Astrospeak
  • Live TV
  • Read In English

ଏଣିକି ପୁରୀ ବିଚ୍‌ରେ ମିଳିବ ମଦ, ରହିବାକୁ ହେବ ଘର; ଓଟିଡିସି କରିବ ବ୍ୟବସ୍ଥା

ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

gopalpur sea beach
gopalpur sea beach

News Summary

ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ ।

ସମୁଦ୍ରତଟରେ ହେବ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ।

ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା ।

ଭୁବନେଶ୍ୱର: ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯେଉଁଠି ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା । ଘରୋଇ ସଂସ୍ଥାମାନେ ଏସବୁ ବାର ପରିଚାଳନା ଦାୟିତ୍ୱରେ ରହିବେ । ତେବେ ଓଟିଡିସି ସମସ୍ତ ଆନୁସଂଗିକ ସୁବିଧା ଯୋଗାଇ ଦେବ ।

ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ଉତ୍ତାଳ ତରଙ୍ଗର ଘୁ ଘୁ ଗର୍ଜନ ଓ ପ୍ରକୃତିର ମନୋରମ ପରିବେଶରେ ରଙ୍ଗୀନ ହେବ ରାତି । ଗୋଆ ଭଳି ଓଡ଼ିଶାରେ ବି ଏଣିକି ବେଳାଭୂମିରେ ବସି ଆଲକୋହଲ ଯୁକ୍ତ ପାନୀୟର ମଜ୍ଜା ନେଇପାରିବେ ପର୍ଯ୍ୟଟକ । ମନୋରଂଜନର ଅନ୍ୟାନ୍ୟ ବ୍ୟବସ୍ଥା ସାଙ୍ଗକୁ ମିଳିବ ନିଜ ନିଜର ପସନ୍ଦ ମୁତାବକ ସୁସ୍ୱାଦୁ ଖାଦ୍ୟ ।

ରାଜ୍ୟର ୬ଟି ବେଳାଭୂମି ବାଲେଶ୍ୱରର ତାଳସାରି, ଚାନ୍ଦିପୁର, ପାରାଦ୍ୱୀପ, ପୁରୀ, କୋଣାର୍କ ଏବଂ ଗଞ୍ଜାମର ପଟି ସୋନାପୁର ଏବଂ ଗୋପାଳପୁରରେ ୨୦ଟି ବେଳାଭୂମି କୂଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ସରକାର ଘରୋଇ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କଠାରୁ ଆବେଦନ ଆହ୍ୱାନ କରିଛନ୍ତି । ହୋଟେଲ ଓ ବାର ପରିଚାଳନାରେ ଅତି କମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ଏସବୁ ବାରର ପରିଚାଳନା ଦାୟିତ୍ୱ ଦିଆଯିବ । ତେବେ ଏଥିପାଇଁ ଆବଶ୍ୟକ ଜମି, ବିଦ୍ୟୁତ୍, ପାଣି, ସ୍ୱରେଜ୍ ଓ ବର୍ଜ୍ୟ ପରିଚାଳନାରେ ଓଟିଡିସି ସହାୟତା କରିବ । ସେହିପରି କେବଳ ଓଟିଡିସି ହିଁ ଏସବୁ ବାରକୁ ଆଲକୋହଲଯୁକ୍ତ ପାନୀୟ ଯୋଗାଣ କରିବ ।

କେବଳ ପରିବେଶ ଉପଯୋଗୀ ସାମଗ୍ରୀ ଯେଭଳି କାଠ, ବାଉଁଶ ଓ ଅନ୍ୟାନ୍ୟ ଅସ୍ଥାୟୀ ଉପକରଣରେ କୂଟୀର ନିିର୍ମାଣ କରାଯିବ । କେଉଁଠି ବି ସିମେଣ୍ଟ କିମ୍ବା ରଡ୍ ବ୍ୟବହାର କରାଯିବ ନାହିଁ । କୌଣସି ସ୍ଥାନରେ ସବୁଜିମା ଥିଲେ ତାକୁ ସଂପୂର୍ଣ୍ଣ ସୁରକ୍ଷିତ କରାଯିବ । ବେଳାଭୂମିର ପରିବେଶ ଯେପରି ପ୍ରଦୂଷିତ ନହୁଏ ସେଥିଲାଗି ପରିଚାଳନା ଦାୟିତ୍ୱ ନେଉଥିବା ସଂସ୍ଥାମାନେ ଦୃଷ୍ଟି ଦେବେ । ଉକୃଷ୍ଟମାନର ସେବା ଓ ସଂପୂର୍ଣ୍ଣ ପେସାଦାର ଭାବେ ଏସବୁ କୂଟୀରର ପରିଚାଳନା କରାଯିବ । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍‌ଲାଇନର ଉଲ୍ଲଙ୍ଘନ ହେଲେ ଓଟିଡିସି ସଂପୃକ୍ତ ସଂସ୍ଥାଠାରୁ ପରିଚାଳନା ଦାୟିତ୍ୱ ପ୍ରତ୍ୟାହାର କରିନେବ ।

ହୋଟେଲ ଓ ପର୍ଯ୍ୟଟନ ସହ ସଂପୃକ୍ତ ସଂସ୍ଥା ଏହାକୁ ସ୍ୱାଗତ କରିଥିବା ବେଳେ ନିଶା ନିବାରଣ କାର୍ଯ୍ୟରେ ନିୟୋଜିତ ସଂଗଠନ କିନ୍ତୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଓଡିଶାରେ ସୁଦୀର୍ଘ ବେଳାଭୂମି ଥିବାରୁ ବେଳାଭୂମି କୂଟୀର ବା ବିଚ୍ ସ୍ୟାକ୍ସ ନିର୍ମାଣର ପର୍ଯ୍ୟାପ୍ତ ସୁଯୋଗ ରହିଛି ।ତେବେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣସାଙ୍ଗକୁ ପର୍ଯ୍ୟଟକଙ୍କ ସୁରକ୍ଷା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।