ହେ ପକ୍ଷୀମାନେ ତୁମେ ପୁଣି ଥରେ ଆମ ପାଖକୁ ଫେରିଆସ… ଆମେ ବହୁତ୍ ଭୁଲ୍ କରି ସାରିଲୁଣି… ତୁମେମାନେ ବସାଟିଏ ବାନ୍ଧିବାକୁ ଆମେ ଆଉ ଗଛଟିଏ ବି ରଖିନାହୁଁ… ଆମେ ସିନା ଆମ ଘର ସଜାଡି ଚାଲିଛୁ, ହେଲେ ତୁମ ଘର ଉଜୁଡ଼ିଯାଇଛି… ଏବେ ଆମେ ସୁଧୁରିଯିବାକୁ ଚାହୁଁଛୁ... ତୁମ ପାଇଁ ଗଛ ଲଗାଉଛୁ... ଗଛ ଡାଳରେ ପାଣି ଘଡ଼ି ବାନ୍ଧୁଛୁ, ଖାଇବାକୁ ବୁଟ ଚଣା ଖୁଦ ଧାନ ଥୋଉଛୁ... ତୁମେ ମାନେ ଆସ... ଏଇ ଗଛଡାଳରେ ବସ... ଆମେ ତୁମ ସହ ମିତ ବସିବାକୁ ଚାହୁଁଛୁ...
Also Read
ବାଲେଶ୍ଵର ସହରରେ ଦିନକୁ ଦିନ ପକ୍ଷୀ ଦେଖା ଯାଉନଥିବା ବେଳେ ଏଠାରେ କିଛି ସମାଜସେବୀ, କବି ଏବଂ ବୁଦ୍ଧିଜୀବୀ ଏକାଠି ହୋଇ ନିଆର ଢଙ୍ଗରେ ପାଳନ କରୁଛନ୍ତି ପକ୍ଷୀ ପାଇଁ ଦିନଟିଏ। ଏହା ଏକ ବାର୍ତ୍ତା, ପକ୍ଷୀମାନଙ୍କୁ ବଞ୍ଚେଇ ରଖିବା ପାଇଁ ଏକ ପ୍ରତିକାତ୍ମକ ପ୍ରୟାସ। ଗଛ ଡ଼ାଳରେ ମାଟି ମାଠିଆ ବାନ୍ଧି ଜଳ ଭର୍ତ୍ତି କରିବା ସହ ଖାଦ୍ୟ ସାମଗ୍ରୀ ରଖିଦିଆଯାଉଛି। ଚଢ଼େଇମାନେ ଆସିଲେ ଏ ଖରାରେ ପେଟ ଭରି ଖାଇବେ ଆଉ ମନ ଶାନ୍ତି ହେଲା ଯାଏଁ ପାଣି ପିଇବେ
ଦର୍ଶକ ବନ୍ଧୁ, ଥରେ ପିଲା ଦିନ କଥା ମନେ ପକାନ୍ତୁ, ଆମେ କେତେ ଚଡେଇ ଚିରିଗୁଣି ଦେଖୁ ନ ଥିଲେ, ସନ୍ଧ୍ୟା ହେଲେ ଝିଙ୍କାରିରି ଝିଁ ଝିଁ ଶବ୍ଦ ଆମକୁ ଛାନିଆ କରି ଦେଉଥିଲା, ସକାଳ ପାଇଲେ ଚାଳ ସନ୍ଦିରେ ଘର ଚଟିଆଙ୍କ କିଚିରିମିଚିରି ଆମୋଦିତ କରୁଥିଲା। କାଉର କା ଠାରୁ କୋଇଲିରୁ କୁହୁ ଯାଏଁ ଆମକୁ କେତେ ମାତ୍ରାରେ ଆଚ୍ଛାଦିତ କରି ନ ଥିଲା ସତରେ। ହେଲେ ଆଜି ସେ ଦିନ କାହିଁ ନା ଆଜି ଆଉ କୁମ୍ଭାଟୁଆ, କାଠହଣା, ମାଛରଙ୍କା, କାବତ, କପୋତ ପକ୍ଷୀ କାହାନ୍ତି। ଏବେ ତେ ଆମେ ଏମିତି ଏକ ଭୟଙ୍କର ପରିସ୍ଥିତିରେ ବଞ୍ଚୁଛେ, ସତେ ଯେମିତି ଆମ ପରପିଢ଼ି ଚଡେଇମାନଙ୍କୁ କେବଳ ବହିର ଛବି ଓ ସିନେମାର ଦୃଶ୍ୟରେ ଦେଖିବା ଛଡା ସତସତିକା ହୁଏତ ଦେଖିବାର ସୁଯୋଗ ପାଇବେ ନାହିଁ।