ବିବାହ ଋତୁରେ ଚୋରଙ୍କ ଆତଙ୍କ । ବଲାଙ୍ଗିର ସହରରେ ଚୋରଙ୍କ ଆତଙ୍କ ବଢ଼ି ବଢ଼ି ଚାଲିଛି । ଟଙ୍କା ସୁନା ଚୋରି ପରେ ଏବେ ଟାର୍ଗେଟରେ ଛେଳି । ବାହାଘର ସିଜନ ଚାଲିଥିବାରୁ ଭୋଜି ପାଇଁ ଘରେ ଘରେ ଆଗତୁରା ଛେଳି କିଣିକି ରଖାଯାଉଛି । ଆଉ ସେସବୁ ଛେଳି ଉପରେ ଚୋର ନଜର ପକାଇଛନ୍ତି । ଗତ କିଛି ଦିନ ତଳେ ଧୁମାମରାରୁ ୮ ଟି ଛେଳି ଚୋରି ହୋଇଥିଲା । ଆଉ ଗତକାଲି ରାତିରେ କନ୍ଧପାଲି ପଡାରୁ ୧୦ ଟି ଛେଳି ଚୋରି କରି ଚମ୍ପଟ ମାରିଛନ୍ତି ଚୋର ।
କନ୍ଧପାଲି ପଡାର ଶତୃଘ୍ନ ବଗର୍ତ୍ତିଙ୍କ ମଝିଆ ପୁଅ ଶିବୁ ବଗର୍ତ୍ତିଙ୍କ ଗତକାଲି ମାଟିପକା ଥିବା ବେଳେ ଆସନ୍ତା ୧୧ ତାରିଖରେ ବାହାଘର ଥିଲା । ୧୨ ତାରିଖରେ ବନ୍ଧୁବାନ୍ଧବଙ୍କୁ ମାଂସ ଭୋଜି ଦେଇ ଆପ୍ୟାୟିତ କରିଥାନ୍ତେ ବଗର୍ତ୍ତି ପରିବାର । ସେଥିପାଇଁ ଧାର ଉଧାର କରି ପ୍ରାୟ ଦେଢ ଲକ୍ଷ ଟଙ୍କାରେ ୧୧ ଟି ଛେଳି କିଣିଥିଲେ ଶତୃଘ୍ନ । ଘର ନିକଟରେ ଥିବା ଏକ ଷ୍ଟୋର ରୁମରେ ଛେଳିଙ୍କୁ ଭର୍ତ୍ତି କରି ତାଲା ଦେଇ ରଖିଥିଲେ । ହେଲେ ଗତକାଲି ବିଲମ୍ୱିତ ରାତିରେ ଚୋର ମାନେ ଆସି ତାଲା କାଟି ୧୧ ଟି ଛେଲିରୁ ୧୦ ଟି ଛେଲିକୁ ଚୋରି କରି ନେଇଛନ୍ତି । ଗୋଟିଏ ଛେଳି ଅସୁସ୍ଥ ଥିବାରୁ ତାକୁ ଛାଡି ଦେଇଛନ୍ତି ଚୋର ।
ଗତକାଲି ସକାଳୁ ଛେଳି ଚୋରି ହୋଇଥିବା ଦେଖିବା ପରେ ଗରିବ ପରିବାର ଉପରେ ଚଡକ ପଡିଥିଲା । ଦୁଇଦିନ ପରେ ବାହାଘର ଭୋଜି କିନ୍ତୁ ଚୋରି ହୋଇଗଲା ଛେଲି । ଆଉ ଏବେ ବନ୍ଧୁବାନ୍ଧବଙ୍କୁ ମାଂସ ଭୋଜି ଦେଇପାରିବେ ନାହିଁ ପରିବାର ଲୋକେ । ଏବେ ଥାନା ଅଗରେ ବର ଶିବୁ ବଗର୍ତ୍ତିଙ୍କ ମା କାନ୍ଦି କାନ୍ଦି ଚୋରଙ୍କୁ ଶାସ୍ତି ଦେବାକୁ ଅନୁରୋଧ କରିଛନ୍ତି । ମାନବିକତାହୀନ ଚୋରଙ୍କୁ ଏପରି କାରନାମାରେ ନାକେଦମ ହେଉଛନ୍ତି ଲୋକେ । ଶୀଘ୍ର ଏପରି ଚୋରଙ୍କୁ କାବୁ କରିବା ପାଇଁ ସ୍ଥାନୀୟ ଲୋକେ ଦାଦି କରାଯାଇଛି ।
ବଲାଙ୍ଗିରରୁ ଘଟେଶ୍ୱର ମିଶ୍ରଙ୍କ ରିପୋର୍ଟ