ପ୍ରୋତ୍ସାହନ ଅପେକ୍ଷାରେ ପ୍ରକୃତ ବୁଣାକାର, ପରିବାର ପ୍ରତିପୋଷଣ ପାଇଁ କରୁଛନ୍ତି ସଂଘର୍ଷ

କେବେ ଦୂର ହେବ ବୁଣାକାରଙ୍କ ଦୁଃଖ ? ନିଜେ ବୁଣୁଥିବା ଜିନିଷ ବଡ଼ ସହରରେ ବିକ୍ରି ହେଉଛି। ଅଥଚ ଦଦରା ଘରେ ଦୟନୀୟ ଭାବେ ବଞ୍ଚୁଛି ବୁଣାକାର।

Handloom

ବୁଣାକାରଙ୍କ ପାଇଁ ସରକାରଙ୍କ କାହିଁ କେତେ ବ୍ୟବସ୍ଥା । ବିଭିନ୍ନ ଉପକରଣ ଠାରୁ ଆରମ୍ଭ କରି ପକ୍କାଘର ପର୍ଯ୍ୟନ୍ତ । ସବୁ ପ୍ରୋତ୍ସାହନ ମିଳୁଥିବା କୁହାଯାଉଛି । ହେଲେ ରାଜ୍ୟର ବୁଣାକାରଙ୍କ ବାସ୍ତବ ସ୍ଥିତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜଗବନ୍ଧୁ ପନିକା, ବୟସ ୬୦ଛୁଇଁଲାଣି । କୋରାପୁଟ କୋଟପାଡ ବ୍ଲକର ବତାଶନାରେ ଘର ତାଙ୍କର । ଘର କହିଲେ କେତେ ଖଣ୍ଡ କାଠ ଖୁଣ୍ଟ ସାହାରାରେ ଠିଆହୋଇଥିବା ମାଟି କାନ୍ଥଟିଏ । କହିବାକୁ ଘର, ହେଲେ ଛାତରେ ପୁରୁଣା ଆଜବେଷ୍ଟସ ଖଣ୍ଡେ ତା' ପୁଣି ଅଧା ଭାଙ୍ଗିଗଲାଣି । ଭଙ୍ଗା ଛାତ ତଳେ ବିତିଗଲାଣି ଜୀବନର ଅଧାରୁ ଅଧିକ ସମୟ । ହେଲେ ଛାତଘର ଟିଏ ଦେଖି ପାରିଲେନି । ବାପାଅଜା ଅମଳରୁ ଜଗବନ୍ଧୁ ବୁଣାକାର ପେଷାରେ ପରିବାର ଚଳାଉଛନ୍ତି । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବାରୁ କଷ୍ଟରେ ସଂସାର ଚାଲୁଥିବା କହିଛନ୍ତି । ପ୍ରକୃତ ହିତାଧିକାରୀ ହୋଇଥିଲେ ବି ସରକାରୀ ସୁବିଧାରୁ ବଞ୍ଚିତ ।

ସେହିପରି ସେହି ଗାଁର ୫୮ ବର୍ଷୀୟ ମଧୁ ପନିକା ମଧ୍ୟ ତନ୍ତ ବୁଣି ପରିବାର ଚଳାନ୍ତି । ହେଲେ ଏ ମହଙ୍ଗା ଦୁନିଆରେ ରୋଜଗାର ଯାହା ତେଲଲୁଣ ପାଇଁ ନିଅଣ୍ଟ । ସେମାନେ ବି ସରକାରୀ ସୁବିଧା ପାଉନଥିବା କହି ଅସନ୍ତୋଷ ଝାଡ଼ିଛନ୍ତି । ବଜାରରେ ମିରିଗାନ ଶାଢୀର ବେଶ ଚାହିଦା । କୋଟପାଡ ବ୍ଲକର ଅନେକ ଗାଁର ବୁଣାକାର ପରିବାର ମିରିଗାନ ଶାଢୀ, ସାର୍ଟ, ଓଢଣୀ, ଟାୱାଲ ଆଦି ପ୍ରସ୍ତୁତ କରିଥାନ୍ତି । ହେଲେ ବିଭାଗ ପକ୍ଷରୁ ତନ୍ତ ଘର ମିଳିଛି, ହେଲେ ଆଉ କୌଣସି ସୁବିଧା ମିଳିନଥିବା କହିଛନ୍ତି ।

ସେପଟେ ଜିଲ୍ଲାରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ବୟନିକା ଓ ଉତ୍କଳିକା କାଉଣ୍ଟର ଥିଲେ ମଧ୍ୟ ସେଠାରେ କୋଟପାଡର ମିରିଗାନ ଶାଢୀ କିମ୍ବା କୌଣସି ଜିନିଷ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି, କୋଟପାଡ ବୁଣାକାରଙ୍କ ପ୍ରତି ଆନ୍ତରିକତା କେତେ । ଜିଲ୍ଲା ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ କୁହାଯ।ଇଛି ଯେ ଗତ ୪ବର୍ଷ ମଧ୍ୟରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ସହ ତନ୍ତଘର, ଉପକରଣ ଓ ଆର୍ଥିକ ସହାୟତା ଦିଆଯାଇଛି । ହେଲେ ଏତେ ସବୁ ବ୍ୟବସ୍ଥା ପରେ ବି ବୁଣାକାର ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି ।