍ଷା ପରିଷଦର ମତ, ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଡିଜିଟାଲ ଆର୍‌ସି ଓ ଡିଏଲ୍ ଜାରି ପାଇଁ ନିଷ୍ପତ୍ତି ନେଇଛି । କିନ୍ତୁ ଏହା ନକଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତା’ଛଡ଼ା ଘଟୁଥିବା ଅପରାଧର ଏକ ବଡ଼ ଅଂଶ କେବଳ ଗାଡ଼ିମୋଟର ସହାୟତାରେ ହୋଇଥାଏ । ଫଳରେ ଯେ କେହି ଜାଲ ଆର୍‌ସି ଓ ଡିଏଲ୍ ମାଧ୍ୟମରେ ସଡ଼କରେ ଯାତାୟାତ କରିପାରିବେ । ଏହାଦ୍ୱାରା ଅପରାଧ ଓ ଦୁର୍ଘଟଣା ବଢ଼ିବାର ଢେର୍ ଆଶଙ୍କା ରହିଛି ।

ତେଣୁ ସରକାର ପୂର୍ବ ଭଳି ଫିଜିକାଲ ଆର୍‌ସି ଓ ଡିଏଲ୍ ସହ ସ୍ମାର୍ଟକାର୍ଡ ଜାରି କରିବା ଆବଶ୍ୟକ ବୋଲି ସଡ଼କ ସୁରକ୍ଷା ପରିଷଦ ସଦସ୍ୟ ମତ ଦେଇଛନ୍ତି । ଅପରପକ୍ଷରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ କହିଛନ୍ତି, ସରକାର ପ୍ରଚଳନ କରୁଥିବା ଡିଜିଟାଲ ଡିଏଲ୍ ଓ ଆର୍‌ସି ବେଶ୍ ନିରାପଦ । କିନ୍ତୁ ସ୍ମାର୍ଟକାର୍ଡ ବିକଳ୍ପ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନିକଟରେ ଏନେଇ ବିଜ୍ଞପ୍ତି ଜାରି କରିବା ସହ ସଫ୍ଟୱେୟାର ଆବଶ୍ୟକ ପରିବର୍ତ୍ତନ ଆଣୁଛନ୍ତି । ନିକଟ ଭବିଷ୍ୟତରେ ଲୋକମାନେ ଆର୍‌ସି ଓ ଡିଏଲ୍‌ର ସ୍ମାର୍ଟକାର୍ଡ ଲାଗି ମଧ୍ୟ ଆବେଦନ କରିପାରିବେ ।

ଏବେ ଦେଖିବାକୁ ବାକି ରହିଲା, ଲୋକଙ୍କ ପାଇଁ କେତେଶୀଘ୍ର ଆର୍‌ସି ଓ ଡିଏଲ୍‌ର ସ୍ମାର୍ଟକାର୍ଡ ବିକଳ୍ପ ଉପଲବ୍ଧ କରାଉଛନ୍ତି ରାଜ୍ୟ ସରକାର ।

(ରିପୋର୍ଟର- ଜୟପୁରରୁ ଟି ଗୌରୀଶଙ୍କର, ବାଲେଶ୍ୱରରୁ ରଣଜିତ୍ ପାକଳ, ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ)