ଖବର ପ୍ରସାରଣ ପରେ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଦେଖିବ ବିଜୁଳି : ଧରାପଡ଼ିଲା ରାଜ୍ୟ ସରକାରଙ୍କ ବିଜୁଳି ସଂଯୋଗ ପାଇଁ ମିଛ ବାହାସ୍ପଟ

୨୦୧୮ ଏପ୍ରିଲରୁ ସବୁ ଗାଁକୁ ବିଜୁଳି ସଂଯୋଗ ନେଇ ମାରିଥିଲେ ବାହାସ୍ଫୋଟ

ସବୁ ଗାଁକୁ ବିଜୁଳି ମିଛ

ଶେଷରେ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଉପରବେଡ଼ାର ଡୁଙ୍ଗୁରିସାହିରେ ପହଞ୍ଚିବ ବିଜୁଳି ଆଲୋକ । ଏନେଇ ଓଟିଭିରେ ବାରମ୍ବାର ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ରାତିଅଧିଆ ଖୁଣ୍ଟ ପୋତି ହୋଇ ଶୀଘ୍ର ବିଜୁଳି ସଂଯୋଗ ଦେବାକୁ ତତ୍ପର ହୋଇଛି ବିଦ୍ୟୁତ୍ ବିଭାଗ । ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗାଁ ବୋଲି ସିନା ଏଠାକୁ ବିଜୁଳି ସଂଯୋଗ ନେଇ ସରକାର ତତ୍ପରତା ଦେଖାଇଛନ୍ତି, କିନ୍ତୁ ରାଜ୍ୟରେ ଏବେ ବି ଏମିତି ଅନେକ ଗାଁ ଅଛି, ଯାହାକି ସ୍ୱାଧୀନତାର ୭୫ ବର୍ଷ ପରେ ବି ଦେଖିନାହାଁନ୍ତି ବିଜୁଳି ‌ଆଲୁଅ ।

ଏମିତି ଏକ ଗାଁହେଉଛି ସୁନ୍ଦରଗଡ଼ ଖଣି ଖାଦାନ ଭରା କୋଇଡ଼ା ବ୍ଲକର କଦମଢ଼ି ଗାଁ । ଏଇ ଗାଁର ୧୦୨ ପରିବାର ପାଇଁ ଲଣ୍ଠନ ଓ ଡିବିରି ଆଲୁଅ ହିଁ ଭରସା । ୫ ବର୍ଷ ତଳେ ଲୋକ ଦେଖାଣିଆ ଭାବେ ସରକାର ଗାଁର କିଛି ପରିବାରକୁ ସୋଲାର୍ ଲାଇଟ୍ ଦେଇଥିଲେ । ଏବେ ତାହା ବି ଅଚଳ । ସେହିଭଳି କୋରାପୁଟ ଜୟପୁର ଠାରୁ ମାତ୍ର ୧୫ କିମି ଦୂରରେ ଏମିତି ଅନେକ ଗାଁ ରହିଛି, ଯେଉଁଠିକି ପହଞ୍ଚିନି ବିଜୁଳି । ସେମିତି ଏକ ଗାଁ ହେଉଛି ଗଡ଼ପଦର ପଞ୍ଚାୟତର ସାଙ୍ଗାବାଡ଼ି । ଏ ଗାଁରେ ସଞ୍ଜ ନଇଁଲେ ଖୋଜାପଡ଼େ ଡିବିରି । ଜୟପୁର ବ୍ଲକର ରାମଗଡ଼, ସଡ଼ାପଦର, ଲଛିମପଦର, ଟିଙ୍ଗୋସିଲ, ତାଡ଼ପାଣି, ବାଇଗଣପଦର, କେନ୍ଦୁଗୁଡ଼ା, କୁଷୁମଗୁଡ଼ା ଆଦି ଗାଁ ଲାଗି ବି ସାତସପନ ପାଲଟିଛି ବିଜୁଳି ।

୨୦୧୮ ଏପ୍ରିଲ ୧୮ ସୁଦ୍ଧା ରାଜ୍ୟର ଶତପ୍ରତିଶତ ଗାଁକୁ ବିଜୁଳି ପହଞ୍ଚିଥିବା ଘୋଷଣା କରିଥିଲେ ଓଡ଼ିଶା ସରକାର । ଲୋକସଭାରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ପ୍ରଶ୍ନରର ଉତ୍ତର ଦେଇ ରାଜ୍ୟ ଏଭଳି ତଥ୍ୟ ଦେଇଛି ବୋଲି ଦର୍ଶାଇଥିଲେ କେନ୍ଦ୍ରଶକ୍ତି ମନ୍ତ୍ରୀ । କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଏସବୁ ଚିତ୍ର ସରକାରଙ୍କ ତଥ୍ୟକୁ ପଦାରେ ପକାଇଛି । ନ୍ୟସାନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟର ୯୬.୩ ପ୍ରତିଶତ ପରିବାରକୁ ମିଳିଛି ବିଜୁଳି ସଂଯୋଗ ।

ସେପଟେ ବିଦ୍ୟୁତ ଉପଭୋକ୍ତା ମାହସଂଘ କହିଛି ରାଜ୍ୟରେ ୧ କୋଟିରୁ ଅଧିକ ପରିବାର ଥିଲେ ମଧ୍ୟ ବାସ୍ତବରେ କେବେଳ ୬୦ରୁ ୬୫ ଲକ୍ଷ ପରିବାରକୁ ହିଁ ବିଜୁଳି ସଂଯୋଗ ହୋଇଛି । ମହାସଂଘର କହିବା କଥା, ଅନେକ ଗାଁର ସୀମା ଦେଇ ବିଜୁଳି ଲାଇନ୍ ଯାଇଛି, କିନ୍ତୁ ଗାଁ ଭିତରକୁ ବିଜୁଳି ସଂଯୋଗ ହୋଇନି । କିନ୍ତୁ ଏସବୁ ଗାଁକୁ ସରକାର ବିଜୁଳି ସଂଯୋଗ ବୋଲି ଦର୍ଶାଇ ନିଜର ପିଠି ଥାପୁଡାଉଛନ୍ତି ।