ଭୁଲରେ ଥରକେ ମିଳିଗଲା ୨୮୬ ମାସର ଦରମା : ଟଙ୍କା ମିଳିବା ପରେ କର୍ମଚାରୀ ଫେରାର୍‌

ଏକ ମାସରେ ମିଳିଲା ୨୮୬ ମାସର ଦରମା । ଫେରାଇବା ବଦଳରେ କମ୍ପାନୀକୁ ଚକମା ଦେଇ କର୍ମଚାରୀ ଗାୟବ୍ ।

ଥରକେ ଆକାଉଣ୍ଟକୁ ମାସକର କି ଦୁଇ ମାସର ନୁହେଁ ୨୮୬ ମାସର ଦରମା ଆସିଲା

ଥରକେ ଆକାଉଣ୍ଟକୁ ମାସକର କି ଦୁଇ ମାସର ନୁହେଁ ୨୮୬ ମାସର ଦରମା ଆସିଲା । ଏତେ ଟଙ୍କା ପାଇବା ପରେ କର୍ମଚାରୀ ଜଣକ ହତବାକ୍‌ ହୋଇପଡ଼ିଥିଲେ । ମନରେ ଅନେକ କଥା ଆସିଲା । ଏକାବେଳେ ଏତେ ଟଙ୍କା ଦେଖି ମନରେ ଲୋଭ ଜାଗ୍ରତ ହୋଇଥିଲା । ମନ ଓ ବିବେକର ଯୁଦ୍ଧ ଭିତରେ କମ୍ପାନୀରୁ ଫୋନ୍‌ ଆସିଗଲା । ତୁରନ୍ତ ଟଙ୍କା ଫେରାଇବାକୁ କର୍ମଚାରୀଙ୍କୁ କୁହାଯାଇଥିଲା । ଚିଲିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଭୁଲବଶତଃ କର୍ମଚାରୀଙ୍କ ଆକାଉଣ୍ଟକୁ ଚାଲିଯାଇଛି ୨୮୬ ମାସର ଦରମା ।

ଫେରାଇବେ କହି ଫେରାର ମାରିଲେ କର୍ମଚାରୀ

ତେବେ କୌତୁହଳର ବିଷୟ ହେଉଛି କର୍ମଚାରୀ ଜଣକ ପାଖକୁ ଫୋନି ଆସିବା ପରେ ସେ ଖୁବ ଶୀଘ୍ର ଟଙ୍କା ଫେରାଇ ଦେବେ ବୋଲି କମ୍ପାନୀକୁ ପ୍ରତିଶୃତି ଦେଇଥିଲେ । ହେଲେ ହଠାତ୍‌ ସେ ଗାୟବ୍ ହୋଇଗଲେ । ଆଉ ଅଫିସ୍‌ ଆସିଲେନି କି ଟଙ୍କା ଫେରାଇଲେ ନାହିଁ । ଫଳରେ କମ୍ପାନୀ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ଗୋଟିଏ ଥରରେ ଏତେ ଟଙ୍କା ପାଇବା ପରେ କେହି ବି ଲୋଭର ବଶବର୍ତ୍ତି ହୋଇପାରେ ।

କେମତି କମ୍ପାନୀ ପଠାଇଲା ଏତେ ଟଙ୍କା ?

ସୂଚନା ଅନୁସାରେ Consorcio Industrial de Alimentos (CIAL)ର ପକ୍ଷରୁ ଏତେ ବଡ଼ ଭୁଲ ହୋଇଛି । ସବୁଠାରୁ ବଡ କମ୍ପାନୀ ଭାବରେ ପରିଚିତ ଏହି କମ୍ପାନୀ । ମେ ମାସରେ କମ୍ପାନୀ ଭୁଲରେ ଜଣେ କର୍ମଚାରୀଙ୍କୁ 43 ହଜାର ବଦଳରେ ୧.୪୨ କୋଟି ଟଙ୍କା ପଠାଇ ଦେଇଥିଲେ । କମ୍ପାନୀର ରେକର୍ଡଗୁଡିକ ଯାଞ୍ଚ କରାଗଲା ପରେ ନିଜ ତ୍ରୃଟି ସମ୍ପର୍କରେ ଜଣାପଡ଼ିଥିଲା ।

ଟଙ୍କା ବଦଳରେ ଇସ୍ତଫା ଦେଲେ କର୍ମଚାରୀ

ଭୁଲ୍ ଜଣାପଡ଼ିବା ପରେ କମ୍ପାନୀ ପରିଚାଳନା କମିଟି କର୍ମଚାରୀଙ୍କ ସହ କଥା ହୋଇଥିଲେ । ଗୋଟିଏ ଥରରେ ୨୮୬ ମାସର ଦରମା ପଠାଇ ଦିଆଯାଇଥିବା କହିଥିଲେ । ଏହା ପରେ କର୍ମଚାରୀଙ୍କୁ ଅତିରିକ୍ତ ଟଙ୍କା ଫେରସ୍ତ କରିବାକୁ କୁହାଯାଇଥିଲା । କର୍ମଚାରୀ ଜଣକ ହିଁ କରିଥିଲେ ସୁଦ୍ଧା ଆଉ ତା’ ପର ଠାରୁ ଅଫିସ୍‌ ମାଟି ମାଡ଼ିଲେ ନାହିଁ । କମ୍ପାନୀ ଟଙ୍କା ପାଇଁ ଅପେକ୍ଷା କରିଥିବା ବେଳେ ଟଙ୍କା ବଦଳରେ କର୍ମଚାରୀ ଇସ୍ତଫା ଦେଇଦେଲେ ।

କମ୍ପାନୀ ନେଲା ଆଇନଗତ ପଦକ୍ଷେପ

ସଦ୍ୟତମ ଖବର ଅନୁଯାୟୀ ବର୍ତ୍ତମାନ କମ୍ପାନୀ ଏହି ପ୍ରସଙ୍ଗରେ ଆଇନଗତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି ।