ନିସ୍ୱାର୍ଥପର ମଣିଷ : ମାଗଣାରେ କରନ୍ତି ବୁଲା ଗାଈଗୋରୁଙ୍କ ଚିକିତ୍ସା

ସେ ପଶୁ ଚିକିତ୍ସକ ନୁହଁନ୍ତି, ହେଲେ ତାଙ୍କ ସେବା ଓ ଚିକିତ୍ସା କୌଣସି ଚିକିତ୍ସକଠାରୁ କମ୍ ନୁହେଁ। ଖରା ହେଉ କି ବର୍ଷା, ଦିନ ହେଉ କି ରାତି ଯିଏ ଯେତେବେଳେ ଯେଉଁଠି ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଡାକିଥାନ୍ତି, ସେଠାରେ ପହଞ୍ଚି ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଇଥାନ୍ତି କ୍ରିଷ୍ଣା ନାୟକ...

ସେ ପଶୁ ଚିକିତ୍ସକ ନୁହଁନ୍ତି, ହେଲେ ତାଙ୍କ ସେବା ଓ ଚିକିତ୍ସା କୌଣସି ଚିକିତ୍ସକଠାରୁ କମ୍ ନୁହେଁ

ଭୁବନେଶ୍ୱରର କ୍ରିଷ୍ଣା ନାୟକ । ଗାଡ଼ିରେ ବଡ ବଡ ରଶି ଲଦି ରାଜଧାନୀର ଗଳିକନ୍ଦି ବୁଲୁଛନ୍ତି । ଯେଉଁଠି ଅସୁସ୍ଥ ଷଣ୍ଢ, ଗାଈ, କୁକୁର ନଜର ଆସନ୍ତି ସେଠି ଅଟକି ଯାଇ ଚିକିତ୍ସା ଆରମ୍ଭ କରି ଦିଅନ୍ତି । ଗାଈ-ଗୋରୁଙ୍କ ଫାଟୁଆ ରୋଗ ହେଉ କି ପେଟ ରୋଗ। ଦୁର୍ଘଟଣାରେ ଆହତ ହୋଇ ଛଟପଟ ହେଉଥିବା ପଶୁପକ୍ଷୀଙ୍କୁ ଅପରେସନଠାରୁ ଚିକିତ୍ସା କରିବା ପର୍ଯ୍ୟନ୍ତ ସବୁ କିଛି କରିଥାନ୍ତି କ୍ରିଷ୍ଣା ।

ପାଖରେ କୌଣସି ପଶୁ ଚିକତ୍ସକ ସାର୍ଟିଫିକେଟ ନଥିଲେ ବି ପଶୁପକ୍ଷୀଙ୍କ ସେବା କରିବାରେ ସେ ପଛଘୁଞ୍ଚା ଦେଇନଥାନ୍ତି। ଖରା ନାହିଁ କି ବର୍ଷା, ଦିନ ହେଉ କି ରାତି ଯିଏ ଯେତେବେଳେ ଯିଏ ଯେଉଁଠି ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଡାକିଥାନ୍ତି କ୍ରିଷ୍ଣା ସେଠାରେ ପହଞ୍ଚି ମାଗଣାରେ ଚିକିତ୍ସା କରିଥାନ୍ତି।

ଗତ ୩ ବର୍ଷ ତଳେ ରାଜଧାନୀର ରାସ୍ତା କଡ଼ରେ ଦୁର୍ଘଟଣାରେ ଆହତ ହୋଇ ଛଟପଟ ହେଉଥିବା ଗୋଟିଏ ଗାଈର କଷ୍ଟ ଦେଖି ସହି ପାରି ନଥିଲେ କ୍ରିଷ୍ଣା। ସେହି ଦିନଠାରୁ କିଛି ଯୁବକ ଯୁବତୀମାନଙ୍କୁ ଏକାଠି କରି ଏକ ଟିମ ଗଠନ କରିଥିଲେ। ଏବେ ଓଡ଼ିଶାରେ ୧୮ ହଜାରରୁ ଅଧିକ ଯୁବକ-ଯୁବତୀ ତାଙ୍କ ସହ ସାମିଲ ହୋଇ ପଶୁ-ପକ୍ଷୀଙ୍କ ଚିକିତ୍ସା ଓ ସେବା କରିବାରେ ଲାଗି ପଡିଛନ୍ତି।

କ୍ରିଷ୍ଣା କୁହନ୍ତି, ଦେଶର ପ୍ରତିଟି ନାଗରିକ ପଶୁପକ୍ଷୀଙ୍କୁ ସ୍ନେହ କଲେ ପଶୁ ସମ୍ପଦ ବିପଦ ମୁହଁରୁ ରକ୍ଷା ପାଇ ପାରିବେ। କ୍ରିଷ୍ଣାଙ୍କ ସେବା ଦେଖି ଏବେ କିଛି ବଦାନ୍ୟ ବ୍ୟକ୍ତି ତାଙ୍କ ଟିମକୁ ସାହାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ଯାହା କିଛି ଟଙ୍କା ମିଳୁଛି, ତାହା ଗାଈଗୋରୁଙ୍କ ଚିକିତ୍ସାରେ ହିଁ ଲାଗୁଛି।

ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ