Advertisment

ଚର୍ଚ୍ଚାରେ ୪ ଶିକ୍ଷିତ ଭଉଣୀ, ପରିବାର ପାଇଁ ଖୋଲିଲେ ଫାଷ୍ଟଫୁଡ ଦୋକାନ

୪ ଭଉଣୀଙ୍କୁ ସଲାମ। ବାପାଙ୍କ ହାତକୁ ଶକ୍ତ କରିବାକୁ ୪ ଶିକ୍ଷିତ ଭଉଣୀ ମିଶି ପଦାକୁ ଗୋଡ଼ କାଢ଼ିଲେ। ଆଉ ଏକ ଠେଲା ଗାଡ଼ିରେ ଆରମ୍ଭ କରିଦେଲେ ଫାଷ୍ଟଫୁଡ ଦୋକାନ। ଆଉ ଘର ପାଇଁ ଦୁଇ ପଇସା ରୋଜଗାର କରି ଭାଇର ପାଠ ପଢ଼ା ଖର୍ଚ୍ଚ ତୁଲାଇଲେ।

ଅଦ୍ୟତନ ହୋଇଛି
4 sister

4 sister

Advertisment

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଟ୍ରାକ୍ସନ କଲୋନୀର ୪ ଭଉଣୀ । ପଦ୍ମାବତୀ, ପ୍ରତିଭା, ସୁଷମା ଓ ପୂର୍ଣ୍ଣିମା । ରାତି ପାହିଲେ ଆରମ୍ଭ ହୋଇଯାଏ କାମ । ଚାଲେ ଠେଲାରେ ଜିନିଷପତ୍ର ଲଦାଲଦି । ତା ପରେ ଠେଲା ଧରି ଚାଲନ୍ତି ରାଜଗାଙ୍ଗପୁର ସହରର ଡେଲି ମାର୍କେଟ୍ । ସେଇଠି ଫୁଟପାଥରେ ଖୋଲେ ସେମାନଙ୍କ ଖାଦ୍ୟ ଶାଳା। ଆଉ ସଂଧ୍ୟାରେ ସେମାନଙ୍କ ହାତ ତିଆରି ସୁଆଦିଆ ଖାଦ୍ୟକୁ ଅପେକ୍ଷା କରିଥାନ୍ତି ଗ୍ରାହକ।

Advertisment

ଫାଷ୍ଟଫୁଟ ଦୋକାନ ଖୋଲିଥିବା ଚାରି ଭଉଣୀ ଉଚ୍ଚ ଶିକ୍ଷିତ। ୭ ସଦସ୍ୟ ବିଶିଷ୍ଟ ମଧ୍ୟବିତ୍ତ ପରିବାର। ବାପା ମାଆ, ୪ ଭଉଣୀ ଓ ଗୋଟିଏ ବୋଲି ଭାଇ । ପାଠ ଅଧିକ ପଢ଼ିଥିଲେ ବି ଏମାନଙ୍କର ଉଚ୍ଚଶିକ୍ଷା ଜନିତ ଆଡ୍ଡା ଚଉଡ଼ା ନାହିଁ କିମ୍ବା ଅଯଥା ଚାକିରି ପଛରେ ଗୋଡ଼ାଇ ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ । ବାପା ରେଳବାଇର ଚତୁର୍ଥ ଶ୍ରେଣୀ କର୍ମଚାରୀ । ରୋଜଗାର କମ୍ । ତେଣୁ ଚାରି ଭଉଣୀ ମିଶି ବାପାଙ୍କୁ ସହଯୋଗ କରିବେ ବୋଲି ଭାବିଲେ, ଆଉ ଆରମ୍ଭ କରିଦେଲେ ଫାଷ୍ଟଫୁଡ ଦୋକାନ।

ଘରର ସମସ୍ତ କାମ ସାରିବା ପରେ ସଞ୍ଜ ନଇଁ ନଇଁ ଆସିଲେ ଠେଲା ଧରି ପଦାକୁ ଗୋଡ଼ କାଢ଼ନ୍ତି ଚାରି ଭଉଣୀ। ଠେଲାରେ ତିଆରି କରନ୍ତି ପରଟା, ଚାଉଳ ବରା ଏବଂ ଆଉ ଆଉ ଅନେକ ସୁଆଦିଆ ଖାଦ୍ୟ। ଗ୍ରାହକମାନେ ମଧ୍ୟ ଏମାନଙ୍କ ହାତ ତିଆରି ଖାଦ୍ୟରେ ଖୁବ୍ ଖୁସି ।

Advertisment

ସହର ହେଉ କି ବଜାର, ଚାକିରି ହେଉ କି ବେପାର, ଏବେ ସବୁଠି ଉଡ଼ିବାରେ ଲାଗିଛି ଝିଅମାନଙ୍କ ବିଜୟର ବାନା। ଆଜିକାଲି ପାଠ ଦି ଅକ୍ଷର ପଢୁଥିବା ପିଲାମାନେ ଚାକିରି ନହେଲେ ଆଉ କୌଣସି କାମ କରିବାକୁ ରାଜି ହେଇ ନାହାଁନ୍ତି । ଆଉ ଝିଅମାନଙ୍କୁ ତ ଆମେ ଘର କୋଣରେ ରଖିବାକୁ ଚାହାଁନ୍ତି । କିନ୍ତୁ ସମୟ ବଦଳି ଯାଇଛି । ରାଜଗାଙ୍ଗପୁର ସହରର ଚାରି ଭଉଣୀ ଆମ ରାଜ୍ୟର ଝିଅମାନଙ୍କୁ ପାଇଁ ନୂଆ ଉଦାହରଣ ସୃଷ୍ଟି କରିପାରିଛନ୍ତି । ସେମାନଙ୍କ ସଫଳ ବ୍ୟବସାୟିକ ଜୀବନ କାମନା କରାଯାଉଛି ।

ରାଜଗାଙ୍ଗପୁରରୁ ବିଶ୍ୱକେତନ ରାୟଙ୍କ ରିପୋର୍ଟ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ