Advertisment

ନିମ୍ବ ଗଛରୁ ଝରୁଛି କ୍ଷୀର ! ଦାରୁ ଭାବି ପୂଜାର୍ଚ୍ଚନା, ଚର୍ଚ୍ଚାରେ କାଳିସୀ...

ନିମ୍ବ ଗଛରୁ ବାହାରୁଛି କ୍ଷୀର ! ଆଉ ଏହାକୁ ବିଶ୍ୱାସ କରି ଲୋକମାନେ ଧୂପଦୀପ ଦେଇ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ଆଜ୍ଞାମାଳ, ମନ୍ଦିରରୁ ପତାକା ଆଣି ନିମ୍ବ ଗଛରେ ବନ୍ଧା ଯାଇଛି। ଗଛରେ ଠାକୁର ଆର୍ବିଭାବ ହେବାର ବିଶ୍ୱାସକୁ ନେଇ ଲୋକଙ୍କ ଭିଡ଼ ଜମୁଛି।

ଅଦ୍ୟତନ ହୋଇଛି
People Crowd To Worship 'Miracle' Neem Tree

People Crowd To Worship 'Miracle' Neem Tree

Advertisment

 ନିମ୍ବ ଗଛରୁ ବାହାରୁଛି କ୍ଷୀର ! ଆଉ ଏହାକୁ ବିଶ୍ୱାସ କରି ଲୋକମାନେ ଧୂପଦୀପ ଦେଇ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ଆଜ୍ଞାମାଳ, ମନ୍ଦିରରୁ ପତାକା ଆଣି ନିମ୍ବ ଗଛରେ ବନ୍ଧା ଯାଇଛି। ଗଛରେ ଠାକୁର ଆର୍ବିଭାବ ହେବାର ବିଶ୍ୱାସକୁ ନେଇ ଲୋକଙ୍କ ଭିଡ଼ ଜମୁଛି। ବିଶ୍ୱାସ ଓ ଅନ୍ଧ ବିଶ୍ୱାସ ମଝିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଖଡ଼ିଆପଲ୍ଲୀ ଗାଁରେ। ଉଦ୍ଭିଦ ବିଜ୍ଞାନୀଙ୍କ କହିବା ଅନୁସାରେ, ବ୍ୟାକ୍ଟେରିଆ ଇନ୍‌ଫେକ୍ସନ୍‌ ଯୋଗୁ ଏଭଳି ଘଟିଛି।

Advertisment

ସୂଚନା ଅନୁସାରେ, ଖଡ଼ିଆପଲ୍ଲୀ ଗାଁରେ ଦୀର୍ଘ ବର୍ଷ ହେବ ଏକ ନିମ୍ବ ଗଛ ରହିଛି। ଆଉ ଏହି ନିମ୍ବ ଗଛରୁ ୪-୫ ଦିନ ହେଲାଣି କ୍ଷୀର ଭଳି ତରଳ ପଦାର୍ଥ ଝରୁଛି। ପ୍ରଚୁର ପରିମାଣରେ କ୍ଷୀର ଭଳି ଏହି ତରଳ ପଦାର୍ଥ ଝରୁଥିବା ବେଳେ ଲୋକେ ଦେଖିବାକୁ ସେଠି ରୁଣ୍ଡ ହେଉଛନ୍ତି। ଗାଁରେ ଥିବା ପାଣ୍ଡବାଶୁଣୀଙ୍କ ମନ୍ଦିରରୁ ଆଜ୍ଞାମାଳ ଆସି ଏଠି ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି। ଧୂପ, ଦୀପ ଦେଇ ହୁଳହୁଳି ପକାଇ ମହିଳାମାନେ ଏହି ନିମ୍ବ ଗଛକୁ ପୂଜାର୍ଚ୍ଚନା କରୁଥିବା ନଜର ଆସିଛି। ଆହୁରି ମଧ୍ୟ ଦେଖିବାକୁ ମିଳିଛି, ଲୋକମାନେ ଗାଧୋଇ ପାଧୋଇ ଆସି ନିମ୍ବ ଗଛରୁ ଝରୁଥିବା କ୍ଷୀର ଭଳି ତରଳ ପଦାର୍ଥକୁ ପାଦୁକ ପରି ପାଉଛନ୍ତି। 

ନିମ୍ବ ଗଛରୁ କ୍ଷୀର ଭଳି ତରଳ ପଦାର୍ଥ ବାହାରିବା କିଛି ନୂଆ କଥା ନୁହେଁ। ତେବେ ନିମ୍ବ ଭଳି ଔଷଧୀୟ ଗଛରୁ କ୍ଷୀର ଭଳି ତରଳ ପଦାର୍ଥ ବାହାରୁ ଥିବାରୁ ଲୋକଙ୍କ ବିଶ୍ୱାସ ଯେ, ଗଛରେ ଠାକୁରଙ୍କ ଆର୍ବିଭାବ ହୋଇଛି। ହେଲେ ବିଜ୍ଞାନ ଉପରେ ବିଶ୍ୱାସ କରୁଥିବା ଲୋକେ ଏହାକୁ ଏକ ସାଧାରଣ ପ୍ରକ୍ରିୟା ବୋଲି କୁହନ୍ତି। ଗୋଟିଏପଟେ ଖଡ଼ିଆପଲ୍ଲୀ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ମା’ ପାଣ୍ଡବାଶୁଣୀଙ୍କ ମନ୍ଦିରରେ ଜଣେ ମହିଳାଙ୍କ ଶରୀରରେ ମା’ ସବାର ହେଉଥିବା କୁହାଯାଉଛି। 

Advertisment

ଏଭଳି ଘଟଣାକୁ ନେଇ କ’ଣ କହୁଛି ବିଜ୍ଞାନ...

ନିମ୍ବ ଗଛରୁ କ୍ଷୀର ଭଳି ତରଳ ପଦାର୍ଥ ବାହାରିବା ଘଟଣାକୁ ନେଇ ଉଦ୍ଭିଦ ବିଜ୍ଞାନୀ କହିଛନ୍ତି, ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ୍‌ ଯୋଗୁ ଏହା ବାହାରି ଥାଏ। ୫୦ ବର୍ଷରୁ ଅଧିକ ଯେଉଁ ନିମ୍ବ ଗଛ ହୋଇଥାଏ ତାର ଟିସୁ ଗୁଡ଼ିକ ୱାଟର ଷ୍ଟୋରେଜ୍‌ କ୍ଷମତା ବଢ଼ାଇ ଥାନ୍ତି। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇବା ଫଳରେ ଗଛର ଷ୍ଟେମ୍ ଉପରେ କିଛି ଟ୍ୟୁମର୍‌ ଫର୍‌ମେସନ୍‌ ହୋଇଥାଏ ଏବଂ ଗଛରେ ଥିବା Nimbin ଓ Azadirachta କେମିକାଲ୍‌ ଗୁଡ଼ିକ ଆଣ୍ଟି ଅକ୍ସିଡାଣ୍ଟ୍‌ ଭଳି କାମ କରିଥାଏ। ଗଛ ଭିତରେ ଥିବା Agrobacterium Species ଯେତେବେଳେ ଇନ୍‌ଫେକ୍ସନ୍‌ ହୁଏ, ସେତେବେଳେ ସୃଷ୍ଟି ହୋଇଥିବା ଟ୍ୟୁମର୍‌ ଗୁଡ଼ିକ ଧୀରେ ଧୀରେ ଫାଟି ଥାଏ। ଫଳରେ ଗଛରେ ଥିବା ପାଣି ଓ ରସାୟନ ପଦାର୍ଥର କମ୍ପୋଜିସନ୍‌ ଗୁଡ଼ିକ କ୍ଷୀର ଭଳି ତରଳ ପଦାର୍ଥ ଭାବେ ବାହାରି ଥାଏ।  

ଏଠାରେ ଆମେ ଆପଣଙ୍କୁ କହି ରଖୁଛ ଯେ, ଆମେ କାହାର ଆଧ୍ୟାତ୍ମିକ ବିଶ୍ୱାସ କିମ୍ବା ଦେବାଦେବୀଙ୍କ ପୂଜାକୁ ବିରୋଧ କରୁନାହୁଁ। କିମ୍ବା ନିମ୍ବ ଗଛରୁ କ୍ଷୀର ଝରୁଥିବା ଘଟଣାକୁ ପ୍ରଚାର ପ୍ରସାର ମଧ୍ୟ କରୁନାହୁଁ। ଏଠାରେ କେବଳ ଏହା କୁହାଯାଇପାରେ ଯେ, ବାଲୁଗାଁ ଅଞ୍ଚଳରେ ଏମିତି ଏକ ଘଟଣା ଲୋକଲୋଚନକୁ ଆସିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଛି ଏବଂ ଲୋକେ ପୂଜାପାଠ ମଧ୍ୟ କରୁଛନ୍ତି। ଏହା କେତେ ସତ ବା କେତେ ମିଛ ତାହା ସମୟ ହିଁ କହିବ। 

Advertisment
Odisha Neem Tree Miracle Neem Tree
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ