Advertisment

ବାସଗୃହ କ୍ରେତାଙ୍କ ମନରେ ନୂଆ ଆଶା; ଆଉ ଠକି ଖସିପାରିବେନି ବିଲ୍ଡର

ଆଉ ଠକି ପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓରେରା।

ଅଦ୍ୟତନ ହୋଇଛି
Builders can no longer be deceived

Builders can no longer be deceived

Advertisment

ବାସଗୃହ କ୍ରେତାଙ୍କୁ ଠକି ଆଉ ଖସିପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ(ଓରେରା)। ଏହାପରେ ବିଲ୍ଡର ଦ୍ୱାରା ଠକେଇର ଶିକାର ବାସଗୃହ କ୍ରେତାଙ୍କ ମନରେ ସଞ୍ଚାର ହୋଇଛି ନୂଆ ଆଶା। ଏପଟେ ବିଲ୍ଡର ସଂଘର କହିବା କଥା, ରେରା କେବଳ ଗୋଟିଏ ପକ୍ଷର ମତ ଶୁଣି ଅନ୍ତରୀଣ ରାୟ ଶୁଣାଇଛନ୍ତି। ଉଭୟ ପକ୍ଷ ଶୁଣାଣି ପରେ ଚୂଡ଼ାନ୍ତ ରାୟରୁ ସବୁକିଛି ସ୍ପଷ୍ଟ ହେବ।

Advertisment

ସୂଚନା ମୁତାବକ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ କଲ୍ୟାଣ ପ୍ଲାଜାରେ ବାସ କରୁଥିବା ରବୀନ୍ଦ୍ର ରଥ ୨୦୦୯ରୁ ହାଇଟେକ୍ ଇଷ୍ଟେଟ୍ ଆଣ୍ଡ୍‌ ପ୍ରମୋଟର୍ସ ନିକଟରୁ ଏକ ଘର କିଣି ଆଜି ଯାଏ ପସ୍ତାଉଛନ୍ତି। ୧୨ ବର୍ଷ ଟପିଥିଲେ ବି ସରିପାରିନି ପ୍ରକଳ୍ପ କାମ। ଘର ସିନା ନିର୍ମାଣ ହୋଇଯାଇଛି ହେଲେ ମିଳିନି ଅକ୍ୟୁପାନ୍ସି ସାର୍ଟିଫିକେଟ୍। ଗଢ଼ା ହୋଇନି ପଞ୍ଜୀକୃତ ସୋସାଇଟି।

୫୦୦ରୁ ଅଧିକ ଘର କ୍ରେତାଙ୍କୁ ଦିନରେ ଲଣ୍ଠନ ଦେଖାଇ ଛୁ ମାରିଛି ବିଲ୍ଡର ସଂସ୍ଥା। ଫାୟାର ସେଫ୍ଟି, ସ୍ୱେରେଜ, ପାଣି ଭଳି ମୌଳିକ ସେବାଠାରୁ ଆରମ୍ଭ କରି ସୁରକ୍ଷା ଦାୟିତ୍ୱ ଯାଏଁ ସବୁଥିରୁ ଓହରିଯାଇଛି ସଂସ୍ଥା। ହେଲେ ଏବେ ରବୀନ୍ଦ୍ରଙ୍କ ଭଳି ବାସଗୃହ କ୍ରେତାଙ୍କ ମନରେ ନୂଆ ଆଶା ସଞ୍ଚାରିଛି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷର ଅନ୍ତରୀଣ ଆଦେଶ।

Advertisment

ମାର୍ଚ୍ଚ ୮ରେ ରେରା ଦେଇଥିବା ଅନ୍ତରୀଣ ଆଦେଶ କହୁଛି, ବିନା ଅକ୍ୟୁପାନ୍ସି ସାର୍ଟିଫିକେଟ୍ କିମ୍ବା ସୋସାଇଟି ଗଠନ ନ କରି ରକ୍ଷଣାବେକ୍ଷଣ ଦାୟିତ୍ୱରୁ ଖସିପାରିବନି ବିଲ୍ଡର ସଂସ୍ଥା। ପ୍ରକଳ୍ପ ସମ୍ପୂର୍ଣ୍ଣ ନକରି ବିଲ୍ଡର ନିଜ ଦାୟିତ୍ୱରୁ ଓହରିବା ଗୃହ କ୍ରେତାଙ୍କ ସ୍ୱାର୍ଥ ବିରୁଦ୍ଧରେ ଯାଉଛି। ସୋସାଇଟି ଗଠନ ହେବା ଯାଏଁ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇବାକୁ ବିଲ୍ଡର ବାଧ୍ୟ ହେବ। ଏନେଇ ଖୁବଶୀଘ୍ର ପ୍ରକାଶ ପାଇବ ଓଡ଼ିଶା ରେରାର ଚୂଡ଼ାନ୍ତ ରାୟ।

ରିଅଲ୍ ଇଷ୍ଟେଟ୍ ସଂଘର କହିବା କଥା, ବାସଗୃହ ପ୍ରକଳ୍ପର ଚୁକ୍ତି ଅନୁସାରେ ବିଲ୍ଡର ସଂସ୍ଥା ଆବଶ୍ୟକ ମୌଳିକ ସେବା ଓ ସୁବିଧା ଯୋଗାଇବା ଉଚିତ ଯେପର୍ଯ୍ୟନ୍ତ ପ୍ରକଳ୍ପର ଚୁକ୍ତି ଅନୁସାରେ କ୍ରେତାଙ୍କୁ ସବୁ ସୁବିଧା ମିଳିନି, ସେଯାଏଁ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ମିଳିବନି। ରେରା ଏବେ କେବଳ ବାସଗୃହ କ୍ରେତାଙ୍କ ପକ୍ଷର ଶୁଣାଣି କରି ଉଭୟ କ୍ରେତା ଓ ବିଲ୍ଡର ମଧ୍ୟରେ ଉତ୍ତମ ବୁଝାମଣା ରଖିବା ଉଦ୍ଦେଶ୍ୟରେ ଏଭଳି ଅନ୍ତରୀଣ ଆଦେଶ ଦେଇଛନ୍ତି। ବାସ୍ତବ ରାୟ ଉଭୟ ପକ୍ଷ ଶୁଣାଣି ପରେ ହିଁ ସ୍ପଷ୍ଟ ହେବ।

Advertisment

ଓଡ଼ିଶା ରେରାର ଅନ୍ତରୀଣ ଆଦେଶ ବାସଗୃହ କ୍ରେତାଙ୍କ ସ୍ୱାର୍ଥ ସପକ୍ଷରେ ଯାଇଛି। ତେବେ ବିଲ୍ଡର ସଂସ୍ଥା ଏ ରାୟକୁ କେତେ ପାଳନ କରୁଛନ୍ତି, ତାହା ଆଗାମୀ ସମୟ ହିଁ କହିବ।

(ରିପୋର୍ଟ : ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ)

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ